ଭାରତ ମାଟିରୁ ଇଂରେଜମାନଙ୍କୁ ତଡ଼ିବାକୁ ଏମିତି କହିଥିଲେ ନେତାଜୀ

ସେ ଥିଲେ ଭାରତ ମାଆର ଜଣେ ସଚ୍ଚା ସୈନିକ। ଯାହାଙ୍କ ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ। ଆଗକୁ ଆସିବା ତ ଦୂରର କଥା ଛତ୍ରଭଙ୍ଗ ଦେଉଥିଲେ ଇଂରେଜମାନେ । ଆଉ ଟେକାର ଜବାବ ପଥରରେ ଦେବାକୁ ସେ କେବେ ପଛାଉ ନଥିଲେ। ଆମେ କହୁଛୁ ଭାରତର ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। କଟକର ଓଡ଼ିଆ ବଜାରରେ ଜନ୍ମିତ ସୁଭାଷ ଥିଲେ ଓଡ଼ିଶାର ବୀରପୁତ୍ର। ଆଇନଜୀବୀ ଜାନକୀ ନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ପୁଅ ହୋଇଥିଲେ ବି ସୁଭାଷ ହେଉଛନ୍ତି ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ। ସମଗ୍ର ବିଶ୍ଵର ସେ ହେଉଛନ୍ତି ନେତାଜୀ।

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ସିଲଭର ସିଟି କଟକରେ ଜନ୍ମ ନେଇଥିଲେ ସୁଭାଷ ବୋଷ। ଚଉଦ ଭାଇ-ଭଉଣୀଙ୍କ ମଧ୍ୟରେ ନେତାଜୀ ଥିଲେ ନବମ। ବାପଟିଷ୍ଟ ମିଶନ ଦ୍ୱାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ଇଉରୋପିଆନ ସ୍କୁଲରେ ସେ ସ୍କୁଲ ଜୀବନ ଆରମ୍ଭ କରିଥିଲେ। ଆଉ ୧୯୦୯ରେ ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତରଣ ପରେ ୧୯୧୩ରେ ସେ ମ୍ୟାଟ୍ରିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ। ମାଧ୍ୟମିକ ଶିକ୍ଷା ସମାପ୍ତ ପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥଲେ। ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକଙ୍କ ଭାରତ ବିରୋଧୀ ମନ୍ତବ୍ୟ ତାଙ୍କୁ ଦେଶପ୍ରେମର ମୂଳଦୁଆ ପକାଇବାକୁ ବାଧ୍ୟ କରିଥିଲା। ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅଧ୍ୟାପକଙ୍କୁ ଦୁର୍ବ୍ୟବହାର କରିବାକୁ ସେ ପଛାଇ ନଥିଲେ। ଏଥିପାଇଁ ତାଙ୍କୁ କଲେଜରୁ ବହିଷ୍କୃତ କରାଗଲା।

୧୯୧୯ରେ ପିତାଙ୍କ କଡ଼ା ତାଗିଦ ପରେ ଉଚ୍ଚ ଶିକ୍ଷା ପାଇଁ ବିଲାତ ଗଲେ। ଆଉ ୧୯୨୦ ମସିହାରେ ଆଇ.ସି.ଏସ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତାଲିମ ନେଉଥିବା ବେଳେ ଭାରତରେ ଘଟିଥିଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ଏହା ଶୁଣି ଅଧାରୁ ତାଲିମ ଛାଡ଼ି ସେ ଫେରିଥିଲେ ଭାରତ।

ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହେଲେ। ପରବର୍ଷ ଅର୍ଥାତ ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ଗିରଫ ହୋଇ ଜେଲରେ ରହିଲେ। ତେବେ ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଗଲା। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସ ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମାୟାଙ୍କୁ ହରାଇ ସେ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ରେ ପୁଣି ଥରେ ସେହି ପଦବୀକୁ ନିର୍ବାଚିତ ହୋଇ ରେକର୍ଡ କଲେ।

ସଶସ୍ତ୍ର ଆନ୍ଦୋଳନ ଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରି ହେବ। ଏହା ଭାବି ୧୯୩୯ରେ ଫରୱାର୍ଡ଼ ବ୍ଳକ ନାମରେ ଏକ ନୂତନ ଦଳ ଗଠନ କଲେ ନେତାଜୀ। ଉଗ୍ରନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାରେ ନଜର ବନ୍ଦୀ ରଖିଥିଲେ। ସ୍ଵାଧୀନତା ପାଇଁ ଦେଶ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ରେ ସେ ଆଫଗାନିସ୍ଥାନ ଓ ସୋଭିଏତ ଋଷ ଦେଇ ବର୍ଲିନରେ ପହଞ୍ଚିଲେ। ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତ ସ୍ଵାଧୀନତା ପାଇଁ ସାହାଯ୍ୟ ମାଗିଥିଲେ। ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରି ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ସାରା ଭାରତକୁ ଏକଜୁଟ କଲେ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନ, ବର୍ମା, ମାଳୟର ପ୍ରବାସୀ ଭାରତୀୟଙ୍କୁ ଏକତ୍ରିତ କରି ଭାରତୀୟ ସ୍ଵାଧୀନତା ଲିଗ ଗଠନ କଲେ। ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କରି ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ଗଠନ କଲେ। ଆଉ ଆହ୍ଵାନ ଦେଲେ ଦିଲ୍ଲୀ ଚଲୋ। ଏହା ସହିତ ସୁଭାଷ ଆରମ୍ଭ କଲେ ଆଜାଦ ହିନ୍ଦ ଫୌଜର ଅଭିଯାନ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା। ମଣିପୁରର ଇମ୍ଫାଲଠାରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆଜାଦ ହିନ୍ଦ ଫୌଜ ଉପରେ ଆକ୍ରମଣ କରି ତାଙ୍କୁ ପରାସ୍ତ କରିବାରେ ସକ୍ଷମ ହେଲେ।

ଆଜି ଭାରତ ମାଆର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷ ଜୀବିତା ନା’ ମୃତ ତାହାର ତଥ୍ୟ କାହା ପାଖରେ ନାହିଁ। ଶାହନୱାଜ କମିଟି, ଖୋସଲା କମିଶନ, ମୂଖାର୍ଜୀ କମିଶନ ପରି ଅନେକ କମିଶନ ଅଫ ଇନକ୍ଵାରି ବସିଥିଲେ ମଧ୍ୟ ସଠିକ କଥା ପଦାକୁ ଆସି ପାରିନାହିଁ।

 

You might also like