ଜିଓର IUC ଚାର୍ଜ କ’ଣ ? ଉପଭୋକ୍ତାଙ୍କ ପକେଟରୁ କେମିତି କଟିବ ପଇସା ଜାଣନ୍ତୁ
ଭୁବନେଶ୍ୱର: ଅକ୍ଟୋବର୍ ୧୦ ତାରିଖରୁ ଟେଲିକମ୍ କମ୍ପାନୀ ଜିଓ ଆଉ ଫ୍ରି କଲ୍ ସୁବିଧା ଦେବନାହିଁ ବୋଲି ଘୋଷଣା କରିଥିଲା। ଏଥିପାଇଁ ଗ୍ରାହକଙ୍କୁ IUC ଚାର୍ଜ ଦେବାକୁ ପଡ଼ିବ। ଜିଓ ରିଚାର୍ଜ ସହିତ IUC ଚାର୍ଜ ପାଇଁ ଗ୍ରାହକ ଅଲଗା ଟକ୍ଟାଇମ୍ ରିଚାର୍ଜ କରିବେ। ଏହି ଖବର ଶୁଣିବା ମାତ୍ରେ ଅନେକ ଗ୍ରାହକ ଘଟଣାଟିକୁ ସମ୍ପୂର୍ଣ୍ଣ ବୁଝିପାରିନଥିଲେ। ଗୋଟିଏ ରିଚାର୍ଜ ପରେ ପୁଣି ଆଉ ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ ବୋଲି ଭାବି ଏବେ ବି ଅନେକ ଗ୍ରାହକ ଦ୍ୱନ୍ଦ୍ୱରେ ଅଛନ୍ତି। ତେଣୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ଜିଓର ଏହି ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅବଗତ କରାଇବୁ।
ଆସନ୍ତୁ ଜାଣିବା IUC (interconnect usage charge) ଶୁଳ୍କ କ’ଣ ?
ଏହା ଟ୍ରାଇ (TRAI- Telecom Regulatory Authority of India) ବା ଭାରତୀୟ ଦୂର ସଂଚାର ନିୟାମକ ପ୍ରାଧିକରଣ ଦ୍ୱାରା ନିର୍ଦ୍ଧାରିତ ଏକ ଶୁକ୍ଳ। ଗୋଟିଏ ଅପରେଟର ଅନ୍ୟ ଏକ ଅପରେଟରକୁ ଏହି ଶୁଳ୍କ ଦେଇଥାଏ। ଯେବେ କୌଣସି ଗ୍ରାହକ ନିଜ ନେଟୱାର୍କରୁ ଅନ୍ୟ ଏକ ନେଟୱାର୍କ ଫୋନ୍ କରିଥାଏ। ତେବେ କଲ୍ କରିଥିବା ନେଟ୍ୱାର୍କ କଲ୍ ଗ୍ରହଣ କରିଥିବା ନେଟ୍ୱାର୍କକୁ ଏହି IUC ଶୁଳ୍କ ଦେଇଥାଏ। ବର୍ତ୍ତମାନ ପାଇଁ ଏହି ଶୁଳ୍କ ମିନିଟ୍ ପ୍ରତି ୬ ପଇସା ରହିଛି।
ଉଦାହରଣ- ଧରନ୍ତୁ ଆପଣ ଜିଓ ନେଟ୍ୱାର୍କ ବ୍ୟବହାର କରୁଛନ୍ତି, ଆଉ ଆପଣଙ୍କ ବନ୍ଧୁ ଏୟାର୍ଟେଲ୍ ବ୍ୟବହାର କରୁଛନ୍ତି। ଆପଣ ନିଜ ଜିଓ ନେଟ୍ୱାର୍କରୁ ବନ୍ଧୁଙ୍କ ଏୟାର୍ଟେଲ୍କୁ କଲ୍ କଲେ। ବନ୍ଧୁ କଲ୍ ରିସିଭ୍ କରିବା ମାତ୍ରେ, ଜିଓ ନେଟୱାର୍କ ଏୟାରଟେଲ୍କୁ ଏହି IUC ଚାର୍ଜ ଦେବ।
IUC ଶୁଳ୍କ କାହିଁକି ଲଗାଇଲା ଜିଓ ?
