ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

 

ସାଗର ପ୍ରଧାନ(ଲେଖକ, ଗବେଷକ)
ସାଗର ପ୍ରଧାନ (ଲେଖକ, ଗବେଷକ)

ଗତ ସେପ୍ଟେମ୍ବର ୭ ତାରିଖ ମଧ୍ୟରାତ୍ରି ସାରା ବିଶ୍ୱର ନଜର ଟେଲିଭିଜନ ପରଦା ଉପରେ ଥାଏ, ମନରେ ଅନେକ ଆଶା ଓ ଆକାଂକ୍ଷା ନେଇ ଅପେକ୍ଷା କରିଥାନ୍ତି ୧୩୩ କୋଟି ଭାରତୀୟ। ହେଲେ ହଠାତ ଏକ ଦୁଃଖ ଖବର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଦେଲା। ଖବର ଥିଲା ଚନ୍ଦ୍ରଯାନ-୨ ସମ୍ବନ୍ଧରେ। ଲୁନାର ଅରବିଟର ଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠ ଆଡକୁ ନିର୍ଦ୍ଧାରିତ ବେଗରେ ଗତି କରୁଥିବା ବିକ୍ରମ ଲାଣ୍ଡର ହଠାତ ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରତାରେ ଥିବା ସମୟରେ ଇସ୍ରୋ ସହ ଏହାର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା।

ଆନ୍ତର୍ଜାତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ହଠାତ ଭିନ୍ନ ଭିନ୍ନ ମତ ପ୍ରସାରିତ ହେଲା। କିଏ କହିଲା ଭାରତର ଚନ୍ଦ୍ର ମିଶନ ୯୫% ସଫଳ ହୋଇଛି ତ ଆଉ କିଏ କହିଲା ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି।

ତେବେ ଏହିସବୁ ଆଲୋଚନା ଶୁଣି ଜଣେ ସାଧାରଣ ଲୋକ ମନରେ କିଛି ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ।

ଏହି ମିଶନର ନାମ ଚନ୍ଦ୍ରଯାନ-୨ କ’ଣ ପାଇଁ ରଖା ଯାଇଥିଲା ?

ଚନ୍ଦ୍ରଯାନ-୨ ମିଶନ କେଵେ ହୋଇଥିଲା ଓ ଏହା କ’ଣ ଅସଫଳ ଥିଲା ?

ପ୍ରକୃତରେ କ’ଣ ଚନ୍ଦ୍ରଯାନ-୨ ଅସଫଳ ହୋଇଗଲା?

ବିକ୍ରମ ଲାଣ୍ଡର ଶହ ଇସ୍ରୋର ସମ୍ପର୍କ କାହିଁକି ବିଚ୍ଛିନ୍ନ ହେଲା?

ଚନ୍ଦ୍ରଯାନ-୨ର ଲୁନାର ଅରବିଟର ଏବେ କଣ କରୁଛି ?

ପ୍ରଜ୍ଞାନ ରୋଵର ର କାମ କ’ଣ?

ବିକ୍ରମ ଲାଣ୍ଡର ସହ କ’ଣ ଆଉ କେବେ ସମ୍ପର୍କ ସ୍ଥାପନ କରାଯାଇପାରିବ ନାହିଁ ?

ଶେଷରେ ସବୁଠାରୁ ବଡ ପ୍ରଶ୍ନ ଭାରତ ଭଳି ଏକ ବିକାଶଶୀଳ ଦେଶ ଶହଶହ କୋଟି ବ୍ୟୟ କରି ଚନ୍ଦ୍ରଯାନ, ମଙ୍ଗଳଯାନ ଓ ଗଗନଯାନ ପ୍ରସ୍ତୁତକରିବାର କ’ଣ ଆବଶ୍ୟକତା ରହିଛି?

