ପୁଣି ମାଗଣା କଲ୍ ସେବା ଆରମ୍ଭ କରିବ ଜିଓ
ନୂଆଦିଲ୍ଲୀ: ନୂଆ ବର୍ଷରେ ଗ୍ରାହକଙ୍କୁ ଜିଓର ଜବରଦସ୍ତ ଉପହାର। ପୁଣିଥରେ ଅନ୍ୟ ନେଟ୍ୱର୍କକୁ ମାଗଣା କଲ୍ ସେବା ଆରମ୍ଭ କରିବାକୁ ଯାଉଛି ରିଲାଏନ୍ସ ଜିଓ। ଗୁରୁବାର ଏନେଇ ଘୋଷଣା କରିଛି କମ୍ପାନୀ। ଜାନୁଆରୀ ୧ ତାରିଖରୁ ଏହି ସେବା ଲାଗୁ ହେବ।
ପୂର୍ବରୁ ଏହି ସୁବିଧା ଜିଓ ଗ୍ରାହକଙ୍କ ପାଇଁ ଉପଲବ୍ଧ ଥିଲା। କିନ୍ତୁ ବ୍ୟବସାୟରେ କ୍ଷତି ଦର୍ଶାଇ କମ୍ପାନୀ ଏହାକୁ ଦେୟଯୁକ୍ତ କରି ଦେଇଥିଲା। ଜିଓ ନେଟ୍ୱାର୍କରୁ ଅନ୍ୟ ନେଟୱର୍କକୁ କଲ୍ କରୁଥିଲେ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗୁଥିଲା। ତା’ ସହିତ ବିଭିନ୍ନ ଟପ୍ଅପ୍ ପ୍ଲାନ୍ ମଧ୍ୟ ଲଞ୍ଚ୍ କରିଥିଲା କମ୍ପାନୀ। ଆଉ ଏବେ ପୁଣିଥରେ ଗ୍ରାହକଙ୍କ ପାଇଁ ମାଗଣା କଲ୍ ସେବା ଆରମ୍ଭ କରିବାକୁ ଯାଉଛି ଜିଓ କମ୍ପାନୀ।
ଜାନୂଆରୀ ୧ ତାରିଖ ଠାରୁ ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ବା ଟ୍ରାଇ ‘ବିଲ୍ ଆଣ୍ଡ୍ କିପ୍’ ବ୍ୟବସ୍ଥାରେ ଆଇୟୁସି (ଇଣ୍ଟର କନେକ୍ଟ ୟୁଜେସ୍ ଚାର୍ଜ)କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଜିଓ ଗ୍ରାହକଙ୍କୁ ପୁଣିଥରେ ମାଗଣା କଲ୍ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଜାନୁଆରୀ ୧ ତାରିଖ ଠାରୁ ଦେଶର ସମସ୍ତ ଗ୍ରାହକ ଅନ୍ୟ ନେଟୱର୍କକୁ ମାଗଣା କଲ୍ କରିପାରିବେ।
ସେପ୍ଟେମ୍ବର ମାସ ୨୦୧୯ରେ ଜିଓ ଟ୍ରାଇର IUC ଚାର୍ଜ କଥା କହି ଅନ୍ୟ ନେଟ୍ୱର୍କକୁ କଲ୍ ପାଇଁ ଗ୍ରାହକଙ୍କ ପାଖରୁ ଚାର୍ଜ୍ ନେବା ଆରମ୍ଭ କରିଥିଲା। ଟ୍ରାଇର ନିୟମ ପାଇଁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ ବାବଦରେ କମ୍ପାନୀ ଅନ୍ୟ ନେଟ୍ୱାର୍କକୁ ୧୩,୫୦୦ କୋଟି ଟଙ୍କା ଦେଇଛି ବୋଲି କମ୍ପାନୀ କହିଥିଲା। ଏବେ ଟ୍ରାଇ ଏହି ନିୟମ ରଦ୍ଦ କରିବାରୁ ପୁଣିଥରେ ମାଗଣା କଲ୍ ସେବା ଅରମ୍ଭ କରିବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ତେବେ କେବଳ ଜିଓ ନୁହେଁ, ଅନ୍ୟ କମ୍ପାନୀମାନେ ମଧ୍ୟ ଅନ୍ୟ ନେଟ୍ୱର୍କକୁ କଲ୍ ଚାର୍ଜ ନେଉଥିଲେ। ଏଥିପାଇଁ କିଛି ନୂଆ ପ୍ଲାନ ମଧ୍ୟ ଆରମ୍ଭ କରିଥିଲେ। ଏବେ ଟ୍ରାଇ ଏହି ନିୟମ ଉଠାଇ ଦେବାରୁ ଅନ୍ୟ କମ୍ପାନୀ ମଧ୍ୟ ଖୁବ୍ଶୀଘ୍ର ମାଗଣା କଲ ସେବା ଆରମ୍ଭ କରିବେ ବୋଲି ଆଶା କରାଯାଉଛି।
ସୂଚନା ଅନୁସାରେ, ଟ୍ରାଇ ୨୦୧୭ରେ ଆଇୟୁସି (ଇଣ୍ଚରକନେକ୍ଟ ୟୁଜେସ ଚାର୍ଜ) ୧୪ ପଇସାରୁ ୬ ପଇସା କରିଥିଲା। ତେବେ ୨୦୧୯ସୁଧା ଆଇୟୁସି ଲାଗିବ ନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା ହୋଇଯିବ ବୋଲି ଟ୍ରାଇ ପକ୍ଷରୁ କହୁଯାଇଥିଲା। କିନ୍ତୁ ପରେ ଆଇୟୁସି ଅବଧିକୁ ବୃଦ୍ଧି କରିଥିଲା ଟେଲିକମ୍ ରେଗୁଲେଟୋରୀ ଅଥୋରିଟି। ଫଳରେ ଜିଓ ପକ୍ଷରୁ ମଧ୍ୟ ଅନ୍ୟ ନେଟ୍ୱର୍କ କଲ୍ ପାଇଁ ଗ୍ରାହକଙ୍କ ପାଖରୁ ୬ ପଇସା ନିଆଗଲା। କମ୍ପାନୀର ଏହି ନିଷ୍ପତ୍ତିକୁ ସେତେବେଳେ ଖୁବ୍ ସମାଲୋଚନା କରିଥିଲେ ଗ୍ରାହକ। ବ୍ୟବସାୟରେ ଶସ୍ତା ଦେଇ ଜିଓ ଅନ୍ୟ କମ୍ପାନୀଗୁଡ଼ିକୁ ରେସ୍ରୁ ବାହାର କରିଦେଇ ମନମାନି ଚଳାଇଛି ବୋଲି ଅଭିଯୋଗ କରିଥିଲେ ଲୋକ।
ଆହୁରି ପଢନ୍ତୁ :
ମୁକେଶ ଅମ୍ବାନୀଙ୍କୁ ବଡ଼ ଝଟକା। ସବୁଠାରୁ ଧନୀ ବ୍ୟକ୍ତିର ତାଜ୍ ଛଡ଼ାଇନେଲେ ୱାଟର କିଙ୍ଗ୍ ରୂପେ ପରିଚିତ ଚୀନ ଉଦ୍ୟୋଗପତି
ତେବେ କମ୍ପାନୀ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, କମ୍ପାନୀ ଗ୍ରାହକଙ୍କ ପାଖରୁ IUC ଚାର୍ଜ ନେଇ ନଥାନ୍ତା, ଯଦି ଗ୍ରାହକ ଅନ୍ୟ ନେଟ୍ୱର୍କରୁ ଆସୁଥିବା କଲ୍କୁ ରିସିଭ୍ କରିଥାନ୍ତେ। କିନ୍ତୁ ଗ୍ରାହକ ଏପରି କଲେ ନାହିଁ। ଅନ୍ୟ ନେଟୱର୍କରୁ ଆସୁଥିବା କଲ୍ ରିସିଭ୍ ନ କରି ଜିଓରୁ କଲ୍ ବ୍ୟାକ୍ କଲେ। ଫଳରେ କମ୍ପାନୀକୁ ଅନ୍ୟ ନେଟ୍ୱର୍କକୁ IUC ଚାର୍ଜ ଦେବାକୁ ପଡ଼ିଲା। ଏଥିପାଇଁ କମ୍ପାନୀକୁ ୧୩,୫୦୦ ଟଙ୍କା କ୍ଷତି ସହିବାକୁ ପଡ଼ିଥିଲା। ଏବେ ଟ୍ରାଇ IUC ଚାର୍ଜ ହଟାଇ ଦେବାରୁ ପୁଣିଥରେ ଜିଓର ମାଗଣା କଲ୍ ସେବା ଆରମ୍ଭ ହେବ। ତେବେ ଅନ୍ୟ କମ୍ପାନୀ କେବେ ଏହି ସୁବିଧା ଆରମ୍ଭ କରିବେ ତାକୁ ଅପେକ୍ଷା।