ଲଭ୍ ମାଷ୍ଟର ଲବ ସିଂହ; କୃଷକଙ୍କୁ ସେବା ଯୋଗାଇ ମନ ସିନା ଖୁସୀ, ହୃଦୟ କିନ୍ତୁ ଅଟକିଛି ପ୍ରିୟା ପାଖରେ
ନୂଆଦିଲ୍ଲୀ: ଏଥର ପତ୍ନୀଙ୍କ ଜନ୍ମଦିନରେ କନାଡା ଯିବେ, ଆଉ ସେଠି ପତ୍ନୀଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରିବେ। ଏମିତି କିଛି ଯୋଜନା କରିଥିଲେ କ୍ରେଜି ବ୍ୟୁଟି ସାଲୁନର ମାଲିକ ଲବ ସିଂହ ଠାକୁର। କିନ୍ତୁ ଦେଶରେ ଯେ ଏମିତି ପରିସ୍ଥିତି, ଭୋକ ଉପାସରେ ୨୦ ଦିନ ଧରି ରସ୍ତା କଡ଼ରେ ପଡ଼ିଛି ଦେଶର ଅନ୍ନଦାତା। ଏହା ଦେଖି ସହିପାରିଲେନି ଲବ୍। ଶେଷରେ କାନାଡା ଟୁର୍ କ୍ୟାନସଲ କରି ଶ୍ରମକିଙ୍କ ସେବାରେ ଲାଗିଗଲେ।
ଗତ କିଛି ସପ୍ତାହ ହେଲା କୃଷକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଦିଲ୍ଲୀର ସିଂଘୁ ବୋର୍ଡର ଜାତୀୟ ଗଣମାଧ୍ୟମରେ ସିରୋନାମାରେ ରହୁଛି। କେନ୍ଦ୍ର କୃଷି ବିଲ୍ ବିରୋଧରେ ଆନ୍ଦୋଳନ କରି ସିଂଘୁ ବୋର୍ଡରେ ଡେରା ପକାଇଛି କୃଷକ ସଂଗଠନ। ଶୀତରେ ରାସ୍ତା କଡ଼ରେ ବସି କେନ୍ଦ୍ର କୃଷି ବିଲ୍ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ମଝିରେ ମଝିରେ କେତେ ନେତା ଓ ଅଭିନେତା ତଥା ସ୍ପୋର୍ଟସ ଷ୍ଟାର୍ ମଧ୍ୟ କୃଷକଙ୍କ ସମର୍ଥନରେ ଦୁଇଚାରିପଦ କହିବା ସହିତ ତାଙ୍କ ଅନ୍ଦୋଳନରେ ସାମିଲ ହେଉଛନ୍ତି। ଏପରି ଦୃଶ୍ୟ ଭିତରେ କିନ୍ତୁ ମଜାଦାର ଦୃଶ୍ୟ ବି ସାମ୍ନାକୁ ଆସୁଛି, ଯାହା କୃଷକଙ୍କ ଆନ୍ଦୋଳନରେ ଆହୁରି ରଙ୍ଗ ଭରି ଦେଉଛି, ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛି।
Free Salon sewa at #FarmersProtests ! #Singhu border pic.twitter.com/uNF2XjQwXV
— Ramandeep Singh Mann (@ramanmann1974) December 19, 2020
