ମନେପଡ଼େ ସେଇ ମହାନ ଗୁରୁଙ୍କ କଥା

( ପ୍ରଦୀପ ଭାରତୀ) : ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଛାତ୍ରଛାତ୍ରୀ ତଥା ବିଭିନ୍ନ ବର୍ଗର ଲୋକ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସମ୍ମାନ ଓ ଭକ୍ତି ଜଣାଇଥାନ୍ତି। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ସମାଜରେ ଗୁରୁମାନଙ୍କ ସ୍ଥାନ ସବୁବେଳେ ଆଗରେ ରହିଆସିଛି। କାରଣ ଗୁରୁମାନେ ହିଁ ସେମାନଙ୍କ ଉଦ୍ୟମ ବଳରେ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ବାଟ କଢାଇ ନେଇଥାନ୍ତି। ସେଥିପାଇଁ ତ ଗୁରୁମାନଙ୍କୁ ସମାଜର ମେରୁଦଣ୍ଡ ବୋଲି କୁହାଯାଇଥାଏ। ସେମିତି ଇତିହାସର କେତେଜଣ ଗୁରୁ ସେମାନଙ୍କ ମହାନତା ପାଇଁ ଆଜି ବି ମନେପଡ଼ନ୍ତି। ଆସନ୍ତୁ ଏହି ଗୁରୁ ଦିବସରେ ସେହି ମହାନ ଗୁରୁଙ୍କ ବିଷୟରେ ଜାଣିବା –

ଦ୍ରୋଣାଚାର୍ଯ୍ୟ– କୌରବ ଓ ପାଣ୍ଡବ ମାନଙ୍କର ଗୁରୁ ଥିବା ଦ୍ରୋଣାଚାର୍ଯ୍ୟ ଭାରତୀୟ ଇତିହାସରେ ମହାନ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ। କୁହାଯାଏ ଦ୍ରୋଣାଚାର୍ଯ୍ୟଙ୍କ ଜନ୍ମ ଉତ୍ତରାଖଣ୍ଡର ଡେରାଡୁନ୍‌ରେ ହୋଇଥିଲା। ସେ କୌରବ ଓ ପାଣ୍ଡବ ମାନଙ୍କୁ ଧନୁର୍ବିଦ୍ୟା ଶିଖାଉଥିଲେ। ତାଙ୍କ ବିଦ୍ୟା ଦ୍ୱାରା ସେ ଅର୍ଜୁନଙ୍କୁ ଜଣେ ପରାକ୍ରମୀ ଯୋଦ୍ଧା କରିପାରିଥିଲେ। ଏହାଛଡା ତାଙ୍କର ବିଦ୍ୟା ଦ୍ୱାରା ହିଁ ଏକଲବ୍ୟ ଧନୁ ଚାଳନାରେ ପ୍ରବୀଣ ହୋଇପାରିଥିଲେ।

ଗୁରୁ ବଶିଷ୍ଠ– ଗୁରୁ ବଶିଷ୍ଠ ରାଜା ଦଶରଥଙ୍କ ଚାରି ପୁତ୍ରଙ୍କର ଗୁରୁ ଥିଲେ। ବଶିଷ୍ଠଙ୍କ କଥାରେ ହିଁ ରାକ୍ଷସ ମାନଙ୍କୁ ବଦ୍ଧ କରିବା ପାଇଁ ଦଶରଥ ତାଙ୍କର ପୁତ୍ରମାନଙ୍କୁ ଋଷି ବିଶ୍ୱାମିତ୍ରଙ୍କ ସହିତ ଆଶ୍ରମକୁ ପଠାଇଥିଲେ। ଗୁରୁ ବଶିଷ୍ଠଙ୍କୁ ରାଜା ହେବା ବ୍ୟତୀତ ଯେଉଁ ସମ୍ମାନ ମିଳୁଥିଲା, ରାଜାଙ୍କ ପଦ ମଧ୍ୟ ସେଠାରେ ଛୋଟ ଲାଗୁଥିଲା।

ମହର୍ଷି ବେଦବ୍ୟାସ– ବେଦବ୍ୟାସ ମହାଭାରତର ରଚୟତା ଥିଲେ। ମହର୍ଷି ବେଦବ୍ୟାସଙ୍କର ଜନ୍ମ ତ୍ରେତୟା ଯୁଗର ଶେଷ ଆଡକୁ ହୋଇଥିଲା। ସେ ପୁରା ଦ୍ୱାପର ଯୁଗ ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ ବୋଲି କୁହାଯାଏ। ମହର୍ଷି ବେଦବ୍ୟାସ କେବଳ ମହାଭାରତର ରଚୟିତା ନଥିଲେ ,ସେ ଏହାର ସାକ୍ଷୀ ମଧ୍ୟ ଥିଲେ।

ପର୍ଶୁରାମ– ପର୍ଶୁରାମଙ୍କୁ ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ବୋଲି କୁହାଯାଏ। ପ୍ରବଳ ପ୍ରତାପୀ ପର୍ଶୁରାମ ଯେମିତି ପିତାଙ୍କ ଆଦେଶ କ୍ରମେ ନିଜ ମାତାଙ୍କର ଗଳା କାଟିଦେଇଥିଲେ, ସେମିତି ମଧ୍ୟ ପିତାଙ୍କ ଠାରୁ ମାତାଙ୍କୁ ଜୀବିତ କରାଇବା ବର ମାଗିନେଇଥିଲେ। ଗୁରୁ ଭାବେ ସେ ମଧ୍ୟ ଭୀଷ୍ମ, ଦ୍ରୋଣ ଓ କର୍ଣ୍ଣଙ୍କ ଭଳି ମହାରଥୀମାନଙ୍କୁ ବିଦ୍ୟାଶିକ୍ଷା ଦେଇଥିଲେ।

 ଚାଣକ୍ୟ– ଚାଣକ୍ୟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ମହାମନ୍ତ୍ରୀ ଥିଲେ। ସେ କୌଟିଲ୍ୟ ନାମରେ ମଧ୍ୟ ଜଣାଥିଲେ। ଚାଣକ୍ୟଙ୍କ ନାମରେ ଏକ ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ ବି  ପ୍ରଚଳିତ ହେଉଛି। ସେ ନନ୍ଦ ବଂଶକୁ ଧ୍ୱଂସ କରିବା ସହିତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା ବନାଇଥିଲେ।

You might also like