ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା

ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା

ଭୁବନେଶ୍ୱର: ନୂଆ ବର୍ଷ ଆସିଲା, ଦେଶରେ ନୂଆ ନିୟମ ବି ଲାଗୁ ହେଲା। ଅନେକ କ୍ଷେତ୍ରରେ ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି ନିୟମ ସମ୍ପର୍କରେ ଆପଣ ବି ଜାଣିବା ନିହାତି ଦରକାର। କାହିଁକି ନା ଟିକିଏ ଅସାବଧାନତା ହେତୁ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଜୋରିମାନା। ତେଣୁ ନିଶ୍ଚିତ ଭାବରେ ଜାଣିରଖନ୍ତୁ କେଉଁ ନିୟମରେ ପରିବର୍ତ୍ତନ କରୁଛନ୍ତି କେନ୍ଦ୍ର ସରକାର।

ଆଜିଠୁ ଗାଡିମଟର, ମୋବାଇଲ, ଟ୍ୟାକ୍ସ, କ୍ୟାସ ପେମେଣ୍ଟ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଲାଗୁ ହେବ ନୂଆ ନିୟମ। ତେଣୁ ନିୟମରେ ପରିବର୍ତ୍ତନ କଲେ ଆପଣଙ୍କ ପକେଟ ଉପରେ ପଡିପାରେ ମହଙ୍ଗା ମାଡ। ତେବେ ଜାଣନ୍ତୁ କେଉଁ କେଉଁ ସାମଗ୍ରୀ ଉପରେ ନିୟମ ପରିବର୍ତ୍ତନ କରୁଛନ୍ତି ସରକାର….

ଜିଏସଟି ରିଟର୍ଣ୍ଣରେ ପରିବର୍ତ୍ତନ :  ଏଣିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଜିଏସଟି ଆହୁରି ସରଳୀକରଣ ହେବ। ତେବେ ଏଣିକି ଯାହାର ବାର୍ଷିକ ଆୟ ୫ କୋଟି ଟଙ୍କା ଥିବ ସେମାନଙ୍କୁ ୪ଟି ସେଲ୍ସ ରିଟର୍ଣ୍ଣ ଫାଇଲ ଦାଖଲ କରିବାକୁ ପଡିବ।

ଟୋଲପ୍ଲାଜାରେ ଫାସଟ୍ୟାଗ୍ ବାଧ୍ୟତାମୂଳକ : ଡିଜିଟାଲ ହେବ ଟୋଲପ୍ଲାଜା । ସମସ୍ତ ଚାରିଚକିଆ ଯାନରେ ଫାସଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ। ରାସ୍ତାରେ ଥିବା ସମସ୍ତ ଟୋଲପ୍ଲାଜାର ସବୁ ଲେନ୍ ଫାସଟ୍ୟାଗରେ ପରିଣତ ହେବ। ଯଦି ଗାଡି ଗୁଡିକ ଫାସଟ୍ୟାଗ୍ ଲଗାଇନଥାନ୍ତି ତେବେ ସେମାନଙ୍କଠାରୁ ୨ ଗୁଣ ଶୁଳ୍କ ଆଦାୟ କରାଯିବ।

ବନ୍ଦ ହୋବ ହ୍ୱାଟ୍ସଆପ୍ : ବନ୍ଦ ହୋଇଯିବ ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ । ତେବେ ଅଳ୍ପ କେତେକ ନିର୍ଦ୍ଦିଷ୍ଟ ଫୋନରେ ୧ଜାନୁଆରୀରୁ ହ୍ୱାଟ୍ସଆପ୍ ବନ୍ଦ ହେବା ନେଇ କମ୍ପାନି ସୂଚନା ଦେଇଛି । ଏହି ଫୋନ ଗୁଡିକରେ ଆଣ୍ଡ୍ରଏଡ୍ ଓ ଆଇଫୋନ୍ ସାମିଲ ଅଛି । ପୁରୁଣା ଭର୍ସନ ସଫ୍ଟୱେର ବିଶିଷ୍ଟ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ ।

ମହଙ୍ଗା ହେବ କାର : ଆଜିଠୁ ବଢିବ କାରର ମୂଲ୍ୟ। ଦେଶର ନାମିଦାମୀ କାର ଗୁଡିକ ନିଜ ନିଜ ଗାଡିର ମୂଲ୍ୟ ବୃଦ୍ଧି କରିବେ ବୋଲି ସୂଚନା ରହିଛି। ତେବେ କେଉଁ କାର ମଡେଲ ଉପରେ କେତେ ଟଙ୍କା ବଢିବ ସେନେଇ କୌଣସି ନିର୍ଧିଷ୍ଟ ସୂଚନା ମିଳିନାହିଁ।

ଏକ୍ସଟ୍ରା ଚାର୍ଜ ଲାଗିବ ୟୁପିଆଇ ଟ୍ରାଞ୍ଜାକସନରେ : ଦେଶବ୍ୟାପି ମହଙ୍ଗା ହେବ ଡିଜିଟାଲ ଟ୍ରାଞ୍ଜାକସନ। ଆମାଜନ ପେ, ଫୋନ ପେ ଓ ଗୁଗୁଲ ପେରୁ ପେମେଂଟ କଲେ ଏଣିକି ଦେବାକୁ ପଡିବ ଅତିରିକ୍ତ ଟଙ୍କା। ଯାହାକୁ ନେଇ ଚିନ୍ତାରେ ବ୍ୟବହାରକାରୀ।

ବିନା ଜିରୋ ନମ୍ବରରେ ଲାଗିବ ନାହିଁ କଲ: ୧୦ ