ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଆବୁ ଧାବି: ବାସ୍ ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ୍। ବିଶ୍ୱର ସବୁଠାରୁ ମହଙ୍ଗା ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆସନ୍ତାକାଲିଠାରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ସାରା ଦୁନିଆରେ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଚଳିତ ସଂସ୍କରଣ ୟୁଏଇରେ ଆୟୋଜିତ ହେବ। ଆଇପିଏଲର ଆୟୋଜନ ପ୍ରଥମେ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଭାରତରେ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ କାର୍ଯ୍ୟସୂଚୀ ମଧ୍ୟ ଜାରି କରାଯାଇଥିଲା, କିନ୍ତୁ କୋଭିଡ୍-୧୯ କାରଣରୁ ଆଇପିଏଲକୁ ସ୍ଥଗିତ କରାଯାଇଥିଲା।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ୱାର୍ଲ୍ଡ କପ୍ ଖେଳାଯିବାର ଥିଲା, କିନ୍ତୁ କରୋନା ଯୋଗୁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସ୍ଥଗିତ କରାଗଲା। ଆଇସିସିର ଏହି ନିଷ୍ପତ୍ତି ପରେ ବିସିସିଆଇ ପାଇଁ ଆଇପିଏଲ୍ ଆୟୋଜନ କରିବାର ବାଟ ଫିଟିଯାଇଥିଲା। ଫଳରେ ଆଇପିଏଲର ଚଳିତ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜନ କରିବାକୁ ଧାର୍ଯ୍ୟ ହୋଇଛି। ଟୁର୍ଣ୍ଣାମେଣ୍ଟ ପାଇଁ ସବୁଦଳର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। କେବଳ ଅପେକ୍ଷା ପ୍ରଥମ ବଲକୁ।

ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍। ଭାରତରେ କରୋନା ମହାମାରୀ ମାମଲା ଲଗାତର ବଢ଼ୁଥିବାରୁ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ ଏବଂ ଏଥର ମଇଦାନରେ ଦର୍ଶକ ରହିବେ ନାହିଁ। କଠିନ ପରିସ୍ଥିତିରେ ସିନେମା ଓ କ୍ରିକେଟ୍ ଦେଖିବାରୁ ବଞ୍ଚିତ ହେଉଥିବା ଦର୍ଶକଙ୍କ ପାଇଁ ଏହି ଆଇପିଏଲ୍ ବହୁତ ସ୍ପେଶାଲ ହେବ।

ଆଇପିଏଲ୍ ପୂର୍ବରୁ ମଧ୍ୟ ବିଦେଶରେ ଆୟୋଜିତ ହୋଇଛି। କିନ୍ତୁ ଏଥର ଏହି ବ୍ୟୟବହୁଳ ଲିଗ୍ ପ୍ରଥମଥର ଜୈବିକ ସୁରକ୍ଷା ପରିବେଶ (ବାୟୋ ବବଲ୍) ମଧ୍ୟରେ ହେବ। ଏଥିରେ କ୍ରିସ୍ ଗେଲ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଗଗନଚୁମ୍ବୀ ଛକା ଉପରେ ତାଳି ମାରିବାକୁ କେହି ନଥିବେ ଏବଂ ସୁପର୍ ଓଭରରେ କୌଣସି କୋଳାହଳ ମଧ୍ୟ ଶୁଣିବାକୁ ମିଳିବନି। ଯଦି କାଗଜରେ ଦେଖିବା, ତାହେଲେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ସବୁଠାରୁ ମଜଭୁତ୍ ନଜର ଆସୁଛି, ଯେଉଁ ଟିମରେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବ୍ୟତୀତ କୃନାଲ୍ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ ଏବଂ ଡେଥ୍ ଓଭର୍ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମରା ରହିଛନ୍ତି। ଚେନ୍ନାଇ ଟିମରେ ହୁଏତ ଅଧିକାଂଶ ଭେଟେରାନ୍ ଖେଳାଳି ଅଛନ୍ତି, କିନ୍ତୁ ଏହି ଟିମ୍ ପ୍ରମାଣିତ କରିଛି ଯେ ସଫଳତା ଓ ପ୍ରତିଭା ଆଗରେ ବୟସ କିଛି ନୁହେଁ।

