ଯାତ୍ରୀଙ୍କୁ ଭାରତୀୟ ରେଳବାଇର ନୂଆବର୍ଷ ଉପହାର, ମାତ୍ର କିଛି ସେକେଣ୍ଡରେ ବୁକ୍ ହେବ ରେଳ ଟିକେଟ୍
ମିଳିବ ନୂଆ ଫିଚର୍ସ, ଆଜି IRCTCର ନୂଆ ୱେବସାଇଟ୍ ଲଂଚ
ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ । କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ (Railway Minister Piyush Goyal) । ନୂଆ ୱେବସାଇଟରେ ଟିକେଟ ବୁକିଂକୁ ଅଧିକ ସହଜ କରିବାର ଫିଚର ରହିବ । ଅନେକ ପରିବର୍ତ୍ତନ ସହ ଏହି ୱେବସାଇଟରେ କ୍ଷଣିକ ମଧ୍ୟରେ ଟିକେଟ ବୁକିଂ କରିହେବ ବୋଲି ସୂଚନା ମିଳିଛି ।
ୱେବସାଇଟ୍ ଅପଗ୍ରେଡ଼୍ ହେବା କାରଣରୁ ସହଜରେ ହେବ ଟିକେଟ୍ ବୁକିଂ . .
- IRCTC ର ୱେବସାଇଟ୍ ଓ ଆପ୍ ଅପଗ୍ରେଡ଼୍ ହେବା ପରେ ଯାତ୍ରୀ ପୂର୍ବ ତୁଳନାରେ ଅଧିକ ବେଗରେ ଓ ବିନା କୌଣସି ଅସୁବିଧାରେ ଟିକେଟ ବୁକ୍ କରିପାରିବେ ।
- ଇ-ଟିକେଟିଂ ୱେବସାଇଟରେ ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅଧିକ କାମ କରାଯାଉଛି ।
- ଆଇଆରସିଟିସିର ନୂଆ ୱେବସାଇଟରେ ଯାତ୍ରୀଙ୍କ ପାଇଁ ଉଚ୍ଚମାନର ଫିଚର୍ସ ଖଞ୍ଜା ଯାଇଛି, ଯଦ୍ୱାରା ଟିକେଟ୍ ବ୍ୟବସ୍ଥା ଆହୁରି ସରଳ ହେବ ।
- ଟିକେଟ୍ ବୁକ୍ କରିବା ସହ ଖାଇବା ସାମଗ୍ରୀ ବୁକ୍ କରିବା ପାଇଁ ଭିନ୍ନ ଭିଚର ଦିଆଯିବ, ଯଦ୍ୱାରା ଆପଣ ନିଜ ମନ ପସନ୍ଦର ଖାଦ୍ୟ ଅର୍ଡ଼ର କରିପାରିବେ ।
- ଅଧିକ ୟୁଜର ଏକ ସମୟରେ ୱେବସାଇଟ୍ ବ୍ୟବହାର କଲେ ସୁଦ୍ଧା ହ୍ୟାଙ୍ଗ ହେବ ନାହିଁ ୱେବସାଇଟ୍ ।
- ୱେବସାଇଟରେ ତୁଳାନାତ୍ମକ ଭାବେ ପୂର୍ବାପେକ୍ଷା ଅଧିକ ଆଡ଼୍ ଆସିବ, ଯଦ୍ୱାରା ଅଧିକ ରାଜସ୍ୱ ମଧ୍ୟ ମିଳିବ ।
- ନୂଆ ୱେବସାଇଟରେ ପ୍ରତି ମିନିଟରେ ୧୦ହଜାରରୁ ଅଧିକ ଟିକେଟ୍ ବୁକ୍ କରାଯାଇପାରିବ । ପୂର୍ବରୁ ମାତ୍ର ଏକ ମିନିଟରେ ୭୫୦୦ ଟିକେଟ ବୁକ୍ ହୋଇପାରୁଥିଲା ।
IRCTC ଆରମ୍ଭ ହେଲା ନୂଆ ସୁବିଧା ‘Book now pay later’
ସେହିପରି IRCTC ଏକ ନୂତନ ପୋଷ୍ଟପେଡ୍ ପେମେଣ୍ଟ ବିକଳ୍ପ ବ୍ୟବସ୍ଥା ମଧ୍ୟ ଉପସ୍ଥାପନ କରିଛି । ଏହି ସୁବିଧା ମାଧ୍ୟମରେ, IRCTC ୱେବସାଇଟରୁ ଟିକେଟ ବୁକିଂ କରି ପରେ ଆପଣ ଟିକେଟ୍ ମୂଲ୍ୟ ପଇଠ କରିପାରିବେ । ଏହି ବ୍ୟବସ୍ଥା ଅନୁସାରେ, ଯାତ୍ରୀ ଟିକେଟ୍ ବୁକ୍ କରି ଇ-ପେମେଣ୍ଟ ମାଧ୍ୟମରେ୧୫ ଦିନ ମଧ୍ୟରେ ପେମେଣ୍ଟ କରିପାରିବେ କିମ୍ବା ଟିକେଟ୍ ପାଇବାର ୨୪ ଘଣ୍ଟା ମଧ୍ୟରେ ପେମେଣ୍ଟ କରିପାରିବେ ।
ରେଳବାଇର ଟିକେଟିଂ ୱେବସାଇଟ୍, (ଆଇଆରସିଟିସି) ଅନଲାଇନ୍ ସଂରକ୍ଷଣ ସୁବିଧା ଯୋଗାଇଥାଏ। ୨୦୧୪ ପରଠାରୁ ଟିକେଟ୍ ବୁକିଂକୁ ଉନ୍ନତି ମାନର କରିବା ସହ ଯାତ୍ରୀଙ୍କ ସୁବିଧା ଉପରେ ଲଗାତାର ଗୁରୁତ୍ୱ ଦିଆଯାଉଥିବା କଥା ପ୍ରକାଶ କରିଛି ଭାରତୀୟ ରେଳବାଇ । IRCTC ୱେବସାଇଟ୍ ହେଉଛି ରେଳପଥ ସହିତ ଯାତ୍ରା କରୁଥିବା ନାଗରିକମାନଙ୍କର ପ୍ରଥମ ଲିଙ୍କ୍ | ରେଳବାଇର ଇ-ଟିକେଟ୍ ୱେବସାଇଟ୍ ଯାତ୍ରୀମାନଙ୍କୁ ସେମାନଙ୍କ ଟ୍ରେନ୍ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖିଛି |
ସୂଚନା ଅନୁସାରେ ଚଳିତ ମାସ ପ୍ରଥମାର୍ଦ୍ଧରେ IRCTCରେ ଟ୍ରେନ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ ହୋଇଥିଲା ।ଯେଉଁମାନେ ଅନ୍ୟର ଆଇଆରସିଟିସି (IRCTC) ଆଇଡି ବ୍ୟବହାର କରି ନିଜ ପାଇଁ ଟିକେଟ ବୁକିଂ କରନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ନୂଆ ନିୟମ ହୋଇଥିଲା ।