ଜାଣନ୍ତୁ ଇସ୍ରୋ ଦ୍ୱାରା କରାଯାଇଥିବା ଚନ୍ଦ୍ରମିଶନ ଗୁଡିକର ସମ୍ପୂର୍ଣ୍ଣ ତଥ୍ୟାତ୍ମକ ବିଶ୍ଳେଷଣ…

ଚନ୍ଦ୍ରଯାନ-୧:

୨୦୦୩ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଭାଷଣରେ ପ୍ରଥମେ ଚନ୍ଦ୍ର ମିଶନ ସମ୍ବନ୍ଧରେ ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ଘୋଷଣା କରିଥିଲେ। ଏହି ଘୋଷଣା ପରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ ଗଠନ କରି ଏ ସମ୍ବନ୍ଧରେ ଗବେଷଣା ଆରମ୍ଭ କରିଥିଲା। ଦୀର୍ଘ ପାଞ୍ଚ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଅର୍ଥାତ୍‌ ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ହୋଇଥିଲା ଏକ ନୂଆ ଯୁଗର ଆରମ୍ଭ। ଇସ୍ରୋ ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରଯାନ-୧, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପିଏସଲଭି-ଏକ୍ସଏଲ୍‌ (PSLV-XL) ରକେଟ ସାହାଯ୍ୟରେ ଚନ୍ଦ୍ରାଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଏହି ଚନ୍ଦ୍ରଯାନ-୧ ରେ ଥିଲା ଏକ ଲୁନାର ଅରବିଟର ଓ ଇମ୍ପାକ୍ଟର। ଯାହାର ଜୀବନକାଳ ଥିଲା ୨ ବର୍ଷ। କିନ୍ତୁ ମାତ୍ର ୧୦ ମାସ ପରେ ଅର୍ଥାତ ଅଗଷ୍ଟ ୨୦୦୯ରେ ଇସ୍ରୋ ଶହ ଚନ୍ଦ୍ରଯାନ-୧ ର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। କିନ୍ତୁ ସମ୍ପର୍କ ବିଚ୍ଛିନ୍ନ ହେବା ପୂର୍ବରୁ ଚନ୍ଦ୍ରଯାନ-୧ ଚନ୍ଦ୍ର ସମ୍ବନ୍ଧରେ ଅନେକ ଜରୁରୀ ତଥ୍ୟ ଦେଇଥିଲା। ଯାହା ମଧ୍ୟରୁ ଚନ୍ଦ୍ରରେ ଜଳର ସନ୍ଧାନ ଅନ୍ୟତମ। ଚନ୍ଦ୍ରଯାନ-୧ର ତଥ୍ୟ ଫଳରେ ହିଁ ୨୦୦୮ ନଭେମ୍ବର ୧୮ରେ ସାରା ବିଶ୍ଵକୁ ପ୍ରଥମେ ଚନ୍ଦ୍ରପୃଷ୍ଠରେ ଜଳର (ବରଫ ଅବସ୍ଥାରେ) ଉପସ୍ଥିତି ସମ୍ବନ୍ଧରେ ସୂଚନା ମିଳିଥିଲା। ତେବେ ଏହି ଚନ୍ଦ୍ରଯାନ-୧ ୩୮୬ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିଲା। ୨୦୧୬ ମସିହା ଜୁଲାଇ ୨, ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା- ନାସା ଚନ୍ଦ୍ରଯାନ-୧ ର ସନ୍ଧାନ ପାଇଥିଲେ ମଧ୍ୟ ଇସ୍ରୋ ସହ ଚନ୍ଦ୍ରଯାନ-୧ ର ପୁନଃ ସମ୍ପର୍କ ସ୍ଥାପନ କରାଯାଇ ପାରି ନ ଥିଲା।

