• translate
Minati Mishra

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍‌ର ଆଗରେ ଏବଂ ପଛରେ କାହିଁକି ଏହି ଜେନରାଲ ବଗି ଲାଗିଥାଏ ? ଏହି ଜେନରାଲ ବଗି ମଝିରେ କ’ଣ ଥାଏ ଜାଣିଛନ୍ତି ? ଟ୍ରେନ୍‌ର ଆଗରେ ପଛରେ ଜେନରାଲ ବଗି ଲାଗିବା ଘଟଣାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ମଧ୍ୟ କରନ୍ତି। କାହିଁକି ଏପରି ହୋଇଥାଏ ଜାଣନ୍ତୁ।

ଶନିବାର ଜଣେ ବ୍ୟକ୍ତି ଟୁଇଟ କରି ଏହି ଘଟଣାରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ରେଳବାଇକୁ ଆକ୍ଷେପ କରି କହିଥିଲେ, ‘୨୪ ବଗି ବିଶିଷ୍ଟ ଟ୍ରେନ୍‌ରେ ମାତ୍ର ଦୁଇଟି ବଗି ଜେନରାଲ। ଆଉ ଏହି ଦୁଇଟିକୁ ଟ୍ରେନ୍‌ର ଆଗରେ ଏବଂ ପଛରେ ଲଗାଯାଇଥାଏ କାହିଁକି ? କାରଣ ଯଦି କେବେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୁଏ ତେବେ ଗରିବ ‌ଲୋକ ହିଁ ମରିବେ।’

ଏହି ବ୍ୟକ୍ତିଙ୍କ ଟୁଇଟ୍‌ର ସୁନ୍ଦର ଜବାବ ଦେଇଥିଲେ ଭାରତୀୟ ରେଳ ସେବା ଅଧିକାରୀଙ୍କ ସଞ୍ଜୟ କୁମାର। ତେବେ ଏହାର କାରଣ ସ୍ପଷ୍ଟ କରିବା ପୂର୍ବରୁ ଯୁବକଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ପ୍ରଶ୍ନ କରିବା ଭଲ, କିନ୍ତୁ ଏପରି କମେଣ୍ଟ କରିବା ଠିକ୍‌ ନୁହେଁ।’

ରେଲୱେ ଅଧିକାରୀ ଜଣକ କହିଥିଲେ, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ର ଆଗ ଓ ପଛରେ ଜେନେରାଲ ବଗି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରଯାଇଛି। ଜେନେରାଲ କୋଚ୍‌ରେ ସାଧାରଣତଃ ଅଧିକ ଭିଡ ଥାଏ। ଥରେ ଚିନ୍ତା କରନ୍ତୁ, ଯଦି ଏହି ଡବା ଟ୍ରେନ୍‌ର ମଧ୍ୟ ଭାଗରେ ରହିବ ତେବେ ପୁରା ପ୍ଲାଟଫର୍ମ  ଯାତ୍ରୀଙ୍କ ବୋର୍ଡ-ଡିବୋର୍ଡ ପାଇଁ କେତେ ଜାମ ହେବ ! ଟ୍ରେନ୍‌ର ଆଗ ଓ ପଛ ବଗିକୁ ଯିବା ଯାତ୍ରୀଙ୍କ ପାଇଁ କଷ୍ଟକର ହୋଇ ପଡ଼ିବ।

ଟ୍ରେନ୍‌ର ଆଗ ଏବଂ ପଛରେ ଜେନରାଲ ଡିବା ଲାଗିବାର ମୁଖ୍ୟ କାରଣ ହେଉଛି, ପ୍ଲାଟଫର୍ମରେ ଯାତ୍ରୀ ଭିଡ କଣ୍ଟ୍ରୋଲ କରିବା। ଏପରି ହେବା ଦ୍ୱାରା ଭିଡ ଦୁଇ ଭାଗରେ ବିଭକ୍ତ ହୋଇଯାଏ। ପ୍ଲାଟ୍‌ଫର୍ମର ମଝି ଭାଗ ଖାଲି ରହିବ। ଏପରି ହେବା ଦ୍ୱାରା ବିପଦକାଳୀନ ସ୍ଥିତିରେ ଲୋକଙ୍କୁ ବଞ୍ଚାଇବା, ଟ୍ରେନ୍‌ରୁ ବାହାର କରି ଆଣିବା ଏବଂ ସ୍ଥିତିକୁ ନିୟନ୍ତ୍ରଣ କରିବା ସହଜ ହୋଇଥାଏ।

 

Other Stories