କମୁଛି ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍

ଇଣ୍ଡିଅା ଟୁଡେ ସର୍ଭେରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଲେ

ଭୁବନେଶ୍ୱର : ଜୁଲାଇ ୩ , ୨୦୧୭ । ଇଣ୍ଡିଅା ଟୁଡେର କଭରପେଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାସନିକ ଦକ୍ଷତା ପାଇଁ ମାଗାଜିନ୍‌ର ଲେଖାରେ ନବୀନଙ୍କୁ ମିଳିଥିଲା ଅନେକ ବାହାବା। ଅାଉ ବର୍ଷକ ପରେ ମାଗାଜିନର ସଦ୍ୟତମ ସଂସ୍କରଣରେ ‘ମୁଡ୍ ଅଫ ଦି ନେସନ’ ପୋଲ୍‌ର ସର୍ଭେ ରେଜଲ୍ଟ ଅନୁଯାୟୀ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ କମୁଛି।

ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଷଷ୍ଠ ସ୍ଥାନକୁ ଖସିଛନ୍ତି। ଏକ ନମ୍ବରରେ ଅଛନ୍ତି ମମତା ବାନାର୍ଜୀ।  ସେହପିରି ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ସର୍ଭେରେ ନବୀନଙ୍କୁ ଏବେ ମିଳିଛି ୨ ପ୍ରତିଶତ ଭୋଟ। ଜାନୁଅାରୀରେ ନବୀନ ପାଇଥିଲେ ୫ ପ୍ରତିଶତ ଭୋଟ ଅର୍ଥାତ ଏଠିବି ନବୀନ ପଛେଇଛନ୍ତି। ତେବେ ରାଜ୍ୟରେ କିନ୍ତୁ ନବୀନ ତାଙ୍କ ଲୋକପ୍ରିୟତା ବଜାୟ ରଖିଥିବା ସର୍ଭେରେ ଦର୍ଶାଯାଇଛି।

ପୂର୍ବରୁ ଅାଉଟଲୁକ୍‌ ମାଗାଜିନ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ଦେବା ପରେ ବିଜେଡି ବ୍ରାଣ୍ଡ ନବୀନଙ୍କୁ ଅାଗକୁ ଅାଣି ରାଜ୍ୟ ତମାମ ଉତ୍ସବ ମନାଇଥିଲା ବିଜେଡି। ଇଣ୍ଡିଅା ଟୁଡେ ‘ମୁଡ୍ ଅଫ ଦ ନେସନ’ ପୋଲରେ ମୋଦି ଓ ଏନଡିଏର ଲୋକପ୍ରିୟତା ବି କମୁଥିବା ଦର୍ଶାଯାଇଛି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ଜାନୁଅାରୀରେ ମୋଦି ୫୩ ପ୍ରତିଶତ ଭୋଟ ପାଇଥିବା ବେଳେ ଏବେ ଏହା କମି ୪୯ ପ୍ରତିଶତକୁ ଅାସିଛି। ସେହିପରି ଏନଡିଏର ଅାସନ ବି ଜାନୁଅାରୀ ମାସ ସର୍ଭେ ତୁଳନାରେ କମିଛି।

ଏବେ ନିର୍ବାଚନ ହେଲେ ଏନଡିଏ ଖାତାକୁ ସର୍ବାଧିକ ୨୮୧ଟି ଲୋକସଭା ଅାସନ ଯିବ ବୋଲି ଏଥିରେ କୁହାଯାଇଛି। ଜାନୁଅାରୀରେ ଏହି ସଂଖ୍ୟା ୩୦୯ ଥିଲା। ଏପଟେ ଲୋକପ୍ରିୟତାର ଗ୍ରାଫ୍‌ରେ ୟୁପିଏ ଅାଗକୁ ବଢିଛି। ଜାନୁଅାରୀ ୟୁପିଏ ଖାତାରେ ୧୦୨ ଅାସନ ଥିବା ବେଳେ ଏବେ ଏହା ବଢି ୧୨୨ରେ ପହଁଞ୍ଚିଛି।

ଅନ୍ୟ ଦଳଙ୍କ ଖାତାକୁ ଯାଉଛି ୧୪୦ ଅାସନ ଅର୍ଥାତ ଏବେ ନିର୍ବାଚନ ହେଲେ ଅନ୍ୟ ଦଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଏହି ସର୍ଭେ କହୁଛି। ବଡ କଥା ହେଉଛି ବିଜେଡି, ଟିଅାରଏସ୍‌ ଭଳି ଅାଞ୍ଚଳିକ ଦଳ ସହ ଏନଡିଏ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିପାରେ ବୋଲି ଏଥିରେ ଅାକଳନ କରାଯାଇଛି। ଅାଉ ଏପରି ହେଲେ ଏନଡିଏ ୨୮୨ ଅାସନ ପାଇ ସରକାରକୁ ଫେରିବ। ବିଜେପି କିନ୍ତୁ ଏ ସର୍ଭେକୁ ଗ୍ରହଣ କରୁନି।

ମୁଡ୍ ଅଫ୍‌ ନେସନର ସର୍ଭେ ଅନୁସାରେ ,ଏନଡିଏ ନୂଅା ସାଥୀ ଖୋଜୁଛି। ଅାଉ ଏ ସାଥୀ ତାଲିକାରେ ବିଜେଡି ବି ଅଛି। ରାଷ୍ଟ୍ରପତି ନିର୍ବାଚନ ଠାରୁ ଅାରମ୍ଭ କରି ବିମୁଦ୍ରାକରଣ, ଜିଏସଟି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପରି କିଛି ପ୍ରସଙ୍ଗରେ ବିଜେଡି ଏନଡିଏ ସହ ଯାଇଛି। ଏବେ ନଜର ଏହି ‘ମୁଡ୍ ଅଫ୍ ଦି ନେସନ୍’ ପୋଲ୍ କେତେ ସତ ହେଉଛି।

You might also like