ଅନ୍ଲାଇନ୍ କ୍ଲାସ୍ ଯୋଗୁ ସ୍କୁଲ୍ ଛାଡ଼ିବେ କି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ? ଜାଣନ୍ତୁ କ’ଣ କହୁଛି ସର୍ଭେ
ଭୁବନେଶ୍ୱର: ଅନ୍ଲାଇନ୍ କ୍ଲାସ୍ ଯୋଗୁ ସ୍କୁଲ୍ ଛାଡ଼ି ପାରନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ବିଶେଷ କରି ଯେଉଁମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ି ପାରନ୍ତି। ଏଭଳି କିଛି ଆକଳନ କରିଛି ‘ସ୍ୱାଭିମାନ’, ଓଡ଼ିଶା ଷ୍ଟେଟ୍ ଡିଜାବିଲିଟି ନେଟୱର୍କ ଏବଂ ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍ ରିସର୍ଚ୍ଚ (CFAR) ସଂସ୍ଥା। ଏହି ସଂସ୍ଥାମାନଙ୍କ ସହଯୋଗରେ ସର୍ଭେ କରି ‘ସ୍ବାଭିମାନ’ ଏଭଳି ତଥ୍ୟ ସାମ୍ନାକୁ ଆଣିଛି।
ସଂସ୍ଥା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଯାହା ଏବେ ଅନ୍ଲାଇନ୍ ପାଠପଢ଼ା ପରେ ସୃଷ୍ଟି ହୋଇଥିବା ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି। ସର୍ଭେରୁ ଜଣାପଡ଼ିଛି, କେବଳ ୫୬.୫% ଛାତ୍ରଛାତ୍ରୀ ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି। ସେହିଭଳି ଅନ୍ଲାଇନ୍ କ୍ଲାସ୍ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୭% ଏହାକୁ ଗ୍ରହଣ କରିନପାରି ପଛରେ ପଡ଼ିଯିବା ନେଇ ମତ ରଖିଛନ୍ତି। ୮୬% ଟେକ୍ନୋଲୋଜି ବ୍ୟବହାର କରି ଜାଣି ନାହାନ୍ତି। ୬୪%ଙ୍କ ଘରେ ସ୍ମାର୍ଟ ଫୋନ୍ କିମ୍ବା ଲାପଟପ୍ ନାହିଁ।
ସେହିପରି ଛାତ୍ରଛାତ୍ରୀ ମାନେ ନିୟମିତ କ୍ଲାସ୍ ଯୋଗ ନ ଦେବାର କାରଣ ବି ଏହି ସର୍ଭେରେ ସାମ୍ନାକୁ ଆସିଛି। ୭୧% ଲୋକେ କହିଛନ୍ତି, ଘରେ ସ୍ମାର୍ଟ ଫୋନ୍ ଥିଲେ ବି ଅଭିଭାବକ ଏହାର ବ୍ୟବହାର ଜାଣି ନାହାନ୍ତି। ଏପରିକି ଦେଶରେ ୬୧% ଲୋକେ ଏଭଳି ଅଛନ୍ତି ଯେଉଁମାନେ ସ୍ମାର୍ଟ ଫୋନ୍ କିଣିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସର୍ଭେରୁ ଜଣାପଡ଼ିଛି।
ଯଦି ଏହି ସର୍ଭେର ତଥ୍ୟକୁ ଅନୁଧ୍ୟାନ କରିବା, ତେବେ ଏହା ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲକ୍ଡାଉନ୍ ପରେ ସ୍କୁଲ, ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରେ ସରକାରୀ, ଘରୋଇ ଶିକ୍ଷାନୁଷ୍ଠାନ ଅନ୍ଲାଇନ୍ରେ କ୍ଲାସ୍ ହେଉଛି।