ଚେନ୍ନାଇ ସୁପର୍ କିଙ୍ଗସ୍: ଆଇପିଏଲ୍ ଇତିହାସରେ ସବୁଠାରୁ ଅଭିଜ୍ଞ ଏବଂ ସଫଳ ଟିମ୍ ହେଉଛି ସିଏସକେ। ଏହି ଟିମର ଖେଳାଳିମାନେ ମୋଟ ୩୮୪୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ହେଲେ ଟିମର କିଛି ଖେଳାଳି ଦୀର୍ଘ ଦିନ ଧରି ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। ଟିମର ସବୁ ଦାୟିତ୍ୱ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ନିର୍ଭରଶୀଳ। ସୁରେଶ ରାଇନା ଓ ହରଭଜନ ସିଂହଙ୍କ ଅନୁପସ୍ଥିତି ଧୋନିଙ୍କ ଟିମ୍ ଉପରେ ନିଶ୍ଚିତ ପ୍ରଭାବ ପକାଇବ। କିନ୍ତୁ ଫାଫ୍ ଡ୍ୟୁପ୍ଲେସିସ୍, ଶେନ୍ ୱାଟସନ୍, ଅମ୍ବାତି ରାୟୁଡୁ, କେଦାର ଯାଦବ, ମୁରଲୀ ବିଜୟ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋଙ୍କ ଅଭିଜ୍ଞତା ଦଳ ପାଇଁ ନିଶ୍ଚିତ ଫଳପ୍ରଦ ହେବ। ଆଇପିଏଲରେ ଚେନ୍ନାଇ ଏପର୍ଯ୍ୟନ୍ତ ୧୬୫ ମ୍ୟାଚ୍ ଖେଳିଛି, ଯେଉଁଥିରୁ ଟିମକୁ ୧୦୦ଟିରେ ବିଜୟ ମିଳିଥିବା ବେଳେ ୬୪ଟିରେ ପରାଜୟର ସ୍ୱାଦ ଚାଖିଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଛି। ତା’ଛଡ଼ା ଚେନ୍ନାଇର ସବୁଠାରୁ ବଡ଼ ଶକ୍ତି ହେଉଛି, ଏହି ଟିମ୍ କେବେବି ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇନାହିଁ। ଚେନ୍ନାଇ ଅତିକମରେ ପ୍ଲେଅଫ୍ ବା ସେମିଫାଇନାଲକୁ କ୍ବାଲିଫାଏ କରିଛି। ଚେନ୍ନାଇ ତିନିଥର ଚାମ୍ପିୟନ୍ ହୋଇଥିବା ବେଳେ ପାଞ୍ଚଥର ରନର୍ସଅପ୍, ଦୁଇଥର ସେମିଫାଇନାଲରେ ପ୍ରବେଶ କରିଛି।

ମୁମ୍ବାଇ ଇଣ୍ଡିଆନ୍ସ: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୟୁଏଇ ମାଟି ଭଲ ରହିନାହିଁ। ୨୦୧୪ରେ ଟିମ୍ ଏଠାରେ ଆଇପିଏଲରେ ତା’ର ପ୍ରଥମ ୫ଟି ମ୍ୟାଚରେ ପରାସ୍ତ ହୋଇଥିଲା। କିନ୍ତୁ ଏଥର ଟିମ୍ ପୂର୍ବ ବିଫଳତାକୁ ଭୁଲି ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି। ଟିମର ମିଡିଲ୍ ଅର୍ଡର ବେଶ୍ ମଜଭୁତ୍। ମିଡିଲରେ ସୂର୍ଯ୍ୟକୁମାର ଯାଦବ, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଅଛନ୍ତି। ଟପ୍ ଅର୍ଡରରେ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ବ୍ୟତୀତ, କ୍ୱିଣ୍ଟନ୍ ଡି’କକ୍ ଏବଂ କ୍ରିସ୍ ଲିନଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ମହଜୁଦ୍ ଅଛନ୍ତି। ସ୍ପିନରଙ୍କ ମଧ୍ୟରେ କୃନାଲ୍, ରାହୁଲ୍ ଚହର୍ ଓ ଜୟନ୍ତ ଯାଦବ ଅଛନ୍ତି, ଯେଉଁମାନେ ପ୍ରତିପକ୍ଷ ଦଳକୁ ବଡ଼ ସ୍କୋର କରିବାରୁ ରୋକିପାରିବେ। ବିଶେଷକରି ୟୁଏଇ ପିଚ୍ ସ୍ପିନରଙ୍କୁ ସୁହାଇଥଥାଏ। ତେଣୁ ରୋହିତ୍ ଅତିରିକ୍ତ ସ୍ପିନର୍ ଖେଳାଳି ବିପକ୍ଷ ଦଳ ଉପରେ ଚାପ ପକାଇବାକୁ ଚାହିଁବେ। ପେସ୍ ଆଟାକ୍ ଯଶପ୍ରୀତ ବୁମରା, ମିଚେଲ୍ ମ୍ୟାକକ୍ଲିନାଘନ, ଟ୍ରେଣ୍ଟ ବୋଲ୍ଟ ଓ ନେଥନ୍ କୁଲ୍ଟର-ନାଇଲରେ ଉପରେ ନିର୍ଭର କରିବ। ମୁମ୍ବାଇ ଟିମ୍ ମୋଟ ୧୮୯ ଆଇପିଏଲ୍ ମ୍ୟାଚ୍ ଖେଳି ୧୦୯ ବିଜୟ ଓ ୭୯ଟିରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା। ମୁମ୍ବାଇ ନାଁରେ ସର୍ବାଧିକ ୪ଟି ଟାଇଟଲ୍ ଜିତିବାର ରେକର୍ଡ ରହିଛି। ତା’ଛଡ଼ା ଟିମ୍ ଥରେ ରନର୍ସଅପ୍ ହୋଇଥିବା ବେଳେ ଚାରିଥର ପ୍ଲେଅଫକୁ କ୍ୱାଲିଫାଏ କରିଛି।

