କଂଗ୍ରେସକୁ ‘ଗାନ୍ଧୀ’ ଅଡୁଆ !

ଭୁବନେଶ୍ୱର (ପ୍ରସନ୍ନ ସାହୁ): କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତିନିଟି ପ୍ରମୁଖ ରାଜ୍ୟରେ ସରକାର ଗଢି କମ୍‌ବ୍ୟାକ୍‌ର ଆଭାସ ଦେଇଥିଲା କଂଗ୍ରେସ। ହେଲେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଓ ତା ପରବର୍ତ୍ତୀ ସମୟରେ ଦଳୀୟ କନ୍ଦଳ କଂଗ୍ରେସର ପୁର୍ନଜୀବନ୍ୟାସ ନେଇ ଉଙ୍କୁରୁଥିବା ଆଶାକୁ ମୂଳରୁ ମାରି ଦେଇଛି। ତେବେ କଣ ପାଇଁ ଗୋଠକୁ ଏକାଠି ରଖିବାରେ ବିଫଳ ହେଉଛି କଂଗ୍ରେସ? ୨୦୧୪କୁ ଯିବାର ଆବଶ୍ୟକତା ନାହିଁ, ଯଦି ଗଲା କିଛି ମାସର ସ୍ଥିତିକୁ ତର୍ଜମା କରିବା ତେବେ କଂଗ୍ରେସ ନିଜ ଗୋଡ଼ରେ ନିଜେ କୁରାଢୀ ମାରୁଥିବା ଯେ କେହି ବି ସହଜରେ ବୁଝିପାରିବେ। ବିଜେପି ଉପରେ ଦୋଷ ଲଦି କଂଗ୍ରେସ ଦେଶବାସୀଙ୍କ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କରିଥାଇପାରେ। ମାତ୍ର ନିଜ ଦୋଷ ଦୁର୍ବଳତାରୁ ଯେ ଦଳ ଅଧଃପତ୍ତନଗାମୀ ହେଉଛି ତାହା ନେତାମାନେ କଣ ବୁଝିପାରୁନାହାନ୍ତି? ନା ସବୁ ବୁଝି ଗାନ୍ଧୀ ପରିବାର ପ୍ରତି ଅହେତୁକ ଅନୁକମ୍ପା ହେତୁ ନବୁଝିବାର ଅଭିନୟ କରୁଛନ୍ତି? ଗୋଟିକ ପରେ ଗୋଟିଏ ରାଜ୍ୟରେ କ୍ଷମତା ହାତରୁ ଖସୁଥିଲେ ମଧ୍ୟ ହାଇକମାଣ୍ଡ ସେଭଳି ବ୍ୟସ୍ତ କିମ୍ବା ବିବ୍ରତ ଦେଖାଯାଉନାହାନ୍ତି। ଏହା ସୋନିଆ ଓ ତାଙ୍କ ଆନୁଗତ୍ୟଙ୍କ ଅସାମର୍ଥ୍ୟ ନା ରାହୁଲଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନାୟକ ଭାବେ ଉପସ୍ଥାପିତ କରିବାକୁ ଯୋଜନାବଦ୍ଧ ରଣନୀତି, ତାହା ଅନେକ କଂଗ୍ରେସ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

କର୍ଣ୍ଣାଟକ କଥା ଯଦି ବିଚାର କରାଯାଏ ତେବେ କୁମାରସ୍ୱାମୀଙ୍କ ନେତୃତ୍ୱରେ ସରକାର ଗଠନକୁ ବିରୋଧ କରୁଥିଲେ ଅନେକ ବିଧାୟକ। ଏମିତିକି ଖୋଲାଖୋଲି ସେମାନେ ମନକଥା ପ୍ରକାଶ କରିବା ସହ ନିଜ ପରିଶ୍ରମରେ ନିର୍ବାଚନ ଜିତିଥିବା କହିଥିଲେ। ହାଇକମାଣ୍ଡ ବା ସୋନିଆ ଆଣ୍ଡ କୋ ସେମାନଙ୍କ ଉପରେ ନିଷ୍ପତ୍ତି ଲଦି ଦେଇପାରିବେ ନାହିଁ ବୋଲି ବିଧାୟକମାନେ ସ୍ପଷ୍ଟ ସିଗ୍ନାଲ ବି ଦେଇଥିଲେ। ତେବେ ଶେଷରେ ସୋନିଆଙ୍କ ନିଷ୍ପତ୍ତି ଆଗରେ ସେମାନଙ୍କୁ ମୁଣ୍ଡ ନୁଆଇଁବାକୁ ପଡିଥିଲା। ହେଲେ କୁହୁଳିବାକୁ ଆରମ୍ଭ କରିଥିଲା ଅସନ୍ତୋଷର ନିଆଁ। ପରିଣତ କଣ ହେଲା କହିବା ବାହୁଲ୍ୟ।