ଚନ୍ଦ୍ରଯାନ-୨:
୨୦୧୯ ମସିହା ଜୁଲାଇ ୨୨ରେ ଇସ୍ରୋ ପୁଣିଥରେ ଚନ୍ଦ୍ର ଅଭିମୁଖେ କରିଥିଲା ତାର ଦ୍ଵିତୀୟ ପ୍ରୟାସ ଏବଂ ମିଶନର ନାମ ଦିଆଯାଇଥିଲା ଚନ୍ଦ୍ରଯାନ-୨। ଏହା ୯୭୮ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିଲା। ତେବେ ଚନ୍ଦ୍ରଯାନ-୨କୁ ମଧ୍ୟ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଜିଏସଏଲବି (GSLV) ରକେଟ ସାହାଯ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅଦ୍ୟାବଧି ପୃଥିବୀର କୌଣସିି ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଚନ୍ଦ୍ରର ଦକ୍ଷିଣମେରୁରେ ପହଞ୍ଚି ପାରି ନାହାନ୍ତି। ଚନ୍ଦ୍ରଯାନ-୨ ର ଗଠନ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ। ଲୁନାର ଅରବିଟର, ବିକ୍ରମ ଲାଣ୍ଡର ଓ ପ୍ରଜ୍ଞାନ ରୋଵର।

chandrayaan-2

Image Credit: Scientific sources

ଲୁନାର ଅରବିଟର ର କାର୍ଯ୍ୟ ଚନ୍ଦ୍ରର ଦକ୍ଷିଣମେରୁର ନିକଟତମ କକ୍ଷରେ ପରିଭ୍ରମଣ କରି ଏଥିରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠର ବିଭିନ୍ନ କୋଣଅନୁକୋଣର ସ୍ଥିର ଚିତ୍ର ସଂଗ୍ରହ କରି ଇସ୍ରୋକୁ ଯୋଗାଇବା ଏବଂ ବିକ୍ରମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବ। ଲୁନାର ଅରବିଟରର କାର୍ଯ୍ୟକାଳ ଏକ ବର୍ଷ ଧାର୍ଯ୍ୟ କରାଯାଇଛି। କିନ୍ତୁ ଆବଶ୍ୟକ ସ୍ଥଳେ ଏହାମଧ୍ୟ ୭.୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସମର୍ଥ।

chandrayaan-2

Image Credit: Scientific sources

ବିକ୍ରମ ଲାଣ୍ଡର ଏକ ଅବତରଣ ଯାନ। ଯାହାର ନାମ ଭାରତୀୟ ଅନ୍ତରୀକ୍ଷ ଗବେଷଣାର ପିତା କୁହାଯାଉଥିବା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମରେ ନାମିତ କରାଯାଇଅଛି। ଏହି ଲାଣ୍ଡର ଦ୍ୱାରା ପ୍ରଜ୍ଞାନ ରୋଵରକୁ ଚନ୍ଦ୍ରପୃଷ୍ଠରେ ଅତି ସହଜରେ ଅବତରଣ (ସଫ୍ଟ ଲାଣ୍ଡିଙ୍ଗ) କରାଯିବାର ଯୋଜନା ରଖା ଯାଇଥିଲା। ବିକ୍ରମ ଲାଣ୍ଡରରେ ଖଞ୍ଜା ଯାଇଥିବା ସୋଲାର ପ୍ୟାନେଲ ମାଧ୍ୟମରେ ଏହା ସୂର୍ଯ୍ୟଙ୍କ ଆଲୋକକୁ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରି ବିନା ଇନ୍ଧନରେ ମଧ୍ୟ କାର୍ଯ୍ୟ କରିବାକୁ ସମର୍ଥ। ବିକ୍ରମ ଲାଣ୍ଡର ର କାର୍ଯ୍ୟକାଳ ୧୪ଦିନ ଧାର୍ଯ୍ୟ କରାଯାଇଛି।