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି): ରୟାଲ୍ ଚ୍ୟାଲେଞ୍ଜର ବାଙ୍ଗାଲୋର୍ ପାଖରେ ଦୁନିଆର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି ଓ ଏବି ଡି’ଭିଲିୟର୍ସ ଅଛନ୍ତି। କିନ୍ତୁ ଡେଥ୍ ଓଭର୍ ବୋଲିଂ, ଟିମର ସବୁଠାରୁ ବଡ଼ ସମସ୍ୟା। ଡେଥ୍ ଓଭରରେ ଉମେଶ ଯାଦବ, ନଭଦୀପ ସାଇନି ଓ ମହମ୍ମଦ ସିରାଜ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଯାଦବ ୧୨.୩୯, ସାଇନି ୮.୮୭ ଏବଂ ସିରାଜ୍ ୯.୮୩ ଇକୋନମୀରେ ରନ୍ ଦେଇଛନ୍ତି। ଗତ ଦୁଇଟି ସିଜନରେ ଦଳର ଡେଥ୍ ଓଭରରେ ବୋଲରଙ୍କ ଇକୋନମୀ ବହୁତ ଖରାପ ରହିଥିଲା। ଦଳରେ ଏହାହିଁ ବଡ଼ ସମସ୍ୟା। ତା’ଛଡ଼ା ଟିମ୍ ଆଇପିଏଲରେ ଥରେ ବି ଟାଇଟଲ୍ ସ୍ୱାଦ ଚାଖିପାରି ନାହିଁ। ଏଥର ଦଳ ସେହି ଖାଲିସ୍ଥାନକୁ ପୂରଣ କରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଛି। ଆରସିବି ୧୬୮ ଆଇପିଏଲ୍ ମ୍ୟାଚ୍ ଖେଳି ୮୦ଟିରେ ବିଜୟୀ ହୋଇଥିବା ବେଳେ ୮୪ଟିରେ ହାରିଛି। ଦଳର ୪ଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି।

IPL 2020: Watch out for these batsmen! - Rediff Cricket

 

