ଘରୁ ବାହାରିବା ମନା, ରାସ୍ତାରେ ଜଗିଛନ୍ତି ଭୂତ !

କେପୁହ(ଇଣ୍ଡୋନେସିଆ): ରାତିର ଅନ୍ଧକାର ଭିତରେ ରାସ୍ତା କଡ଼ରେ ବସିଛନ୍ତି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯିବେ ମାଡ଼ି ବସିବ ଭୂତ ! ଇଣ୍ଡୋନେସିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ।

ପ୍ରକୃତରେ ଘଟଣାଟି ହେଲା, ଏମାନେ କୌଣସି ଭୂତ ନୁହନ୍ତି। କିନ୍ତୁ ଭୂତ ଭଳି ନିଜକୁ ସଜାଇଛନ୍ତି। ଧଳା ରଙ୍ଗର ପୋଷାକ ପରିଧାନ କରିବା ସହ ପୂରା ଶରୀରକୁ ଢାଙ୍କି କି ରଖିଛନ୍ତି କେବଳ ମୁହଁ ହିଁ ଦିଶୁଛି। ତେବେ ଏସବୁ କରିବା ପଛରେ ଏକ ବଡ଼ କାରଣ ରହିଛି। କାରଣଟି ହେଲା କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଏ ଭାଇରସକୁ ଶେଷ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନାହିଁ। ହେଲେ ଏହାର ସଂକ୍ରମଣ ରୋକିବା ପାଇଁ ଅଧିକାଂଶ ଦେଶ ଲକଡାଉନ ଘୋଷଣା କରିଛନ୍ତି। କିଛି ଲୋକ ଲକଡାଉନକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହାକୁ ନ ମାନି ଘର ବାହାରକୁ ଚାଲି ଆସୁଛନ୍ତି। ଏଭଳି ଅମାନିଆ ଲୋକଙ୍କୁ ସାବାଡ଼ କରିବା ପାଇଁ ଇଣ୍ଡୋନେସିଆର କେପୁହ ଗାଁରେ ଏଭଳି କିଛି ପଦକ୍ଷେପ ନିଆଯାଇଛି।

ଲକଡାଉନ ସମୟରେ ଅତି ଜରୁରୀ ନ ଥିଲେ  ଲୋକମାନେ ଯେଭଳି ବାହାରକୁ ନ ବାହାରନ୍ତି  ଏହାକୁ ଦୃଷ୍ଟିରେ ରଖି ଭୂତ ଭଳି ସଜେଇ ହୋଇଥିବା ଏହି ଲୋକଙ୍କୁ ପାଟ୍ରୋଲିଂରେ ନିୟୋଜିତ କରାଯାଇଛି। ଜାଭା ଦ୍ୱୀପରେ ଥିବା କେପୁହ ଗାଁ ରାସ୍ତାରେ ଏମାନେ ନିୟୋଜିତ ହୋଇଛନ୍ତି। ଏମାନଙ୍କୁ “ପୋକଙ୍ଗ” କୁହାଯାଉଛି। କରୋନା କବଳରୁ ଲୋକଙ୍କୁ ବଞ୍ଚାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗାଁର ଯୁବକ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଯିଏ ବି ଘରୁ ବାହାରୁଛନ୍ତି। ସେମାନଙ୍କୁ ଡରାଇ ପୁଣି ଘର ଭିତରକୁ ପଠାଇ ଦେଉଛନ୍ତି।

ଗାଁ ମୁଖିଆ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ଏହି ଯୁବକଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ସେମାନଙ୍କୁ ସହଯୋଗ କରୁଛନ୍ତି।

ଚୀନରେ କରୋନା ମୃତ୍ୟୁ ହାରକୁ ଦେଖି କରୋନା ସଂକ୍ରମଣକୁ ରୋକିବା ପାଇଁ କେପୁହ ଗାଁ ଭଳି ଆଉ କିଛି ଗାଁ ଏଭଳି କିଛି ପଦକ୍ଷେପ ଗ୍ରହଣ କରିଛନ୍ତି।

ଇଣ୍ଡୋନେସିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪୧ ରେ ପହଞ୍ଚି ଥିବାବେଳେ ୩୭୩ ଜଣକ ମୃତ୍ୟୁ ଘଟିଛି।

You might also like