କରୋନା ଟିକା ନେବା ପାଇଁ Co-WIN ପୋର୍ଟାଲ୍‌ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ କରୋନାଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ।

ନିର୍ଦ୍ଧାରିତ ବର୍ଗର ଲୋକଙ୍କ ନାଁ ପଞ୍ଜୀକରଣ ପାଇଁ କୋ-ୱିନ୍‌ ଆପ୍‌ ୨.୦ ପୋର୍ଟାଲ୍‌ ଖୋଲାଯାଇଛି। ତେଣୁ ଲୋକମାନେ ଏହି ପୋର୍ଟାଲ୍‌ରେ ନା ପଞ୍ଜୀକରଣ କରି ଟିକା ନେଇପାରିବେ। ଏହି ପୋର୍ଟାଲ୍‌ରେ ନାଁ ପଞ୍ଜୀକରଣ କଲେ ଲୋକେ ଦେଶର ଯେ କୌଣସି ସ୍ଥାନରେ ଯେ କୌଣସି ମୁହୂର୍ତ୍ତରେ ଟିକା ନେଇପାରିବେ। ଆରୋଗ୍ୟ ସେତୁ ଆପ୍‌ରେ ଆଇଟି ଆପ୍ଲିକେସନ୍‌ ମାଧ୍ୟମରେ ମଧ୍ୟ ନା ପଞ୍ଜୀକରଣ କରାଇପାରିବେ।

ତେଣୁ ଏଥିପାଇଁ ୧ ତାରିଖ ସକାଳ ୯ଟା ଠାରୁ  www.cowin.gov.in ପୋର୍ଟାଲ୍‌ରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଦିନ ୩ଟା ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ। ସେହିଭଳି ଟିକାକରଣ କେନ୍ଦ୍ର ମଧ୍ୟ ସକାଳ ୯ଟା ଠାରୁ ଦିନ ୩ଟା ପର୍ଯ୍ୟନ୍ତ ଜାରି ରହୁଛି। ଏହି ପର୍ଯ୍ୟାୟରେ ଦଶ ହଜାରରୁ ଅଧିକ କେନ୍ଦ୍ରରେ ଟିକା ଦିଆଯାଉଛି। ଏହି ସେଣ୍ଟରଗୁଡ଼ିକରେ ନିର୍ଦ୍ଧାରିତ ବର୍ଗର ଲୋକେ ସମ୍ପୂର୍ଣ୍ଣ ମାଗଣାରେ ଟିକା ନେଉଛନ୍ତି। କିନ୍ତୁ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଟିକା ନେଲେ ପେମେଣ୍ଟ କରିବାକୁ ପଡ଼ିବ।

ତେଣୁ ଟିକା ନେବାକୁ ହେଲେ ଆପଣ କେମିତି  Co-WIN ପୋର୍ଟାଲ୍‌ରେ ନାଁ ପଞ୍ଜୀକରଣ କରିବେ ତାହା ଜାଣିବା ନାହାତି ଦରକାର। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

ଆପ୍‌ ଓ https://www.cowin.gov.in/ ପୋର୍ଟାଲ୍‌ରେ କେମିତି ପଞ୍ଜୀକରଣ କରିବେ ?

  • cowin.gov.in  ଲଗ୍‌ ଅନ୍‌ କରି ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ।
  • ଏହାପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏସ୍‌ଏମ୍‌ଏସ୍ ସାହାଯ୍ୟରେ ଏକ ଓଟିପି ଆସିବ।
  • ଏହି ଓଟିପିକୁ ଏଣ୍ଟର କରି ଭେରିଫାଏ ବଟନ୍ ଉପରେ କ୍ଲିକ୍‌ କରନ୍ତୁ।
  • ଓଟିପି ମିଶିବା ପରେ ‘’Registration of Vaccination’’ ପେଜ୍ ଖୋଲିଯିବ।
  • ଏହାପରେ ସେଠାରେ ପଚରାଯାଇଥିବା ସମସ୍ତ ତଥ୍ୟ ଯଥା ଆପଣଙ୍କର ଫଟୋ ଓ ଭୋଟର ଆଇଡି ପ୍ରମାଣପତ୍ର ଆଦି, ଏମିତିକି ଆପଣଙ୍କର ଆଉ କଣ ସବୁ ରୋଗ ରହିଛି ସେ ବିଷୟରେ ବି ତଥ୍ୟ ହଁ ଓ ନାଁରେ ଦେବାକୁ ପଡ଼ିବ।
  • ସମସ୍ତ ତଥ୍ୟ ଦେଇସାରିବା ପରେ ଡାହାଣ ପଟର ଶେଷ ଆଡ଼କୁ ଥିବା “Register” (ପଞ୍ଜୀକରଣ) ସ୍ଥାନରେ କ୍ଲିକ୍ କରନ୍ତୁ।
  • ପଞ୍ଜୀକରଣ ସଫଳ ହେବା ପରେ ଆପଣଙ୍କ ପାଖକୁ ଏକ ସୁନିଶ୍ଚିତ ମେସେଜ୍‌ (କନଫରମେସନ୍ ମେସେଜ୍) ଆସିବ।
  • ଏହାପରେ ଆପଣଙ୍କୁ “Account Details” ଦେଖାଯିବ। ଏହି ପେଜ୍‌କୁ ଯାଇ ନିଜର ଆପଏଣ୍ଟମେଣ୍ଟକୁ ରଖିପାରିବେ ବା ଏହାକୁ ଅନୁସୂଚିତ(ସିଡ୍ୟୁଲ୍ଡ) କରିପାରିବେ।
  • “Account Details” ପେଜ୍‌ରେ ସିଡ୍ୟୁଲ୍ଡ ଆପଏଣ୍ଟମେଣ୍ଟ ପାଇଁ ଏକ ବଟନ ରହିଥିବ। ଏହାଉପରେ କ୍ଲିକ୍ କରି ନିଜର ଆପଏଣ୍ଟମେଣ୍ଟକୁ ସିଡ୍ୟୁଲ୍ଡ ବା ପ୍ଲାନିଂ କରିପାରିବେ।
  • ସେହିପରି ଆପଣ ଚାହିଁଲେ ଗୋଟିଏ ମୋବାଇଲ୍ ନମ୍ବର୍‌ରେ ଆଡ୍‌ ମୋର ବଟନ୍ ଉପରେ କ୍ଲିକ୍ କରି ଆଉ ୩ ଜଣଙ୍କୁ ମଧ୍ୟ ଲିଙ୍କ୍ କରିପାରିବେ। ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇସାରିବା ପରେ ଆଡ୍‌ ବଟନ୍ ଉପରେ କ୍ଲିକ୍ କରିଦେଲେ ସେମାନେ ବି ଆଡ୍ ହୋଇଯିବେ।

 

ସେହିପରି ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରି ମଧ୍ୟ ଆପଣ ଟିକା ନେବା ପାଇଁ ନାଁ ପଞ୍ଜୀକରଣ କରିପାରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ୟାବ୍ ରହିଛି। ଏଠାରେ ଆପଣ ସମସ୍ତ ତଥ୍ୟ ଦେଇ ଟିକାକେନ୍ଦ୍ରରୁ ଟିକା ନେଇପାରିବେ।

 

You might also like