କିଙ୍ଗସ୍ ଇଲେଭେନ୍ ପଞ୍ଜାବ: ଟିମ୍ ପାଖରେ ଦୁଇ ବିସ୍ଫୋରକ ଓପ୍ନର ଅଛନ୍ତି। କେଏଲ୍ ରାହୁଲ୍ ଓ କ୍ରିସ୍ ଗେଲ୍ ଗତ ଦୁଇ ଦୁଇଟି ସିଜନରେ ଇନିଂସ୍ ଶୁଭାରମ୍ଭ କରି ୧୦୪୫ ରନ୍ କରିଛନ୍ତି। ତେବେ ଏହି ଯୋଡ଼ିକୁ ବାକି ଖେଳାଳିଙ୍କ ସାଥ୍ ମିଳିପାରିନାହିଁ। ଦୁହେଁ ଟିମର ମୋଟ ୪୮ ପ୍ରତିଶତ ରନ୍ କରିଛନ୍ତି। ଏଥର କିଙ୍ଗସ୍ ଇଲେଭେନର ଟିମରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ଅଛନ୍ତି। ମ୍ୟାକ୍ସୱେଲ ୟୁଏଇରେ ୫ଟି ମ୍ୟାଚରେ ୬୦ ହାରରେ ୩୦୦ ରନ୍ କରିଛନ୍ତି। ମଧ୍ୟକ୍ରମରେ କରୁନ୍ ନାୟର, ମୟଙ୍କ ଅଗ୍ରୱାଲଙ୍କ ବ୍ୟାଟିଂର କଡ଼ା ପରୀକ୍ଷା ମଧ୍ୟ ହେବ। ସେହିପରି ଇଣ୍ଡିଜ୍ ସେନସେସନ୍ ନିକୋଲାସ୍ ପୁରନଙ୍କ ଉପସ୍ଥିତି ଟିମର ଶକ୍ତିକୁ ଦୁଇଗୁଣିତ କରିଦେଇଛି। ମହମ୍ମଦ ଶାମି ଓ ସ୍ପିନର ମୁଜୀବ୍-ଉର୍-ରେହମାନଙ୍କ ଉପରେ ବୋଲିଂ ଭାର ନ୍ୟସ୍ତ ରହିବ। କିଙ୍ଗସ୍ ଇଲେଭେନ୍ ତା’ର ପ୍ରଥମ ଟାଇଟଲ୍ ଅପେକ୍ଷାରେ ରହିଛି। ଟିମ୍ ୧୮୦ ମ୍ୟାଚ୍ ଖେଳିଛି, ଯେଉଁଥିରେ ୮୪ଟିରେ ବିଜୟ ମିଳିଥିବା ବେଳେ ୯୫ଟିରେ ପରାସ୍ତ ହୋଇଛି। ୨ଟି ମୁକାବିଲା ଟାଇ ରହିଛି।

IPL: Quarantine hurdle for Kolkata Knight Riders - Telegraph India

କୋଲକାତା ନାଇଟ୍ ରାଇଡର୍ସ (କେକେଆର୍): କେକେଆରର ଓଭରଅଲ୍ ରନରେଟ୍ ଭଲ ରହିଛି, କିନ୍ତୁ ଡେଥ୍ ଓଭର ଟିମର ପ୍ରଦର୍ଶନ ଆହୁରି ଉନ୍ନତ। ଡେଥ୍ ଓଭରରେ ଟିମ୍ ୧୧.୯୫ ଇକୋନମୀରେ ରନ୍ କରିଛି। ଏହାର ବଡ଼ କାରଣ ହେଉଛି ଆନ୍ଦ୍ରେ ରସେଲ୍ ଓ ଦିନେଶ କାର୍ତ୍ତିକଙ୍କ ଷ୍ଟ୍ରାଇକରେଟ୍। ରସେଲ୍ ଗତ ସିଜନରେ ୨୨୭ ଏବଂ କାର୍ତ୍ତିକ ୧୮୭ ଷ୍ଟ୍ରାଇକରେଟରେ ରନ୍ କରିଥିଲେ। ଏହାବ୍ୟତୀତ ଟିମରେ ଇଆନ୍ ମୋର୍ଗାନ୍ ମଧ୍ୟ ଅଛନ୍ତି। ତେବେ ଟିମର ଦୁର୍ବଳତା ହେଉଛି ବୋଲିଂ। ଗତ ସିଜନରେ ଟିମ୍ ୧୪ ମ୍ୟାଚରେ ୫୬ ୱିକେଟ୍ ନେଇଥିଲା, ଯାହା ଆଇପିଏଲ୍ ଇତିହାସରେ ଲିଗ୍ ଷ୍ଟେଜରେ କୌଣସି ଟିମ୍ ଦ୍ୱାରା ସବୁଠାରୁ କମ୍ ୱିକେଟ୍ ଥିଲା। ଗତ ଦୁଇଟି ଆଇପିଏଲରେ କେକେଆର୍ ସବୁ ମ୍ୟାଚର ପାୱାରପ୍ଲେ’କୁ ମିଶାଇ ମୋଟ ୨୮ଟି ୱିକେଟ୍ ନେଇଥିଲା। ତେବେ ପ୍ୟାଟ୍ କମିନ୍ସଙ୍କ ଆସିବା ପରେ କେକେଆର ପରିସ୍ଥିତିରେ ସୁଧାର ଆଣିବାକୁ ଆଶାବାଦୀ ଅଛି। ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍ ଦୁଇଥର ଟାଇଟଲ୍ ଜିତିଛି। ଏଥର ଦଳ ସେହି ଆଶା ନେଇ ମଇଦାନକୁ ଓହ୍ଲାଇବ। ଟିମ୍ ଏପର୍ଯ୍ୟନ୍ତ ୧୮୨ ମ୍ୟାଚରୁ ୯୨ ବିଜୟ ଓ ୮୩ଟିରେ ପରାସ୍ତ ହୋଇଛି। ସେଥିରୁ ୩ଟି ଟାଇ ଏବଂ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି।

