ରାଜଧାନୀରେ ଭୋକିଲା ପେଟକୁ ଦାନା ଦେଉଛି ‘ହାପି ଫ୍ରିଜ୍’
ଭୁବନେଶ୍ୱର: ଚିକ୍ମିକ୍ ଏଇ ରାଜଧାନୀରେ ରହନ୍ତି ଉଭୟ ଧନୀ ଓ ଗରିବ। କେଉଁଠି ଚିକେନ୍ ବିରିୟାନୀ ଭାସେ ତ ଆଉ କେଉଁଠ ପେଟରେ ଓଦା କନା ଦେଇ ଶୋଇଯାଏ ଭୋକିଲା ଜୀବନ। କାରଣ ପେଟ ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ରାଜଧାନୀର ଗରିବଙ୍କ ପାଇଁ ସବୁବେଳେ ସମ୍ଭବ ହୋଇନଥାଏ। କିନ୍ତୁ ଏହି ଗରିବ ଲୋକଙ୍କ ପେଟ ଦାନା ଯୋଗାଉଛି ‘ହାପି ଫ୍ରିଜ୍।’
ଏହା ହେଉଛି ଏକ କମ୍ୟୁନିଟି ଫ୍ରିଜ୍, ଯେଉଁଠି ଦାନ କରାଯାଇଥିବା ବଳକା ଖାଦ୍ୟ ଷ୍ଟୋର୍ ହେଇ ରହୁଛି। ଭୁବନେଶ୍ୱରରେ ଭଲ କରି ଦିଓଳି ଦି ମୁଠା ଖାଇବାକୁ ପାଉନଥିବା ଗରିବ ଲୋକ ଏହି ଫ୍ରିଜ୍ରୁ ଖାଦ୍ୟ ନେଇ ଖାଇପାରିବେ।
ନିକଟରେ ଭୁବନେଶ୍ୱରର ଷ୍ଟେସନ୍ ବଜାର ନିକଟ ରାସ୍ତା କଡ଼ରେ ରଖାଯାଇଛି ଏହି ହାପି ଫ୍ରିଜ୍। ଏହି ଫ୍ରିଜ୍କୁ ଏଠାରେ ରଖିବାର ଉଦ୍ଦେଶ୍ୟ ହେଉଛି, ଯଦି ଆପଣଙ୍କ ଘରେ କିମ୍ବା ଭୋଜିରେ କିଛି ଖାଦ୍ୟ ବଳକା ରହିଯାଉଛି ତେବେ ଆପଣ ସେ ଖାଦ୍ୟକୁ ଫୋପାଡ଼ିବା ପରିବର୍ତ୍ତେ ଏହି ଫ୍ରିଜ୍ରେ ରଖିଦେଇ ପାରିବେ। ଭୋକିଲା କିମ୍ବା ଗରିବ ଲୋକ ଯେଉଁମାନେ ଖାଇବାକୁ ପାଉନାହାନ୍ତି ସେମାନେ ଏଠାରୁ ଖାଦ୍ୟ ନେଇ ଖାଇପାରିବେ। ଏହି ଦେବାନେବା ପ୍ରକ୍ରିୟାରେ କିଛି ଟଙ୍କା ଲାଗିବ ନାହିଁ। ଅର୍ଥାତ୍ ଖାଦ୍ୟ ଖାଇବା ପାଇଁ ଗରିବ ଲୋକଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ ନାହିଁ।
ଏହି ଫ୍ରିଜ୍ରେ କେବଳ ନିରାମିଷ ଖାଦ୍ୟ ରଖାଯାଉଛି। ଯେହେତୁ ଆମିଷ ଖାଦ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରହିବନାହିଁ ତେଣୁ ଏହି ଫ୍ରିଜ୍ରେ ଆମିଷ ରଖିବାକୁ ମନା କରାଯାଇଛି।
‘ଫିଡିଂ ଇଣ୍ଡିଆ’ ଏବଂ ‘ଷ୍ଟେସନ୍ ବଜାର କମିଟି’ର ମିଳିତ ଉଦ୍ୟମରେ ଏହି ‘ହାପି ଫ୍ରିଜ୍’ ପ୍ରତିଷ୍ଠା ହୋଇଛି।
ଲୋକମାନେ ଆଗକୁ ଏହି ଫ୍ରିଜ୍ରେ ଖାଦ୍ୟ ରଖିବାରେ ଅଭ୍ୟସ୍ତ ହୋଇଗଲେ ଏପରି କିଛି ‘ହାପି ଫ୍ରିଜ୍’ ଅନ୍ୟ ଅଞ୍ଚଳରେ ରଖାଯିବ ବୋଲି ‘ଫିଡିଂ ଇଣ୍ଡିଆ’ର ଫାଉଣ୍ଡର କହିଛନ୍ତି।
ସୂଚନାଯୋଗ୍ୟ ଯେ, ଦି’ ବର୍ଷ ତଳେ ଭୁବନେଶ୍ୱରର ସୈନିକ ସ୍କୁଲ ପାଖରେ ମଧ୍ୟ ହାଫି ଫ୍ରିଜ୍ ଏଭଳି ଏକ ଉଦ୍ୟମ ଆରମ୍ଭ କରିଥିଲା।
ତେବେ ଏଭଳି ଫ୍ରିଜ୍ ରାଜ୍ୟରେ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଭୁବନେଶ୍ୱର ଲେଡିସ୍ କ୍ୱିନ୍ କର୍ଣ୍ଣର୍ ଓ ଭୁବନେଶ୍ୱର ନାଇଟ୍ ରାଉଣ୍ଡ ଟେବଲ ଭଳି ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିଲା।
ତେବେ ଫ୍ରିଜ୍ରେ ଖାଦ୍ୟ ଷ୍ଟୋର୍ କରିବା ପୂର୍ବରୁ ପ୍ରଥମେ ଏହା ଭଲଭାବରେ ଯାଞ୍ଚ ହେଉଛି। ଏହାପରେ ଭୋକିଲାଙ୍କ ଉଦ୍ଦେଶ୍ୟରେ ଏହାକୁ ଷ୍ଟୋର୍ କରି ରଖାଯାଉଛି।