ଏଇ ଯେମିତି ଲବ ସିଂହଙ୍କର କ୍ରେଜି ବ୍ୟୁଟି ସାଲୁନ। ଲବ ତାଙ୍କ ସାଲୁନ୍ ଟିମ୍ ନେଇ ସିଂଘୁର ବୋର୍ଡରେ ପହଞ୍ଚିଛନ୍ତି। ଆଉ ସେଠାରେ ଆନ୍ଦୋଳନରତ ସମସ୍ତ କୃଷକଙ୍କ ସମ୍ପୂର୍ଣ୍ଣ ମାଗଣାରେ ନିଶ, ଦାଢ଼ି କାଟୁଛନ୍ତି। ଧଳା ବାଳ କଳା କରିବା ସହିତ ଫେସ୍ ମସାଜ କରି କୃଷକଙ୍କୁ ପ୍ରସ୍ତୁତ କରୁଛନ୍ତି ତୀବ୍ର ଆନ୍ଦୋଳନ ପାଇଁ। କେଉଁ ନେତା ଓ ଅଭିନେତା ଆନ୍ଦୋଳନକୁ ସମର୍ଥନ କରି ଆୱାର୍ଡ ଫେରାଉଛନ୍ତି ତ ଆଉ କିଏ କୃଷକଙ୍କ ପାଇଁ ଚାଦର ଓ ଖାଦ୍ୟ କିଣି ଦେଉଛନ୍ତି। କାହାର ସାହାଯ୍ୟ କେମିତି। ଠିକ୍ ସେମିତି ଲବ୍ ମାଗଣାରେ ସେଲୁନ ସେବା ଯୋଗାଇ ଦେଇ କହୁଛନ୍ତି ମୁଁ ବି ଦେଶର ଅନ୍ନଦାତାଙ୍କ ସହିତ ରହିଛି।
ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲବ କହିଛନ୍ତି ଯେ ସେ କୁରୁକ୍ଷେତ୍ରରେ ତାଙ୍କ ପତ୍ନୀଙ୍କ ସହି ମିଶି ସେଲୁନ ଚଳାନ୍ତି। ସେଠାକୁ ଅନେକ କୃଷକ କ୍ଷର ହେବାକୁ ଆସନ୍ତି। ସେମାନଙ୍କ ମଧ୍ୟରୁ ଅନେକ କୃଷକ ତାଙ୍କୁ ସିଂଘୁ ଯାଇ ସେବା ଯୋଗାଇବାକୁ କହିବାରୁ ସେ ତାଙ୍କ ଟିମ୍ଙ୍କ ସହିତ ସିଂଘୁ ଚାଲି ଆସିଥିଲେ। ଏଠାରେ ସେ ପ୍ରତିଦିନ ୧୦୦ରୁ ୧୫୦ କୃଷକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଉଛନ୍ତି। କେହି ଟଙ୍କା ଯାଚିଲେ ବି ଫେରାଇ ଦେଉଛନ୍ତି। ଏକ ଟ୍ରାକ୍ଟରରେ ଟ୍ରଲିରେ ବଡ଼ ମିରର ସହିତ ତିନି ଚେୟାର ଧରି କୃଷକଙ୍କ ପାଖରେ ପହଞ୍ଚିଯାଉଛନ୍ତି। ଆଉ କୃଷକଙ୍କ ଫ୍ରି ସେଲୁନ୍ ସେବା ଯୋଗାଉଛନ୍ତି।
କୃଷକଙ୍କ ସେବାରେ ମନ ଖୁସୀ ଥିବା ବେଳେ ଲବଙ୍କର ହୃଦୟ କିନ୍ତୁ ଆଜି ତାଙ୍କ ପତ୍ନୀଙ୍କ ପାଖରେ ଅଟକି ଯାଇଛି। ଆଜି ତାଙ୍କ ପତ୍ନୀଙ୍କ ଜନ୍ମଦିନ। ଏଥର ସେ କାନାଡା ଯାଇ ପତ୍ନୀଙ୍କ ଜନ୍ମଦିନ ପାଳନ କରିବେ ବୋଲି ଭାବିଥିଲେ। କିନ୍ତୁ ଅନ୍ନଦାତାଙ୍କୁ ଏମିତି ଅବସ୍ଥାରେ ଛାଡ଼ି ଯାଇ ହେଲାନି। ଆଜି ସେ ତାଙ୍କ ପତ୍ନୀଙ୍କୁ ଖୁବ୍ ମିଶ୍ କରୁଥିବା କହିଛନ୍ତି ଲବ।
ପ୍ରତିବର୍ଷ ପତ୍ନୀଙ୍କ ଜନ୍ମଦିନରେ ଏହି ଦମ୍ପତି ଭ୍ରମଣରେ ଯାଆନ୍ତି। ଏଥର ବି ଭ୍ରମଣ ଯୋଜନା କରିଥିଲେ। ହେଲେ ତାହା କ୍ୟାନସଲ କରି ପ୍ରତିଦିନ ୧୫ ଘଣ୍ଟା ମାଗଣା ସେବା ଯୋଗାଉଛନ୍ତି ଲବ। ସିଂଘୁରେ କୃଷକଙ୍କ ସେବା କରି ସେ ଖୁସୀ ଥିବା ବେଳେ ପତ୍ନୀଙ୍କର ବି ମଙ୍ଗଳକାମନା କରିଛନ୍ତି ଲବ।