ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା

୧୨ରେ ହାତଗଣ୍ଠି ପଡିବା ଆଗରୁ ଉଦୟପୁରରେ ଚାଲିଛି ବିବାହ ପୂର୍ବର ରୀତିନୀତି

ରାଜସ୍ଥାନ  : ରାଜସ୍ଥାନ ଉଦୟପୁରରେ ଅଦିନିଆ ଉତ୍ସବ। ମାଳ ମାଳ ସେଲିବ୍ରିଟିଙ୍କ ଉପସ୍ଥିତିରେ ଚମକୁଛି ପରିବେଶ। ଉଦୟପୁରର ଓବରୋଇ ଉଦୟ ବିଳାସ ଓ ସିଟି ପାଲେସ ହୋଟେଲରେ ଚାଲିଛି ଦେଶର ସବୁଠୁ ବଡ଼ ଧନୀ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ପ୍ରି-ୱେଡିଂ ସେରିମନି।

୪ ଦିନ ଧରି ଚାଲିଥିବା ଏ ଉତ୍ସବରେ ଏକାଠି ହୋଇଛନ୍ତି ଦେଶର ସବୁ ନାମୀଦାମୀ ସେଲିବ୍ରିଟି। ଖାଲି ଦେଶ ନୁହେଁ, ଦେଶ ବାହାରୁ ବି ସାମିଲ ହୋଇଛନ୍ତି ବଡ଼ ବଡ଼ ହସ୍ତୀ। ଇଶା ଓ ତାଙ୍କ ଭାବି ସ୍ୱାମୀ ଆନନ୍ଦ ପିରାମଲଙ୍କ ଏହି ପ୍ରି-ୱେଡିଂର ପାର୍ଟ ହେବା ପାଇଁ ଯେମିତି ଉଦୟପୁର ପାଲଟିଯାଇଛି ଷ୍ଟାରର କ୍ଷେତ୍ର।

ଗତକାଲି ଉତ୍ସବରେ ସାମିଲ ହୋଇଥିଲେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ପତ୍ନୀ ଅଞ୍ଜଳି, ଏମ୍. ଏସ୍. ଧୋନୀ ଓ ପତ୍ନୀ ସାକ୍ଷୀ ଏବଂ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ଙ୍କ ସହ ଆହୁରି ଅନେକ ତାରକା ଦମ୍ପତି। ତେବେ ମୁଖ୍ୟ ଆକର୍ଷଣ ଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କିଣ୍ଟନଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନ୍।

ସେହିଭଳି ଆଜି ଉତ୍ସବକୁ ସରଗରମ୍‌ କରିଛି ତିନି ଖାନ୍‌ଙ୍କ ଉପସ୍ଥିତି। ଶାହରୁଖ୍, ସଲମାନ ଓ ଆମୀର ଉଦୟପୁର ଯାଇ ପ୍ରି-ୱେଡିଂ ସେରିମନିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ଭିତରେ ବଚ୍ଚନ ପରିବାର, କାପୁର ଖାନଦାନର ସଦସ୍ୟ ଓ ରବିନା ଟଣ୍ଡନଙ୍କୁ ବି ଦେଖିବାକୁ ମିଳିଛି।

ଗତକାଲି ସନ୍ଧ୍ୟାରେ ଏ ଉତ୍ସବରେ ଅନ୍ୟତମ ଆକର୍ଷଣ ଥିଲା ସଙ୍ଗୀତ ନାଇଟ୍। ଯେଉଁଥିରେ ଖାଲି ଇଶା କି ତାଙ୍କ ଭାବି ସ୍ୱାମୀ ଆନନ୍ଦ ନୁହଁନ୍ତି, ନିଜେ ମୁକେଶ ଓ ପତ୍ନୀ ନୀତାଙ୍କ ଡ୍ୟାନ୍ସ ଉପସ୍ଥିତ ଅତିଥିଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା।

You might also like