ପରେ ଆସିଥିଲା ହିନ୍ଦୀ ହାର୍ଟଲ୍ୟାଣ୍ଡର ପ୍ରମୁଖ ରାଜ୍ୟ ମଧ୍ୟପ୍ରଦେଶର ପାଳି। ରାଜ୍ୟରେ ଦଳର ଶାନ୍ଦାର ବିଜୟ ପଛରେ ରହିଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରମୁଖ ଭୂମିକା। ତେବେ ତାଙ୍କୁ ଉପେକ୍ଷା କରି ହାଇକମାଣ୍ଡ କମଲନାଥଙ୍କ ଉପରେ ସୁନାକଳସ ଢାଳିଥିଲେ। ଏହାକୁ ନେଇ କେବଳ ନିରାଶ ନୁହନ୍ତି ବରଂ କ୍ଷୁବ୍ଧ ହୋଇଥିଲେ ସିନ୍ଧିଆ। ତେବେ ଯେତେବେଳେ ତାଙ୍କୁ ଦଳରେ ବାରମ୍ବାର ଅପମାନିତ କରାଗଲା, ତାଙ୍କ ପକ୍ଷ ଛେଦନ ଲାଗି ପ୍ରୟାସ ହେଲା ସେତେବେଳେ ବିଦ୍ରୋହ କରିବାକୁ ବାଧ୍ୟ ହୋଇଥିଲେ ଜ୍ୟୋତିରାଦିତ୍ୟ। ଆଉ ତାଙ୍କୁ ଏକ ଘରିକିଆ କରିବା ଲାଗି କଂଗ୍ରେସର ସମସ୍ତ ପ୍ରୟାସ ଫେଲ ମାରିଥିଲା। ନିଜ ସମର୍ଥକଙ୍କ ସହ ପଦ୍ମ ଧରିବା ସହ କମଲନାଥ ସରକାରର ପତ୍ତନ ଘଟାଇବାରେ ସଫଳ ହୋଇଥିଲେ ଜ୍ୟୋତିରାଦିତ୍ୟ।

ଆଉ ଏବେ ରାଜସ୍ଥାନରେ ବି ସମାନ ଡ୍ରାମା। ଦଳ ତାଙ୍କ ପ୍ରତି ଅନ୍ୟାୟ ଓ ଅବହେଳା କରିଥିବା ଅଭିଯୋଗ ଆଣି ବିଦ୍ରୋହ ଘୋଷଣା କରିଛନ୍ତି ଯୁବ ନେତା ତଥା ଆଗାମୀ ଦିନରେ କଂଗ୍ରେସର ପତାକା ବାହାକ କୁହାଯାଉଥିବା ସଚିନ ପାଇଲଟ୍।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜ୍ୟୋତିରାଦିତ୍ୟଙ୍କ ଭଳି ସଚିନଙ୍କ ସହ ସିଧାସଳଖ କଥା ହୋଇନାହାନ୍ତି ସୋନିଆ କି ରାହୁଲ। ଏହାର ଅର୍ଥ ପୂରା ସ୍ପଷ୍ଟ। ଗାନ୍ଧି ପରିବାର ପ୍ରମାଣ କରିଦେବାକୁ ଚାହୁଁଛି ଯେ ସେମାନେ ହିଁ କଂଗ୍ରେସର ହର୍ତ୍ତାକର୍ତ୍ତା ଦଇବ ବିଧାତା। ସେମାନଙ୍କ ମର୍ଜି ବିନା କିଛି ବି ହୋଇପାରିବ ନାହିଁ। ସେମାନେ ଯାହାକୁ ଚାହିଁବେ ରଖିବେ, ଯାହାକୁ ଚାହିଁବେ କାଢ଼ିବେ। ସେମାନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେବା କ୍ଷମତା କାହାରି ପାଖରେ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କୌଣସି ପରିସ୍ଥିତିରେ ବି ଆତ୍ମଗର୍ବ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ଗାନ୍ଧୀ ପରିବାର। ସେମାନେ ଶୁଣିବେ ନାହିଁ, କେବଳ ନିର୍ଦ୍ଦେଶ ହିଁ ଦେବେ ଏଥିରୁ ଜାଣାପଡ଼ୁଛି। ଇତି ମାନେଶ୍ଚ କୌରବା ଉକ୍ତିଟି ସହ ବୋଧେ ଗାନ୍ଧୀ ପରିବାର ଅବଗତ ନୁହେଁ। ଏପଟେ ଗଲା କିଛି ମାସର ନିଷ୍ପତ୍ତିରୁ ଏହା ବି ପ୍ରତୀୟମାନ ହେଉଛି ଯେ ଗାନ୍ଧୀ ପରିବାର କାଉଁରିଆ କାଠି, ଭାଙ୍ଗିବେ ପଛେ ନଇଁବେ ନାହିଁ।