ପ୍ରଜ୍ଞାନ ରୋଵର ଏକ ସୋରଶକ୍ତି ଚାଳିତ। ୨୭ କେଜି ଓଜନ ଏବଂ ୬ଟି ଚକା ବିଶିଷ୍ଟ ଭ୍ରମଣକାରୀ ଯନ୍ତ୍ର ଯାହା ଚନ୍ଦ୍ରପୃଷ୍ଠରେ ୧ ସେ.ମି/ସେକେଣ୍ଡ ବେଗରେ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ ଭ୍ରମଣ କରି ବିଭିନ୍ନ ରାସାୟନିକ ବିଶ୍ଳେଷଣ କରିପାରିବା ପାଇଁ ସମର୍ଥ। ପ୍ରଜ୍ଞାନ ରୋଵର ରାସାୟନିକ ବିଶ୍ଳେଷଣ ଦ୍ୱାରା ସଂଗୃହିତ ସମସ୍ତ ତଥ୍ୟ ଏହା ବିକ୍ରମ ଲାଣ୍ଡରକୁ ପଠାଇବ। ଯାହା ବିକ୍ରମ ଲାଣ୍ଡର ଲୁନାର ଅରବିଟର ସହାୟତାରେ ଇସ୍ରୋକୁ ଯୋଗାଇଦେବ। ପ୍ରଜ୍ଞାନ ରୋଵରରେ ଅତ୍ୟାଧୁନିକ କ୍ୟାମେରା ଶହ ଅନେକ ବୈଜ୍ଞାନିକ ଉପକରଣ ଖଞ୍ଜା ଯାଇଅଛି। ଏହାର କାର୍ଯ୍ୟକାଳ ମଧ୍ୟ ୧୪ଦିନ ଧାର୍ଯ୍ୟ କରାଯାଇଛି।

ତେବେ ବର୍ତ୍ତମାନ ପରିସ୍ଥିତିରେ ଲୁନାର ଅରବିଟର ତାର ନିର୍ଦ୍ଧାରିତ କାର୍ଯ୍ୟ ସଫଳତାର ସହ କରୁଛି। ଏହା ଚନ୍ଦ୍ରର ପରିକ୍ରମା କରିବା ସହ ଚନ୍ଦ୍ରର ବିଭିନ୍ନ ଭାଗର ସ୍ଥିର ଚିତ୍ର ତଥା ଅନ୍ୟାନ୍ୟ ତଥ୍ୟ ଇସ୍ରୋକୁ ପଠାଉଛି। ଏହି ଅରବିଟର ସାହାଯ୍ୟରେ ହିଁ ଇସ୍ରୋ ସହ ସମ୍ପର୍କ ବିଚ୍ଛିନ୍ନ ହେଲାପରେ ବିକ୍ରମ ଲାଣ୍ଡରର ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିଛି। ଇସ୍ରୋର ଅନୁମାନ ଅନୁଯାଇ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠରେ ଲାଣ୍ଡିଙ୍ଗ ସମୟରେ ତାର ବେଗରେ ନିୟନ୍ତ୍ରଣ ହରାଇଛି। ଯାହା ଫଳରେ ଚନ୍ଦ୍ରପୃଷ୍ଠରେ ସଠିକ ଭାବେ ଅବତରଣ (ସଫ୍ଟ ଲାଣ୍ଡିଙ୍ଗ) କରିପାରିନାହିଁ ଏବଂ ଇସ୍ରୋ ସହ ଏହାର ସମ୍ପର୍କ ବିଛିନ୍ନ ହୋଇଛି। ତେବେ ଅରବିଟର ପଠାଇଥିବା ଫଟୋ ଅନୁଯାଇ ବିକ୍ରମ ଲାଣ୍ଡରର କୌଣସି ଭୌତିକ କ୍ଷତି ହୋଇ ନ ଥିବା ପରି ଜଣାପଡୁଛି। କିନ୍ତୁ ଏହା ଓଲଟା ଭାବରେ ଚନ୍ଦ୍ରପୃଷ୍ଠରେ ପଡିଥିବାର ଦେଖାଯାଉଛି। ତେବେ ଇସ୍ରୋର ବୈଜ୍ଞାନିକ ମାନେ ବିକ୍ରମ ଲାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଯଦି ବୈଜ୍ଞାନିକ ମାନେ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୁଅନ୍ତି ତେବେ ପ୍ରଜ୍ଞାନ ରୋଵର ସାହାଯ୍ୟରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ରାସାୟନିକ ତଥ୍ୟ ସଂଗ୍ରହରେ ସେମାନେ ସଫଳ ହୋଇପାରିବେ ବୋଲି ଇସ୍ରୋର ବୈଜ୍ଞାନିକ ମାନେ ଆଶା ରଖିଛନ୍ତି।

