ଏଣିକି ପ୍ଲାଷ୍ଟିକ ଦେଲେ ମିଳିବ ମାଗଣା ଖାଇବା: ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁବିଧା

ପ୍ଲାଷ୍ଟିକ ଦିଅ, ଖାଇବା ନିଅ

ନୂଆଦିଲ୍ଲୀ: ଏଣିକି ଅଳିଆ  ପ୍ଲାଷ୍ଟିକ ଦେଲେ ମିଳିବ ଖାଇବା। ଅଳ୍ପ ନୁହେଁ ବରଂ ପେଟପୂରା ମିଳିବ ଖାଦ୍ୟ। ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀରେ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ ଆରମ୍ଭ କରିଛି। ଆଉ ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ ଦେଇ ଖାଦ୍ୟ ନେଉଛନ୍ତି ଯାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କାରଣ ଅଦରକାରୀ ପ୍ଲାଷ୍ଟି ଦେଇ ମାଗଣାରେ ଖାଇବାକୁ କିଏ ବା ପସନ୍ଦ ନକରିବ?

ଦ୍ୱାରକାର ନଜଫଗଡ ଜୋନ୍ ସ୍ଥିତ ବର୍ଦ୍ଧମାନ ପ୍ଲସ୍ ସିଟି ମଲରେ ଡାଇମଣ୍ଡ ସୁଇଟ୍ସ ଗାରବେଜ୍ କାଫେ ଆରମ୍ଭ କରିଛି । ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ୍ ବା ପ୍ଲାଷ୍ଟିକ୍ ଆବର୍ଜନା ଦେଇ ଭୋଜନ କରିପାରିବେ । ଏହି କାଫେରେ ଅଳିଆ ବଦଳରେ ବ୍ରେକ୍ ଫାଷ୍ଟ, ଲଞ୍ଚ୍, ଡିନର ବା ମିଠା ଆପଣ ପେଟ ଭରିକି ଖାଇପାରିବେ।

ସ୍ୱଚ୍ଛ ଭାରତ ଅଭିଯାନ ଅନୁସାରେ ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏହି ପଦକ୍ଷେପ ଅନୁସାରେ ଆପଣ ଗାରବେଜ୍ କାଫେରେ ୧ କିଲୋ ଅଳିଆ ବଦଳରେ ବ୍ରେକ୍ ଫାଷ୍ଟ କରିପାରିବେ ବା ଲଞ୍ଚ୍ କିମ୍ବା ଡିନର କରିପାରିବେ ବୋଲି ଜଣାଯାଇଛି । ଯଦି ଆପଣ କିଛି ଖାଇବାକୁ ଚାହୁଁନାହାଁନ୍ତି ତେବେ ଆପଣ ଘରକୁ ମିଠା ନେଇଯାଇପାରିବେ  ।ନଜଫଗଡ ଜୋନର ଡେପୁଟି କମିଶନର,”ରାଧାକୃଷ୍ଣ କହିଛନ୍ତି କି ଲୋକମାନେ ଯେଉଁ ଅଦରକାରୀ ପ୍ଲାଷ୍ଟିକ୍ ଦେଉଛନ୍ତି ତାକୁ ଡି କମ୍ପୋଜ୍ କରାଯାଉଛି, ଏବଂ ଲୋକମାନଙ୍କୁ ପରିବେଶ ପ୍ରତି ସଚେତନ କରିବା ପାଇଁ ଏହି ପଦକ୍ଷେପ ଉଠାଯାଇଛି”। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ଲାଷ୍ଟିକ ଅଳିଆ ରାସ୍ତାରେ ପଡ଼ି ପ୍ରଦୂଷଣ ମାତ୍ରାକୁ ବଢାଉଛି ଯାହାଦ୍ୱାରା ପରିବେଶ  ପ୍ରଦୂଷଣ ମଧ୍ୟ ହେଉଛି। ତେଣୁ ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ପଦକ୍ଷେପ ବୋଲି ସେ କହିଛନ୍ତି।

ଏହାସହ ସେ, କହିଛନ୍ତି କି ଅନ୍ୟ କିଛି ଦୋକାନୀଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି, କିନ୍ତୁ ବର୍ତ୍ତମାନ ସମୟରେ ଡାଇମଣ୍ଡ ସୁଇଟ୍ସର ମାଲିକ ଏହି ଅଭିଯାନରେ ଆମକୁ ସହଯୋଗ କରିଛନ୍ତି । ଏହି ଦୋକାନରେ ଏକ ସ୍ଲୋଗାନ ମଧ୍ୟ ଲେଖାଯାଇଛି ଯେଉଁଥିରେ କୁହାଯାଇଛି କି ୱେଷ୍ଟ ପ୍ଲାଷ୍ଟିକ୍ ଆଣ ଆଉ ଫ୍ରିରେ ମିଲ୍ ନିଅ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ଦୋକାନଟି ସକାଳଠାରୁ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ତେଣୁ ଯିଏ ଯେଉଁ ସମୟରେ ଅଳିଆ ଆଣୁଛି ସିଏ ସେହି ସମୟ ଅନୁସାରେ ଖାଇବା ପାଉଛି। ଯଦି ଆପଣ ୧ କିଲୋ ପ୍ଲାଷ୍ଟିକ ଆଣିବେ ତେବେ ଅଧ କିଲେ ମିଠା ଆଉ ୫ କିଲୋ ଆଣିଲେ ୧ କେଜି ମିଠା ସେମାନଙ୍କୁ ଦିଆଯାଉଥିବା ଜଣାଯାଇଛି।

ନଗର ନିଗମର ଏପରି ଅଭିଯାନକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଉଥିବା ବେଳେ ମିଠା ଦୋକାନୀଙ୍କୁ ନେଇ ମଧ୍ୟ ଜୋରସୋରରେ ଚର୍ଚ୍ଚା ଚାଲିଛି।

You might also like