ଅଯୋଧ୍ୟାରେ ଶିବସେନା ଓ ବିଶ୍ୱ ହିନ୍ଦୁ ପରିଷଦର ବିଶାଳ ସମାବେଶ

ତେଜିଲା ରାମ ମନ୍ଦିର ନିର୍ମାଣ ଦାବି

ନୂଆଦିଲ୍ଲୀ : ଜୟ ଶ୍ରୀରମ ଧ୍ୱନୀରେ କମ୍ପୁଛି ଅଯୋଧ୍ୟା । ରାମମନ୍ଦିର ନିର୍ମାଣ ଦାବିରେ ଅଯୋଧ୍ୟାରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକ୍‌ରେଙ୍କ ଶିବ ସେନାର ହଜାର ହଜାର କର୍ମୀ। ନିଜେ ଉଦ୍ଧବ ବି ଦୁଇ ଦିନ ହେଲା ସେଠାରେ ଡେରା ପକାଇଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ଯଦି ମନ୍ଦିର ନିର୍ମାଣ ନକରନ୍ତି ତେବେ କ୍ଷମତାରେ ରହିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ଶିବ ସେନା ରାମ ମନ୍ଦିର ପ୍ରସଙ୍ଗକୁ ହାଇଜାକ୍ କରିଥିବା ବିଜେପି ଅଭିଯୋଗ କରିବା ସହ ମନ୍ଦିର ନିର୍ମାଣ ଅଭିଯାନରେ ଶିବ ସେନା କେବେ ବି ସାମିଲ ନଥିଲା ବୋଲି କହିଛନ୍ତି।

ସେପଟେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ଅଯୋଧ୍ୟାରେ ଧର୍ମସଭାର ଅାୟୋଜନ କରାଯାଇଛି। ସାରା ଦେଶରୁ ସାଧୁସନ୍ଥମାନେ ଏଥିରେ ସାମିଲ ହୋଇଛନ୍ତି। ରାମ ମନ୍ଦିର ନିର୍ମାଣ ନେଇ ଏଥିରେ ବିଚାରବିମର୍ଶ କରାଯାଇଛି। ଅନ୍ୟପକ୍ଷରେ ବିବାଦୀୟ ଜମିକୁ ତିନି ଭାଗରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ନେଇ ଧର୍ମସଭାରେ ଉଠିଛି ବିରୋଧର ସ୍ୱର।

ଭିଏଚ୍‌ପି ଓ ଶିବସେନାର କାର୍ଯ୍ୟକ୍ରମକୁ ଦେଖି ଅଯୋଧ୍ୟା ସୁରକ୍ଷାକର୍ମୀଙ୍କ ଛାଉଣୀରେ ପରିଣତ ହୋଇଛି। ତେବେ ଏହା ଧର୍ମ ସମ୍ମିଳନୀ ହୋଇଥିବାରୁ ଏଥିରେ କେହି ବିବ୍ରତ ହେବା ଅାବଶ୍ୟକ ନାହିଁ। ଉତ୍ତରପ୍ରଦେଶ ସରକାର କହିଛନ୍ତି।

ସେପଟେ  ମହାରାଷ୍ଟ୍ର ନାଗପୁରରେ ବି ଭିଏଚ୍‌ପି ରାଲି କରିଛି। ଏଥିରେ ଅାରଏସଏସ ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଛନ୍ତି। ତେଣେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଯୋଧ୍ୟା ମାମଲାର ଶୁଣାଣି ୨୦୧୯ ନିର୍ବାଚନ ସରିବା ଯାଏଁ ଟାଳି ଦେବାକୁ କଂଗ୍ରେସର ଜଣେ ରାଜ୍ୟସଭା ସଂସଦ ତଥା ବରିଷ୍ଠ ଓକଲ କୋର୍ଟଙ୍କୁ କହିଥିବା ମୋଦି ଅଭିଯୋଗ ଅାଣିଛନ୍ତି।

You might also like