ସୁନ୍ଦର ଭବିଷ୍ୟତ ଗଢିବାକୁ ଯାଇ ଅନିଶ୍ଚିତତାର ଦୁନିଆରେ ହଜିଗଲା ସୁହାନୀ

କେନ୍ଦ୍ରାପଡା: ଅନିଶ୍ଚିତତାରେ କଟୁଛି ଶୈଶବ। ପରିବାର ଥାଇ ବି ଅଲୋଡା ହୋଇପଡିଛି ସୁହାନୀ। ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁରେ। କିନ୍ତୁ ସେ ରହୁଛି ସୁଦୂର ନୋଏଡାର ଏକ ବାଲ୍ କୁଟୀରରେ। ପାଠ ପଢିବାକୁ ଦୂର ସହରକୁ ଯାଇ ଭବିଷ୍ୟତ ଗଢିବା  ସ୍ୱପ୍ନ ଦେଖୁଥିଲା । ହେଲେ ପରିସ୍ଥିତିର ତାଡନାରେ ଏବେ ଘରକୁ ଫେରିବାକୁ ଚାହିଁ ବସିଛି ସୁହାନୀ।

ଏଇ କୁନି ଝିଅର ନାଁ ସୁହାନି ଜେନା । ବୟସ ୯ ବର୍ଷ । ପିଲାର ଉତ୍ତମ ଭବିଷ୍ୟତ ପାଇଁ ତାକୁ ସୁଦୂର ଉତ୍ତରପ୍ରଦେଶର ନୋଏଡା ସହରରେ ରହୁଥିବା ନିଜ ଉଭଣୀଙ୍କ ଘରକୁ ପଠାଇଲେ ବାପା ସନ୍ତୋଷ ଜେନା। ହେଲେ କିଏ ଜାଣିଥିଲା, ସୁନ୍ଦର ଭବିଷ୍ୟତ ବଦଳରେ ମିଳିବ ଏକ ଅନିଶ୍ଚିତତାର ଦୁନିଆ ?

ପିଇସି ନାନୀ ଘରେ ରହି ପାଠପଢା ଆରମ୍ଭ କରିଥିଲା ସୁହାନୀ। କିନ୍ତୁ କିଛିଦିନ ପରେ ତାଉପରେ ବଢିଲା ଘରୋଇ ହିଂସା। । ଦିନେ ସୁଯୋଗ ପାଇ ସ୍କୁଲ ପରିଭ୍ରମଣରେ ଆସିଥିବା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସବୁକଥା କହିଲା ସୁହାନି। ଏହାପରେ ତଦନ୍ତ କରି ସୁହାନୀକୁ ସେଠାରୁ ଉଦ୍ଧାର କରି ନୋଏଡାରେ ଥିବା ସାଇକୃପା ବାଲ କୁଟୀରରେ ଛାଡିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ॥ ବର୍ତ୍ତମାନ ଏହି ବାଲ କୁଟୀର ପାଲଟିଛି ସୁହାନୀର ନୂଆ ଘର ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁର ନିବାସୀ ସନ୍ତୋଷ ଜେନାଙ୍କ ପରିବାର କହିଲେ ବୃଦ୍ଧ ବାପା, ମା’, ପତ୍ନୀ ଓ ୨ ଝିଅ। ଆର୍ଥିକ ଦୁରବସ୍ଥା ଯୋଗୁ ବଡ ଝିଅକୁ ମାମୁଁଘରେ ଛାଡିଥିଲେ। କିଛି ଦିନ ପରେ ପତ୍ନୀ ଘର ଛାଡି ଚାଲିଯିବାପରେ ସାନ ଝିଅ ସୁହାନୀକୁ ନୋଏଡାରେ ରହୁଥିବା ଭଉଣୀ ଘରେ ଛାଡିଥିଲେ।

ହେଲେ ସେଠାରେ ସୁହାନୀ ଘରୋଇ ହିଂସାର ଶିକାର ହେବା ପରେ ତାଙ୍କ ଉଦ୍ଧାର କରାଯାଇ ଏବେ ଦୀର୍ଘ ଦିନ ହେଲା ବାଲ୍ କୁଟୀରରେ ରଖାଯାଇଛି। ତାଙ୍କୁ କେନ୍ଦ୍ରାପଡ଼ାକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ।
ଏନେଇ ସୁହାନୀର ବାପା ସନ୍ତୋଷ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲେବି ପ୍ରତିକ୍ରିୟା ମିଳିପାରିନି।

You might also like