ଦଳୀୟ ଗଣତନ୍ତ୍ର ଓ ଆତ୍ମଚିନ୍ତନ କଥା କହିଥିବା ପୂର୍ବତନ ମୁଖପାତ୍ର ସଂଜୟ ଝା ଯେଉଁ ଦଶା ଭୋଗିଛନ୍ତି, ତାହା କାହାକୁ ଅଛପା ନାହିଁ। ଗଲା ୭ ବର୍ଷରୁ ଅଧିକ ସମୟ ଧରି ଗାନ୍ଧୀ ପରିବାର ଓ କଂଗ୍ରେସର ପ୍ରତିଟି ନିଷ୍ପତ୍ତି ସଂପକ୍ଷରେ ଛିଡ଼ା ହେବା ସହ ଜାତୀୟ ଗଣମାଧ୍ୟମ ଜରିଆରେ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସଂଜୟ। ତେବେ ସତ କହିଦେବା ପରେ ଜଣେ ଶୃଙ୍ଖଳିତ ସୈନିକଙ୍କୁ ସୋନିଆ ଯେଉଁ ପୁରସ୍କାର ଦେଲେ, ତାହା ନକହିବା ଭଲ। ମୁଖପାତ୍ର ପଦ କାଢ଼ି ନିଆଯିବା ପରେ ତାଙ୍କୁ ଦଳରୁ ସସ୍‌ପେଣ୍ଡ ବି କରାଯାଇଛି।

ଏଣେ ଭେଟେରାନ କପିଲ ସିବଲଙ୍କ ପରେ ଆସାମ କଂଗ୍ରେସ ନେତା ଗୌରବ ଗୋଗୋଇ ବି ଦଳୀୟ ହାଇକମଣ୍ଡଙ୍କ ପ୍ରତି ଅଙ୍ଗୁଳି ଉଠାଇଛନ୍ତି ଏମାନଙ୍କ ଭାଗ୍ୟ କଣ ହେଉଛି ତାହା ସମୟ ହିଁ କହିବ।

ହାଇକମାଣ୍ଡଙ୍କ ମନମୁଖି କାର୍ଯ୍ୟକୁ ନେଇ ଦଳରେ ତୀବ୍ରରୁ ଅତି ତୀବ୍ର ହେବାରେ ଲାଗିଲାଣି ପ୍ରତିବାଦର ସ୍ୱର। ନିଷ୍ପତ୍ତି ଲଦି ଦେବା ନୀତି ଆଉ ଚଳିବ ନାହିଁ ବୋଲି ତୃଣମୂଳ ସ୍ତରରେ ଦଳ ପାଇଁ ନିଷ୍ଠାର ସହ କାମ କରୁଥିବା ନେତା ଓ କର୍ମୀ ସ୍ପଷ୍ଟ ସୂଚନା ଦେଇସାରିଲେଣି। ତେବେ କଣ ପାଇଁ ନିଦରେ ଶୋଇଥିଲା ଭଳି ଭେଳିକି କରୁଛନ୍ତି ସୋନିଆ ଓ ତାଙ୍କ ବିଶ୍ୱସ୍ତ। କୁହାଯାଉଛି, ରାହୁଲଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଲାଗି ଏହା ଯୋଜନାବଦ୍ଧ ରଣନୀତି। ସଚିନ ପାଇଲଟ ହୁଅନ୍ତୁ କି ଜ୍ୟୋତିରାଦିତ୍ୟଙ୍କ ଭଳି ଦକ୍ଷ ଓ ଟାଣୁଆ ନେତା, ଯେଉଁମାନେ ରାହୁଲଙ୍କ ପ୍ରତି ଭବିଷ୍ୟତରେ ବିପଦ ସାଜିବେ ବୋଲି ସୋନିଆ ଓ ତାଙ୍କ ପାରିଷଦବର୍ଗଙ୍କୁ ଆଶଙ୍କା ରହୁଛି ସେମାନଙ୍କ ପକ୍ଷଛେଦନ କିମ୍ବା ଦଳ ବାହାରକୁ ରାସ୍ତା ଦେଖାଇବାକୁ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ତେବେ ରାହୁଲଙ୍କୁ ନିରଙ୍କୁଶ କ୍ଷମତା ଦେବା ପାଇଁ ହେଲେ ପ୍ରଥମେ କଂଗ୍ରେସର ସତ୍ତା ତ ରହିବା ଜରୁରୀ। ଯେଉଁ ବେଗରେ କଂଗ୍ରେସ ନାଆ ଡୁବୁଛି, ତାକୁ ଯଦି ରକ୍ଷା କରାନଯାଏ ତେବେ ରାହୁଲ ନେତୃତ୍ୱ ଦେବେ ତ ତେବେ କାହାକୁ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like