IPL 2019: David Warner to feature in the third part of blockbuster movie 'Baahubali'?

ସନରାଇଜର୍ସ ହାଇଦ୍ରାବାଦ: ହାଇଦ୍ରାବାଦ ପାଖରେ ଟପ୍ କ୍ଲାସ୍ ଓପନିଂ ପାର୍ଟନରଶିପ୍ ଅଛି। ଗତ ସିଜନରେ ଅର୍ଥାତ୍ ୨୦୧୯ ଆଇପିଏଲରେ ଡେଭିଡ୍ ୱାର୍ଣ୍ଣର ଏବଂ ଜନ୍ନି ବେୟାରଷ୍ଟୋ ୧୦ ଇନିଂସରେ ୭୯୧ ରନ୍ କରିଥିଲେ। ଏହି ଯୋଡ଼ି ୪ଟି ଶତକୀୟ ଏବଂ ୩ଟି ଅର୍ଦ୍ଧଶତକୀୟ ଭାଗୀଦାରୀ କରିଥିଲେ। ଦୁହିଁଙ୍କର ଷ୍ଟ୍ରାଇକରେଟ୍ ମଧ୍ୟ ୧୮୫ ରହିଥିଲା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୱାର୍ଣ୍ଣର ପ୍ରତିବର୍ଷ ୫୦୦ରୁ ଅଧିକ ରନ୍ କରିଛନ୍ତି। ୨୦୧୪ରେ ୫୨୮ ରନ୍, ୨୦୧୫ରେ ୫୬୨ ରନ୍, ୨୦୧୬ରେ ୮୪୮ ରନ୍, ୨୦୧୭ରେ ୬୪୧ ରନ ଏବଂ ୨୦୧୯ରେ ୬୯୨ ରନ୍ କରିଥିଲେ। ତେବେ ବାସନ୍ଦ କାରଣରୁ ସେ ୨୦୧୮ ସଂସ୍କରଣରେ ଖେଳିପାରିନଥିଲେ। ଯେଉଁଠି ଟିମର ଟପ୍ ଅର୍ଡର ବେଶ୍ ମଜଭୁତ୍, ସେଠି ଟିମର ଡେଥ୍ ଓଭରରେ ବ୍ୟାଟିଂ ବେଶ୍ ଦୁର୍ବଳ। ଟିମ୍ ତା’ର ମିଡିଲ୍ ଅର୍ଡରକୁ ମଜଭୁତ୍ କରିବା ଲାଗି ଯୁବ ଭାରତୀୟ ଖେଳାଳି ବିରାଟ୍ ସିଂହ, ପ୍ରିୟମ ଗର୍ଗ ଓ ଜମ୍ମୁ-କଶ୍ମୀରର ଅଦବୁଲ ସମଦଙ୍କ ଉପରେ ଭରସା ଦେଖାଇଛି। ସନରାଇଜର୍ସ ୨୦୧୬ରେ ତା’ର ଏକମାତ୍ର ଟାଇଟଲ୍ ଜିତିଥିବା ବେଳେ ଥରେ ରନର୍ସଅପ୍ ଏବଂ ତିନିଥର ପ୍ଲେଅଫକୁ କ୍ୱାଲିଫାଏ କରିଛି। ଟିମ୍ ଏପର୍ଯ୍ୟନ୍ତ ୧୧୬ ମ୍ୟାଚ୍ ଖେଳି ୬୧ ବିଜୟ ଏବଂ ୫୩ଟିରେ ପରାସ୍ତ ହୋଇଛି। ସେଥିରୁ ଦୁଇଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି।

IPL 2020: This is Steve Smith, skipper of Rajasthan Royals, speaking! - Sportstar

