ମାତ୍ର ୧୩ ଦିନରେ ଧୂଳି ଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା ।  ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତ ।

 ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ ଫୌଜକୁ ଭାରତୀୟ ସେନା ପରାସ୍ତ କରିଥିଲା । ମିଳିଥିବା ସୂଚନା ଅନୁସାରେ ଭାରତ ପାକିସ୍ତାନର ପ୍ରାୟ ୧ ଲକ୍ଷ ଯବାନଙ୍କୁ ବନ୍ଦୀ କରିନେଇଥିଲା ଏହାସହ ପାକିସ୍ତାନରୁ ବାଂଲାଦେଶକୁ ମୁକ୍ତ କରିଥିଲା । ପରେ ପରେ ନୂଆ କରି ଗଠନ ହେଲା ବାଂଲାଦେଶ । ତେଣୁ ପ୍ରତିବର୍ଷ ଡିସେମ୍ବର ୧୬ କୁ ବିଜୟ ଦିବସ ଭାବରେ ପାଳନ କରାଯାଏ ।

୧୯୭୧ ମସିହା ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା । ଯାହାକୁ ‘ପୂର୍ବ ପାକିସ୍ତାନ’ ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନର ପାକିସ୍ତାନକୁ ‘ପଶ୍ଚିମ ପାକିସ୍ତାନ’ କୁହାଯାଉଥିଲା। ‘ପୂର୍ବ ପାକିସ୍ତାନ’ର ଲୋକମାନେ ବର୍ଷ ବର୍ଷ ଧରି ସଂଗ୍ରାମ ତଥା ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ କରୁଥିଲେ । ଲୋକଙ୍କୁ ମାଡ ଦିଆଯାଉଥିଲା, ଶୋଷଣ କରାଯାଉଥିଲା, ଦୁଷ୍କର୍ମ ସହ ହତ୍ୟା ବି କରାଯାଉଥିଲା। ଏହି ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ପଣ କରି ଆଗକୁ ବଢିଥିଲା ।

ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ବାଂଲାଦେଶରେ ମୁକ୍ତି ବାହୀନୀ ନାମକ ଏକ ସଂଗଠନ ବି ଗଠନ କରାଯାଇଥିଲା । ଯେଉଁ ସଂଗଠନରେ ଅନେକ ଆନ୍ଦୋଳନକାରୀ ଯୋଗ ଦେଇଥିଲେ । ତେବେ କ୍ରମାଗତ ଭାବରେ ପାକିସ୍ତାନୀର ଅତ୍ୟାଚାରକୁ ସହୟ କରିପାରିନଥିଲେ ବାଂଲାଦେଶର ନାଗରିକ ମାନେ । ଧୀରେ ଧୀରେ ଧୀନତା ଲାଗି ତେଜିଲା ଆନ୍ଦୋଳନ। ସ୍ୱାଧୀନତା ପାଇଁ ମୁକ୍ତି ବାହୀନୀ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ତେବେ ୧୯୭୧ ମସିହା ଡିସେମ୍ବର ୩ ତାରିଖରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଯାହା କି ଶେଷରେ ବାଂଲାଦେଶର ଗଠନ କରିଥିଲା । ପାକିସ୍ତାନୀ ସେନାଙ୍କଠାରୁ ମୁକ୍ତି ପାଇଥିଲେ ବାଂଲାଦେଶର ନାଗରିକ । ତେବେ ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତ । ତେଣୁ ଡିସେମ୍ବର ୧୬ କୁ ବିଜୟ ଦିବସ ରୂପେ ପାଳନ କରେ ଭାରତ ।

You might also like