କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

କଳାପାହାଡ ନାଁ ଶୁଣିଲେ ଆଖି ଆଗରେ ଭାସି ଉଠେ ଭୂଲୁଣ୍ଠିତ ମନ୍ଦିରର ଦୃଶ୍ୟ। ଭଗ୍ନ ମୁଖଶାଳାର ଚିତ୍ର। ମନ ଭିତରେ ନୀରବରେ ଗୁଞ୍ଜରି ଉଠେ ‘ଆସିଲା କଳାପାହାଡ଼…ଭାଙ୍ଗିଲା ଲୁହାର ବାଡ଼..’। ତେବେ କିଏ ଏହି କଳାପାହାଡ଼ ? ହିନ୍ଦୁ ମନ୍ଦିର ଉପରେ ତା’ର ଏତେ ରାଗ କାହିଁକି ? କାହିଁକି ମନ୍ଦିର ଲୁଣ୍ଠନ କରୁଥିଲା ? ଏ ସମସ୍ତ ପ୍ରଶ୍ନକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ।

କଳାପାହାଡ । ଓଡ଼ିଶା ଇତିହାସରେ ଏଇ ନାଁ ଆପଣ ନିଶ୍ଚିତ ଶୁଣିଥିବେ। ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଲୁଣ୍ଠନ କରି ଶ୍ରୀବିଗ୍ରହଙ୍କୁ ପୋଡ଼ି ପକାଇଲା ଭଳି ବିଭତ୍ସ କାର୍ଯ୍ୟଟି କରିଥିବା କୁହେ ଆମ ଇତିହାସ। ଏହି ଐତିହାସିକ ବର୍ବର ଚରିତ୍ରଟି ହିନ୍ଦୁରୁ ମୁସଲମାନ ପାଲଟିଥିଲା। ନାଁ ଥିଲା କଳାପାହାଡ ଓରଫ୍ ଗଜଦାନୀ ଓରଫ କଳାଚାନ୍ଦ। କିନ୍ତୁ କିଛି ଗବେଷକଙ୍କ ମତରେ ସେ ମୂଳତଃ ଆଫଗାନ ଥିଲା। ଯାହାକି ଗବେଷଣା ସାପେକ୍ଷ।

ଏହି ନାଁଗୁଡିକ ଓଡ଼ିଶା ଇତିହାସ ପୁସ୍ତକରୁ ମିଳେ। ହେଲେ ଆପଣ ଜାଣନ୍ତି କି କଳାପାହାଡ କାହିଁକି ଆଉ କେଉଁ ପଥ ଦେଇ ଶ୍ରୀକ୍ଷେତ୍ରରେ ପ୍ରବେଶ କରିଥିଲା ?

ଆପଣଙ୍କ ଜିଜ୍ଞାସାର ସମ୍ୟକ ଉତ୍ତର ମୁଁ ଦେବାକୁ ଚେଷ୍ଟା କରୁଛି।

କିଏ ଏ କଳାପାହାଡ: କଳାପାହାଡ ନୈଷ୍ଠିକ ହିନ୍ଦୁ ହୋଇ ମଧ୍ୟ ବଙ୍ଗ ଶାସକଙ୍କ ସେନାପତି ଥିଲେ। ଏପରିକି ସେ ବିବାହିତ ଓ ୨ ପତ୍ନୀଙ୍କ ସ୍ୱାମୀ ଥିଲେ । ମାତ୍ର ସେ ବଙ୍ଗର ତତ୍କାଳୀନ ମୋଗଲ ଶାସକ ସୁଲେମାନ କରାନି(ଆନୁମାନିକ 1568 ମସିହା)ଙ୍କ ଝିଅ ଦୁଲାରୀଙ୍କ ପ୍ରେମରେ ପଡି ଧର୍ମଭ୍ରଷ୍ଟ ହେଲେ। ନିଜ ପତ୍ନୀମାନଙ୍କୁ ଧୋକା ଦେଇ ମୁସଲମାନ୍ ରମଣୀଙ୍କୁ ବିବାହ କରିବା ପରେ ରୁଢିବାଦୀ ହିନ୍ଦୁଙ୍କ ରୋଷର ଶିକାର ହେଲେ। ଧର୍ମାନ୍ତରିତ ହେବା ପରେ ପୁନର୍ବାର ହିନ୍ଦୁ ଧର୍ମକୁ ଫେରିଆସିବାକୁ ସେ ଚେଷ୍ଟା କରିଛନ୍ତି। ଏପରିକି ସେ ସମୟରେ ଉତ୍କଳରେ ଗଜପତି ମୁକୁନ୍ଦଦେବଙ୍କ ଶାସନ ଥିବାରୁ ସମ୍ଭବତଃ ସେ ସ୍ୱଧର୍ମକୁ ଫେରିବାକୁ ତାଙ୍କ ସହାୟତା ଲୋଡିଥାଇ ପାରନ୍ତି। ମାତ୍ର ଶ୍ରୀମନ୍ଦିର ପଣ୍ଡିତମାନେ ଅଗ୍ରାହ୍ୟ କରିବାରୁ ନିଜ ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ। ଏହାର ସୁଯୋଗ ନିଅନ୍ତି ମୋଗଲ ସୁଲତାନ। ତାଙ୍କ ମନରେ ବୁଣିଦିଅନ୍ତି ହିନ୍ଦୁ ଵିଦ୍ଵେଶର ମଞ୍ଜି। ହିନ୍ଦୁ ଧର୍ମର ସମସ୍ତ ପୀଠ ଧ୍ୱଂସ କରିବା ସହ ବିଗ୍ରହମାନଙ୍କୁ ଧ୍ୱଂସ କରି ସମ୍ପଦ ଲୁଣ୍ଠନ କରିବା ପାଇଁ ପ୍ରୋତ୍ସାହିତ କରନ୍ତି। ଫଳସ୍ୱରୂପ ଉତ୍କଳ ଆକ୍ରମଣର ମସୁଧା କରନ୍ତି କଳାପହାଡ।

