ଲକ୍‌ଡାଉନ୍‌: ଭୋକ ବିକଳରେ ଖାଦ୍ୟ ପାଇଁ ମଣିଷ ଓ କୁକୁର ପ୍ରତିଯୋଗିତା

ଲକ୍ଷ୍ନୌ: କରୋନା ମହାମାରୀର ସାରା ବିଶ୍ୱକୁ ଦୋହଲେଇ ଦେଇଛି।  ପ୍ରତିଦିନ ହଜାର ହଜାର ମଣିଷଙ୍କର ଜୀବନ ଯାଉଛି। ଭାଇରସ୍‌କୁ ରୋକିବାକୁ ପାଇଁ ସବୁ ଏବେ ଘରେ ବନ୍ଦୀ। ସାରା ବିଶ୍ୱ ସମେତ ଭାରତରେ ବି ଲକ୍‌ଡାଉନ୍‌ ଜାରି ରହିଛି। ଅତି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ ବାହାରୁନାହାନ୍ତି। ଜନଜୀବନ ଏକ ପ୍ରକାର ଅଚଳ ହୋଇଯାଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଶ୍ରେଣୀର ଲୋକେ। ପ୍ରବାବିତ ହୋଇଛି ତାଙ୍କ ଜୀବନ ଜୀବିକା। ଏପରି ସ୍ଥିତିରେ କିଏ ସରାକରଙ୍କର ଅନୁଦାନକୁ ଅନେଇ ବସିଛି ତ ଆଉ କିଏ ସ୍ୱେଚ୍ଛା ସେବୀଙ୍କ ସେବାମନବୃତ୍ତିରୁ ନିଜ ପେଟ ପାଇଁ ପାଇଁ ମୁଠେ ଦାନା ମାଗିଆଣୁଛି। ତେବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ମଧ୍ୟ ଖାଇବାକୁ ଡହଳବିକଳ। ଏଭଳି ସମୟରେ ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିବ୍ରତ କରିଦେବ।

ଆଗ୍ରାର ରାମବାଗ ଛକ ନିକଟରେ ରାସ୍ତା ଉପରେ ଢାଳି ହୋଇଯାଇଥିବା କ୍ଷୀରକୁ ଏପଟେ କୁକୁର ପିଉଛି ତ ସେପଟେ ଆଞ୍ଜୁଳା ଆଞ୍ଜୁଳା କରି ପଡ଼ିଯାଇଥିବା ‍କ୍ଷୀରକୁ ତୋଳୁଛି ମଣିଷ।

ସୂଚନା ଅନୁଯାୟୀ, ଆଗ୍ରାର ରାମବାଗ ଛକ ନିକଟରେ ଏକ କ୍ଷୀର କଣ୍ଟେନର ଓଲଟି ପଡ଼ିଥିଲା। ଯାହାଦ୍ୱାରା କଣ୍ଟେନରେ ଥିବା ସମସ୍ତ କ୍ଷୀର ତଳେ ଢାଳିଯାଇଥିଲା। ଏହି ସମୟରେ କିଛି ବୁଲା କୁକୁର ଭୋକ ବିକଳରେ ତଳେ ବୋହୁଥିବା କ୍ଷୀର ଧାରାକୁ ପିଇ ଶୋଷ ଓ ଭୋକ ମେଣ୍ଟାଉଥିଲେ। ଅନ୍ୟପଟେ ଭୋକ ଉପାସରେ ଛଟପଟ ହେଉଥିବା ଜଣେ ବ୍ୟକ୍ତି ସେହି କ୍ଷୀରକୁ ଆଞ୍ଜୁଲା ଆଞ୍ଜୁଳା କରି ତୋଳି ରଖୁଥିଲେ। ଭୋକବିକଳରେ କୁକୁରମାନେ ଶୀଘ୍ର ଶୀଘ୍ର କ୍ଷୀରକୁ ପିଉଥିବାବେଳେ ବ୍ୟକ୍ତି ଜଣଙ୍କ ସେହିଭଳି ଶୀଘ୍ର ଶୀଘ୍ର ଆଞ୍ଜୁଳା ଆଞ୍ଜୁଳା କରି କ୍ଷୀରକୁ ଏକ ପାତ୍ରରେ ରଖୁଥିଲା। କୁକୁର କ୍ଷୀରକୁ ମୁହଁମାରି ପିଉଥିଲେ ହେଁ ବ୍ୟକ୍ତି ଜଣଙ୍କ ଏହାକୁ ଖାତିର ନକରି ରାସ୍ତା ଉପରୁ କ୍ଷୀରକୁ ସଂଗ୍ରହ କରିବାରେ ଲାଗିପଡ଼ିଥିଲେ। ଏହି ଦୃଶ୍ୟକୁ ଅଭିନେତ୍ରୀ ରିଚା ଚଡ୍ଡା ଟ୍ୱିଟ୍‌ରେ ଅପଲୋଡ୍‌ କରିଥିଲେ। ଏହାପରେ ଭଡିଓଟି ଖୁବ୍ ଭାଇରଲ୍‌ ହୋଇଛି।

 

You might also like