chandrayaan-2

Image Credit: Scientific sources

ଶେଷରେ ସବୁଠାରୁ ବଡ ପ୍ରଶ୍ନ ଭାରତ ଭଳି ଏକ ବିକାଶଶୀଳ ଦେଶ ଶହଶହ କୋଟି ବ୍ୟୟ କରି ଚନ୍ଦ୍ରଯାନ, ମଙ୍ଗଳଯାନ ଓ ଗଗନଯାନ ପ୍ରସ୍ତୁତ କରିବାର କ’ଣ ଆବଶ୍ୟକତା ରହିଛି?

ସାଧାରଣ ଭାବେ କୁହାଯାଏ ଯେଉଁ ଦେଶର ବିଜ୍ଞାନ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ। ତେବେ ଇସ୍ରୋ ଯେ କେତେ ସମର୍ଥ ତାହା ଆମେ ଇସ୍ରୋ ଦ୍ୱାରା ସଫଳତାର ସହ ମାତ୍ର ୪୫୦ କୋଟି ଟଙ୍କା ବ୍ୟୟରେ କରାଯାଇଥିବା ମଙ୍ଗଳ ମିଶନରୁ ହିଁ ଅନ୍ଦାଜ ଲଗାଯାଇପାରିବ। ତେବେ ଅନ୍ତରୀକ୍ଷ ଗବେଷଣା ଦ୍ୱାରା ନୂଆ ନୂଆ ଔଷଧର ଆବିଷ୍କାର ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ନୂଆ କୌଶଳର ଉଦ୍ଭାବନ, ପାଣିପାଗ ସମ୍ବନ୍ଧୀୟ ସୂଚନା, ବିଜ୍ଞାନ କ୍ଷେତ୍ରରେ ଅନେକ କର୍ମ ନିଯୁକ୍ତି ତଥା ଅନେକ ବୈଜ୍ଞାନିକ ପ୍ରୟୋଗରେ ସହାୟତା ହୋଇଥାଏ। ତେବେ ଇସ୍ରୋ ଅତି କମ୍‌ ଖର୍ଚ୍ଚରେ ଉପଗ୍ରହ ଉତ୍‌କ୍ଷେପଣ କରିପାରୁଥିବାରୁ ବିଶ୍ୱର ଅନେକ ଦେଶ ତାଙ୍କର ଉପଗ୍ରହ ଗୁଡିକୁ ଇସ୍ରୋର ରକେଟ ସହାୟତାରେ ଉତକ୍ଷେପଣ କରୁଛନ୍ତି। ଯାହା ଫଳରେ ଆମ ଦେଶକୁ ମଧ୍ୟ ତାହାର ଆର୍ଥିକ ଲାଭ ମିଳିପାରୁଛି। ଏଠାରେ ପ୍ରକାଶ ଥାଉକି ନିକଟ ଅତୀତରେ ଆମ ଇସ୍ରୋ ଏକା ସାଙ୍ଗରେ ୧୦୪ଟି ଉପଗ୍ରହ ଅନ୍ତରୀକ୍ଷକୁ କ୍ଷେପଣ କରି ଏକ ଐତିହାସିକ ବିଶ୍ୱ ରେକର୍ଡ କରିଥିଲା।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like