କେମିତି ଆସନ୍ତି ଉତ୍କଳ: ଓଡ଼ିଶାର ତତ୍କାଳୀନ ରାଜଧାନୀ ଥାଏ କଟକରେ। ଗଜପତି ମୁକୁନ୍ଦଦେବଙ୍କ ଶାସନ ସମୟ। ଏଣେ କରଦ ରାଜ୍ୟ ସାରଙ୍ଗଗଡ଼ ସହ ଥାଏ ଗଜପତିଙ୍କ ତିକ୍ତ ସମ୍ପର୍କ। ସାରଙ୍ଗଗଡ଼ ସମ୍ଭବତଃ ବାରଙ୍ଗଗଡ଼ ବା ପଟିଆ ରାଜ୍ୟ ସମୁହକୁ କୁହାଯାଉଥାଇପାରେ ବୋଲି ଆକଳନ କରାଯାଉଛି। ଯାହାର ରାଜା ରାମଚନ୍ଦ୍ର ଭଞ୍ଜଙ୍କର ମୁକୁନ୍ଦ ଦେବଙ୍କ ସହ ପଡୁ ନ ଥାଏ। ନିଜକୁ ଉତ୍କଳର ନରପତି ବୋଲି ପ୍ରଚାରିତ କରିବାକୁ ଲାଳାୟିତ ଥାଆନ୍ତି ରାମଚନ୍ଦ୍ର । ଏହାକୁ ଆଳ କରି ଗଜପତିଙ୍କ ଉପରେ ଅକ୍ରମଣ ପାଇଁ କଳାପହାଡ ସହ ଗୁପ୍ତ ମନ୍ତ୍ରଣା ହୁଏ। ସୁଯୋଗ ମିଳେ କଳାପହାଡକୁ। ଓଡିଶାର ସୀମାକୁ ରାମଚନ୍ଦ୍ରଙ୍କ ଦୂତ ଦ୍ୱୟଙ୍କ ଦ୍ୱାରା ଭଲଭାବେ ଠଉରାଇ ନିଅନ୍ତି କଳାପହାଡ।

ଉତ୍ତର ଓଡ଼ିଶାର ବାଲେଶ୍ୱର କିମ୍ବା ଭଦ୍ରକ ସମୁଦ୍ର ତଟ ଦେଇ କଳାପାହାଡ଼ ଉତ୍କଳ ମାଟିରେ ପାଦଥାପେ। ପ୍ରଥମ ଶୀକାର ହୁଏ ପବିତ୍ର ବୈତରଣୀ ପ୍ରାନ୍ତ। ତତ୍କାଳୀନ ଯାଜନଗ୍ର ବା ବର୍ତ୍ତମାନର ଯାଜପୁର କ୍ଷେତ୍ରରେ ଅନେକ ମନ୍ଦିର ଧ୍ୱଂସ କରି କଳାପହାଡ ମୁହାଁଏ କଟକ। ବାରବାଟୀ ଭାଙ୍ଗି ଖୋର୍ଦ୍ଧା ଓ ଶ୍ରୀକ୍ଷେତ୍ରରେ ମଚାଏ ଉତ୍ପାତ। ଭୂଲୁଣ୍ଠିତ ହୁଏ ଉତ୍କଳର ଅସ୍ମିତା।

ସହାୟକ ଗ୍ରନ୍ଥ : ଓଡ଼ିଶା ଇତିହାସ, ଉତ୍କଳ ପ୍ରସଙ୍ଗ ୯୬

ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ

 

You might also like