କୁନି ପିଲାଙ୍କୁ ବସ୍ତାନୀ ବୋଝ ଓ ହୋମ୍ଓ୍ୱାର୍କ ଚାପ କମାଇବାକୁ କେନ୍ଦ୍ରର ଗାଇଡ୍‌ଲାଇନ୍ସ

ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ୱାଗତ

ନୂଆଦିଲ୍ଲୀ : କୁନି କୁନି ପିଲାଙ୍କୁ ମିଳିବ ବସ୍ତାନି ବୋଝରୁ ଅାଶ୍ୱସ୍ତି। କୋମଳମତି ପିଲାଙ୍କ ଉପରେ ରହିବନି ହୋମ୍ ଓ୍ୱାର୍କର ଚାପ। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ଜାରି ହୋଇଛି ଗାଇଡ୍ ଲାଇନ୍ସ। କେଉଁ ଶ୍ରେଣୀର ପିଲାକୁ କଣ ପଢ଼ାଯିବ ଓ ସେମାନଙ୍କ ସ୍କୁଲ ବ୍ୟାଗର ଓଜନ କେତେ ରହିବ ତାର ଏକ ନିର୍ଦ୍ଦିଷ୍ଟ ବିବରଣୀ ଦିଅାଯାଇଛି।

ଗାଇଡ୍‌ଲାଇନ୍ସ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ଦେଢ଼ କେଜି ଭିତରେ ରହିବ ସ୍କୁଲ ବ୍ୟାଗର ଓଜନ। ତୃତୀୟରୁ ପଞ୍ଚମ ଯାଏଁ ୨ରୁ ୩ କେଜି, ଷଷ୍ଠ ଓ ସପ୍ତମ ପାଇଁ ୪ କେଜି, ଅଷ୍ଟମ ଓ ନବମ ଲାଗି ସାଢେ ୪କେଜି ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ୍ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଅାଯାଇଛି।

ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ଲାଗି ମୋଟେ ରହିବନି ହୋମଓ୍ୱାର୍କ। ତାସହ ଏ ଦୁଇ ଶ୍ରେଣୀରେ କେବଳ ଭାଷା ଓ ଗଣିତ ପଢାଯିବ। ତେବେ ତୃତୀୟରୁ ପଞ୍ଚମ ଯାଏଁ ଭାଷା ଓ ଗଣିତ ସହ ପରିବେଶ ବିଜ୍ଞାନ ବିଷୟରେ ପଢାଯିବ। ଏଭଳି ଗାଇଡ୍‌ଲାଇନ୍ସକୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ୱାଗତ କରାଯାଇଥିବା ବେଳେ ତର୍ଜମା ପରେ ନିଷ୍ପତ୍ତି ନିଅାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଏହି ଗାଇଡ୍‌ଲାଇନ୍ସ ପିଲାଙ୍କ ପାଇଁ ହିତକର ମାତ୍ର ଏହା ଉଲ୍ଲଂଘନ କରୁଥିବା ଶିକ୍ଷାନୁଷ୍ଠାନ ବିରୋଧରେ ଦଣ୍ଡ ବ୍ୟବସ୍ଥା ରହିଲେ ଏହା ଫଳପ୍ରଦ ହେବ ବୋଲି କହିଛି ଅଭିଭାବକ ସଂଘ। ବିଶେଷକରି ଇଂରାଜୀ ମଡିୟମ୍ ସ୍କୁଲ୍ ଗୁଡ଼ିକରେ ବ୍ୟାଗ ବୋଝ ସାଙ୍ଗକୁ ହୋମଓ୍ୱାର୍କ ଚାପ ଅଧକ ଥିବା କହିଛି ସଂଘ।

ଏବେ ଅପେକ୍ଷା ବାସ୍ତବ କ୍ଷେତ୍ରରେ କେତେ କାର୍ଯ୍ୟକାରୀ ହେଉଛି କେନ୍ଦ୍ରର ଏ ଗାଇଡଲାଇନ୍ସ।

You might also like