ରାଜସ୍ଥାନ ରୟାଲ୍ସ: ଚଳିତ ସିଜନରେ ଅଧିକାଂଶ ଯୁବ ଖେଳାଳି ରାଜସ୍ଥାନ ରୟାଲ୍ସରେ ଅଛନ୍ତି। ଟିମର ଆଭରେଜ୍ ବୟସ ୨୬ ବର୍ଷ ୧୬୪ ଦିନ ରହିଛି। ଗୋଟିଏ ପଟେ ଟିମ୍ ପାଇଁ ଏହା ଫାଇଦା ହୋଇଥିବା ବେଳେ ଅନ୍ୟପଟେ ଏହା ଚିନ୍ତାର ବିଷୟ। ଟିମର ୧୨ଜଣ ଭାରତୀୟ ଖେଳାଳି କୌଣସି ଅନ୍ତର୍ଜାତୀୟ ମୁକାବିଲା ଖେଳିନାହାନ୍ତି। ବାକି ଭାରତୀୟଙ୍କୁ ମିଶାଇ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ଏକାକୀ ରବିନ୍ ଉଥାପ୍ପା ୫୯ ମ୍ୟାଚ୍ ଖେଳିଛନ୍ତି। ତେବେ ଟିମ୍ ପାଖରେ କିଛି ବଡ଼ ଖେଳାଳି ଅଛନ୍ତି, ଯାହାଙ୍କ ପାଖରେ ଟିମକୁ ପ୍ଲେଅଫ୍ ପର୍ଯ୍ୟନ୍ତ ନେବାର କ୍ଷମତା ରହିଛି। ଏଥିରେ ଜୋସ୍ ବଟଲର୍, ଷ୍ଟିଭ୍ ସ୍ମିଥ୍, ଜୋଫ୍ରା ଆର୍ଚର ଓ ଉଥାପ୍ପା ସାମିଲ୍ ଅଛନ୍ତି। ରାଜସ୍ଥାନ ଆଇପିଏଲର ପ୍ରଥମ ସଂସ୍କରଣରେ ବିଜେତା ହୋଇଥିବା ବେଳେ ତିନିଥର ପ୍ଲେଅଫକୁ ଉତ୍ତୀର୍ଣ୍ଣ ହୋଇଛି। ରାଜସ୍ଥାନ ଏପର୍ଯ୍ୟନ୍ତ ୧୪୩ ମ୍ୟାଚ୍ ଖେଳି ୭୧ ବିଜୟ ଓ ୬୭ଟିରେ ପରାସ୍ତ ହୋଇଛି। ଟିମର ୫ଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି।

Image

ଦିଲ୍ଲୀ କ୍ୟାପିଟାଲ୍ସ: ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ତୃତୀୟ ସ୍ଥାନରେ ରହିଥିଲା। ଏଥର ଟିମରେ ବଡ଼ ସଂଖ୍ୟାରେ ଭାରତୀୟ ଖେଳାଳି ମହଜୁଦ୍ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଭୋକାଲ୍ ଫର୍ ଲୋକାଲର ସଠିକ୍ ଉଦାହରଣ ରହିଛି। ଟିମ୍ ପାଖରେ ଅଭିଜ୍ଞ ଓ ପ୍ରତିଭାଶାଳୀ ଭାରତୀୟ ଖେଳାଳି ଅଛନ୍ତି। ଯେପରିକି କ୍ୟାପଟେନ୍ ଶ୍ରେୟସ୍ ଆୟର, ଈଶାନ୍ତ ଶର୍ମା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଆଜିଙ୍କ୍ୟ ରାହାଣେ, ଶିଖର ଧୱନ୍, ପୃଥ୍ୱୀ ଶ’, ଋଷଭ ପନ୍ତଙ୍କ ଦମରେ ଟିମ୍ ଚାମ୍ପିୟନ୍ ହେବା ନେଇ ଆଶା ରଖିଛି। ଦିଲ୍ଲୀ ୧୨ଟି ସଂସ୍କରଣରୁ ଚାରିଥର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇଥିବା ବେଳେ ଫାଇନାଲକୁ ଥରେ ବି କ୍ୱାଲିଫାଏ କରିନାହିଁ। ଟିମ୍ ୧୭୭ ମ୍ୟାଚ୍ ଖେଳି ୭୭ଟିରେ ବିଜୟ ଏବଂ ୯୮ଟିରେ ପରାସ୍ତ ହୋଇଛି। ସେଥିରୁ ୨ଟି ମ୍ୟାଚ୍ ବିନା ଫଳାଫଳ ରହିଛି।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like