ପୂରା ଘଟଣା ହେଉଛି, ଦୁଇ ବର୍ଷ ପୂର୍ବରୁ ଟ୍ରାଇ IUC ଶୁଳ୍କ ମିନିଟକୁ ୬ ପଇସା କଟିବ ବୋଲି ଘୋଷଣା କରିଥିଲା। କେବଳ ସେତିକି ନୁହେଁ, ୨୦୨୨ ଜାନୁଆରୀ ୧ତାରିଖରେ ଏହି ଶୁଳ୍କ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଠାଇଦେବାକୁ ପାର୍ଲାମେଣ୍ଟରେ ଲିଖିତ ଭାବରେ ଦେଇଥିଲା ଟ୍ରାଇ। ଏହି ଆଗୁଆ ଘୋଷଣା ଦେଖି ଜିଓ ସବୁ କଲ୍ ଫ୍ରି କରିଦେଇଥିଲା। କିନ୍ତୁ ଏବେ ଟ୍ରାଇ ନିଜର ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବ ବୋଲି କହିବା ପରେ ଜିଓ ତାର ନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ କହିଛି।
ତେବେ ଜିଓର ଏହି ଫ୍ରି କଲ୍ରେ ଘୋଷଣା ପରେ ଉପଭୋକ୍ତା ଆଉଟ୍ ଗୋଇଂ କଲ୍ ଫ୍ରି ପାଉଥିବା ବେଳେ କମ୍ପାନୀ ପ୍ରତି କଲ୍ରେ ମିନିଟ୍ ପିଛା ୬ ପଇସା IUC ଶୁଳ୍କ ଦେଉଥିଲା। ଯଦି ଜିଓ ନେଟ୍ୱାର୍କକୁ ଆଉଟ୍ ଗୋଇଂ କଲ୍ ଓ ଇନ୍କିମଂ କଲ୍ ସମାନ୍ ପରିମାଣରେ ଆସିଥାନ୍ତା, ତେବେ କୌଣସି ସମସ୍ୟା ନଥାନ୍ତା। କିନ୍ତୁ ଜିଓ କହିବାର କଥା ହେଲା ପ୍ରତିଦିନ ଜିଓ ନେଟୱାର୍କକୁ ୨୫ରୁ ୩୦ କୋଟିର ମିଶ୍କଲ୍ ଆସିଥାଏ। ଆଉ ଜିଓ ଗ୍ରାହକମାନେ ସେମାନଙ୍କୁ କଲ୍ କରିଥାନ୍ତି। ଏହିପରି ଜିଓକୁ ଆସୁଥିବା ଇନ୍କମିଂ କଲ୍ ଆଉଟ୍ ଗୋଇଂରେ ପରିଣତ ହୋଇଯାଏ। ଆଉ କମ୍ପାନୀକୁ ଅନ୍ୟ ନେଟ୍ୱାର୍କକୁ IUC ଶୁଳ୍କ ଦେବାକୁ ପଡ଼ିଥାଏ। ଏହିପରି ଭାବେ ଜିଓ କମ୍ପାନୀକୁ ୧୩ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ପ୍ରତି ମାସରେ କମ୍ପାନୀ ପ୍ରାୟ ୨୦୦ କୋଟି IUC ଶୁଳ୍କ ଦେଉଛି ବୋଲି କମ୍ପାନୀ କହିଛି।
ଗ୍ରାହକଙ୍କ ଉପରେ ଏହାର ପ୍ରଭାବ
ଜିଓ ଏହି ପଇସା ଏବେ ଗ୍ରାହକଙ୍କ ଖାତାରୁ କାଟିବ। ୨୦୧୯ ଅକ୍ଟୋବର ୧୦ ପରେ ଗ୍ରାହକ ଯେବେ ବି ରିଚାର୍ଜ କରିବେ ସେତେବେଳେ IUC ଟପ୍ଅପ ଭାଉଚର, କଣିବାକୁ ପଡ଼ିବ। ଏହି ଭାଉଚର୍ ୧୦ରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟରେ ଉପଲବ୍ଧ ହେବ। ପ୍ରତ୍ୟେକ ଭାଉଚର୍ ଆପଣଙ୍କ ଆକାଉଣ୍ଟରେ ଅତିରିକ୍ତ ଟକ୍ ଟାଇମ୍ ଯୋଡ଼ିଦେବ। ଆଉ ଯେତେବେଳେ ଆପଣ ଅନ୍ୟ ନେଟ୍ୱାର୍କକୁ ଫୋନ୍ କରିବେ ସେତେବେଳେ ଏହି ଅତିରିକ୍ତ ଟକ୍ଟାଇମ୍ରୁ ମିନିଟ୍ ପ୍ରତି ୬ ପଇସା କଟିଯିବ। ତେବେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଜିଓ ଅନ୍ୟ ଏକ ଘୋଷଣା ବି କରିଛି। ପ୍ରତି ଟପ୍ଅପ ଭାଉଚର ପାଇଁ ଅଧିକ ଡାଟା ଅଫର ଦେବାକୁ ଘୋଷଣା କରିଛି କମ୍ପାନୀ।
ଅଫରଗୁଡ଼ିକ ହେଲା- ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ବ୍ରଡ୍ବ୍ୟାଣ୍ଡ ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ।
ଏଠି କହିରଖୁଛୁ ଯେ ଯଦି ଆପଣ କେବଳ ଜିଓ ନେଟ୍ୱାର୍କକୁ କଲ୍ କରୁଛନ୍ତି ତେବେ ଆପଣଙ୍କୁ କୌଣସି IUC ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏଥିସହିତ ବୁଦ୍ଧିମାନ କଷ୍ଟମରମାନେ ହ୍ୱାଟ୍ସଆପ୍ ମେସେଜ୍ ଦ୍ୱାରା ଏହି ଅତିରିକ୍ତ ବୋଝରୁ ରକ୍ଷା ପାଇପାରିବେ।