୧ ଲକ୍ଷ ଟଙ୍କା ନୋଟ୍ରେ ଏହି ବ୍ୟାଙ୍କ୍ ଛାପିଥିଲା ନେତାଜୀଙ୍କ ଫଟୋ
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏମିତି ଜଣେ କ୍ରାନ୍ତିକାରୀ ନେତା ଥିଲେ, ଯାହାଙ୍କ ଚିନ୍ତାଧାରା ଲକ୍ଷାଧିକ ଲୋକଙ୍କୁ ପ୍ରେରିତ କରିଥିଲା। ଜାନୁଆରୀ ୨୩ରେ ସାରା ଦେଶରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳିତ ହେବ। ୧୮୯୭ ଜାନୁଆରୀ ୨୩ରେ ଓଡ଼ିଶାର କଟକ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ତାଙ୍କର ପାଠପଢ଼ାରେ ଯେତିକି ଆଗ୍ରହ ଥିଲା, ଦେଶର ସ୍ୱାଧୀନତା ପାଇଁ ଚାଲିଥିବା ଲଢ଼େଇରେ ସେ ଯୋଗଦାନ କରିବାକୁ ଚାହୁଁଥିଲେ।
ଭାରତର ସ୍ୱାଧୀନତା ସଂଘର୍ଷରେ ଯୋଗଦେବା ପାଇଁ ସେ ୧୯୨୧ରେ ପ୍ରଶାସନିକ ସେବାର ଏକ ପ୍ରତିଷ୍ଠିତ ଚାକିରି ଛାଡ଼ି ଦେଇଥିଲେ। ତାଙ୍କର କ୍ରାନ୍ତିକାରୀ ବିଚାରଧାରା ଯୋଗୁ ତାଙ୍କୁ ଦେଶର ଯୁବ ବର୍ଗଙ୍କ ବ୍ୟାପକ ସମର୍ଥନ ମିଳୁଥିଲା। ଏହାପରେ ସେ ଆଜାଦ୍ ହିନ୍ଦ୍ ଫୌଜ୍ (Azad Hind Fauj) ଗଠନ କରିଥିଲେ। ଏହି ଆଜାଦ ହିନ୍ଦ ଫୌଜରେ ସିଙ୍ଗାପୁର, ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଯୁଦ୍ଧବନ୍ଦୀ ଏବଂ ଶ୍ରମିକମାନେ ସାମିଲ ହୋଇଥିଲେ।
୧ ଲକ୍ଷ ଟଙ୍କା ନୋଟ୍ରେ ଛପା ଯାଇଥିଲା ସୁଭାଷ ବୋଷଙ୍କ ଫଟୋ
ଆଜାଦ୍ ହିନ୍ଦ୍ ସରକାରଙ୍କ ନିଜର ଏକ ବ୍ୟାଙ୍କ ଥିଲା। ଯାହାର ନାଁ ଥିଲା ଆଜାଦ୍ ହିନ୍ଦ୍ ବ୍ୟାଙ୍କ। ୧୯୪୩ରେ ଆଜାଦ୍ ହିନ୍ଦ୍ ବ୍ୟାଙ୍କର ପ୍ରତିଷ୍ଠା ହୋଇଥିଲା। ଏହି ବ୍ୟାଙ୍କ୍କୁ ୧୦ଟି ଦେଶ ସମର୍ଥନ କରୁଥିଲେ। ଆଜାଦ୍ ହିନ୍ଦ୍ ବ୍ୟାଙ୍କ୍ ଦଶ ଟଙ୍କିଆ ମୁଦ୍ରାଠୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ୍ ଜାରି କରିଥିଲା। ୧ ଲକ୍ଷ ଟଙ୍କା ନୋଟ୍ରେ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଛପା ଯାଇଥିଲା।
ହିଟ୍ଲର୍ଙ୍କ ସହ ହୋଇଥିଲା ସାକ୍ଷାତ…
୧୯୪୨ରେ ହିଟ୍ଲର୍ଙ୍କ ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାକ୍ଷାତ ହୋଇଥିଲା। ହେଲେ ଭାରତକୁ ଆଜାଦ୍ ଦେବା ଲାଗି ହିଟ୍ଲର୍ଙ୍କ ମନରେ କୌଣସି ଆଗ୍ରହ ନଥିଲା। ଫଳରେ ସୁଭାଷ ବୋଷଙ୍କୁ ସହାୟତା କରିବା ଲାଗି ସ୍ପଷ୍ଟ ଭାବରେ ସେ କୌଣସି ପ୍ରତିଶ୍ରୁତି ଦେଇନଥିଲେ।
‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’
ବିମାନ ଦୁର୍ଘଟଣାରୁ ନେତାଜୀ ବର୍ତ୍ତି ଯାଇଥିଲେ ?
ନେତାଜୀଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। କୁହାଯାଏ, ୧୯୪୫ ଅଗଷ୍ଟ ୧୮ ତାରିଖ ଏକ ବିମାନ ଦୁର୍ଘଟଣାରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା। ତାଙ୍କ ଶେଷ ଜୀବନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। କିଏ କୁହନ୍ତି ସେ ଅନେକ ବର୍ଷ ଯାଏ ବଞ୍ଚିଥିଲେ। ନେତାଜୀ ତାଇବାନରୁ ଜାପାନ ପାଇଁ ଉଡ଼ାଣ ଭରିଥିଲେ। ହେଲେ ବିମାନଟି ତାଇବାନ୍ର ରାଜଧାନୀ ତାଇପେରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଟୋକିଓ ଯାଉଥିଲେ। ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ ଜଳି ଯାଇଥିଲା ।
କୁହାଯାଏ, ଏହି ଦୁର୍ଘଟଣାରେ ନେତାଜୀ ଜଳି ଯାଇଥିଲେ। ଜାପାନର ଏକ ଡାକ୍ତରଖାନାରେ ଆଖି ବୁଜିଥିଲେ। ଏକଥା ବି ଶୁଣାଯାଏ, ବିମାନ ଦୁର୍ଘଟଣାରେ ଯେଉଁ ବ୍ୟକ୍ତି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଆଖି ବୁଜିଲେ ସେ ନେତାଜୀ କି ନୁହେଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। କେହି କେହି କୁହନ୍ତି, ସେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ସରକାର ଅନେକ ସମିତି ଗଠନ କରିଛନ୍ତି। ହେଲେ ତାଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରମାଣ ମିଳି ପାରି ନାହିଁ।