ସଂଘର୍ଷରୁ ସଫଳତା : ରାତ୍ରୀ ଜଗୁଆଳ ଆଜି ଆଇଆଇଏମ୍ ପ୍ରଫେସର୍

ରାମଚନ୍ଦ୍ରନଙ୍କ ପ୍ରେରଣାଦାୟୀ କାହାଣୀ

ଥିରୁବନ୍ତପୁରମ୍: ପ୍ଲାଷ୍ଟିକ୍ ପାଲ ଘୋଡ଼ା ଝୁପୁଡ଼ି ଘରୁ ଆଇଆଇଏମ୍ ପ୍ରଫେସର୍ । କଠିନ ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ । ଦୁଇ ଓଳି ଦୁଇ ମୁଠା ଖାଇବାକୁ ନଥିଲେ ସୁଦ୍ଧା ଭବିଷ୍ୟତରେ ଶିକ୍ଷକ ସାଜି ଶିକ୍ଷାର ଆଲୋକ ବାଣ୍ଟିବାକୁ ଚାହୁଁଥିଲା ଗରିବ ପୁଅ । ଶେଷରେ ଆଜି ତାଙ୍କର ଝାଳବୁହା ପରିଶ୍ରମର ମୂଲ୍ୟ ମିଳିଛି । ମେଧାକୁ ପାଥେୟ କରି ସଂଘର୍ଷ ଓ ସଫଳତାର କାହାଣୀ ଲେଖିଲେ ରଞ୍ଜିତ୍ ରାମଚନ୍ଦ୍ରନ । ଦୃଢ଼ ଇଚ୍ଛାଶକ୍ତି ଓ ଅଦମ୍ୟ ଆତ୍ମବିଶ୍ୱାସ ମଣିଷକୁ କିପରି ସଫଳତାର ଶୀର୍ଷରେ ପହଞ୍ଚାଇଦିଏ ତାହାକୁ ପ୍ରମାଣିତ କରିଛନ୍ତି ଏକଦା ରାତ୍ର ଜଗୁଆଳି ଭାବେ କାମ କରୁଥିବା ଯୁବକ । ୨୮ ବର୍ଷୀୟ ରାମଚନ୍ଦ୍ରନ୍ ନିକଟରେ ଆଇଆଇଏମ୍ ରାଞ୍ଚିରେ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି ।

ରଞ୍ଜିତ ରାମଚନ୍ଦ୍ରନଙ୍କ ବାପା ଜଣେ ଟେଲର ଆଉ ମା’ ମନରେଗାରେ ଜଣେ ଦିନ ମଜୁରିଆ । ପାଞ୍ଚ ପ୍ରାଣୀ କୁଟୁମ୍ବ ଏକ  ୪୦୦ ବର୍ଗଫୁଟ ଘରେ ରୁହନ୍ତି । ଚାଳିଆ  ଘରେ ଦିନରେ ସୁରୁଜ ଆଉ ରାତିରେ ଜହ୍ନ ଦାଉ ଦାଉ ହୋଇ ଦେଖାଯାଆନ୍ତି । ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼େ । ହେଲେ ଏତେ ସବୁ ଅଭାବ ଅନଟନ ଭିତରେ ବି ମଣିଷ ପରି ମଣିଷ ହେବା ପାଇଁ ସ୍ୱପ୍ନ ବୁଣିଥିଲେ । ପେଟପୂରା ଖାଇବାକୁ ମିଳୁନଥିଲେ ସୁଦ୍ଧା ପାଠ କଥା ଭୁଲିନଥିଲେ ।   ପାଠ ପଢିବେ, ଚାକିରି କରିବେ ଆଉ ବାପା-ମା’ଙ୍କ ଦୁଃଖ ଦୂର କରିବେ ବୋଲି ଦିନ ରାତି ଚିନ୍ତା କରୁଥିଲେ। ହେଲେ ଏସବୁ ଏତେ ସହଜ ନଥିଲା ।

ରାମଚନ୍ଦ୍ରନ କାସରଗୋଡ଼ର ପନାଥୁରରରେ ଏକ ବିଏସଏନଏଲ୍ ଟେଲିଫୋନ୍ ଏକ୍ସଚେଞ୍ଜରେ ରାତ୍ରୀ ଜଗୁଆଳ ଭାବେ ମଧ୍ୟ କାମ କରିଛନ୍ତି । ଅର୍ଥଶାସ୍ତ୍ରରେ ଡିଗ୍ରି ହାସଲ କରିଥିଲେ ହେଁ  ଘରର ଆର୍ଥିକ ଅବସ୍ଥା ପାଇଁ ଏହି କାମ କରିବାକୁ ବାଧ୍ୟ ହୋଇଥିଲେ । ତେବେ ଏସବୁ ଭିତରେ ତାଙ୍କର ପାଠପଢ଼ା ଜାରି ରହିଥିଲା । ଅନେକ ସଂଘର୍ଷ କରି ସେ ପିଏଚଡି ପାଠ ଶେଷ କରିଥିଲେ । ଦିନରେ ପାଠ ପଢ଼ିବା ସହ ରାତିରେ ଗାର୍ଡ଼ ରୂପେ କାମ କରୁଥିଲେ । ଆଜି ତାଙ୍କ ସ୍ୱପ୍ନ ସାର୍ଥକ ହୋଇଛି। ସଂଘର୍ଷ ଭିତରେ ଏଇ ସଫଳତା ତାଙ୍କୁ ଭିନ୍ନ ବ୍ୟକ୍ତିତ୍ୱ କରି ଗଢି ତୋଳିଛି।

ରଞ୍ଜିତ ରାମଚନ୍ଦ୍ରନ ଏବେ ବାଙ୍ଗାଲୋରର କ୍ରିଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ରୂପେ କାମ କରୁଛନ୍ତି । ଆଉ ଆଗକୁ ଆଇଆଇଏମ୍ ରାଞ୍ଚିରେ ପ୍ରଫେସର ଭାବେ ପିଲାଙ୍କୁ ପାଠ ପଢ଼ାଇବେ। ଶନିବାର ଦିନ ସେ କେରଳରେ ଥିବା ତାଙ୍କ ଘରର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ତାଙ୍କର ସଂଘର୍ଷର କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ଏହି ଚାଳଛପର ଘରୁ ଆଇଆଇଏମ ପ୍ରଫେସର ଜନ୍ମ ନେଇଛି ।

ରାମଚନ୍ଦ୍ରଙ୍କର ଫେସବୁକ୍ ପୋଷ୍ଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟକୁ ୩୭୦୦ରୁ ଅଧିକ ଲାଇକ୍ ମିଳିଛି ଓ ହଜାର ହଜାର ଲୋକ ପ୍ରତିକ୍ରିୟା ଦେଇଛନ୍ତି । ତେବେ ପୋଷ୍ଟ ଭାଇରାଲ ହେବା ପରେ ସେ କହିଛନ୍ତି, ମୁଁ ଭାବିନଥିଲି ଏପରି କିଛି ହେବ । ମୋ ଜୀବନର କାହାଣୀ ଅନ୍ୟ କିଛି ଲୋକଙ୍କୁ ପ୍ରେରଣା ଯୋଗାଇବା ଚିନ୍ତା କରି ଏପରି କରିଥିବା ସେ କହିଛନ୍ତି ।

 

 

You might also like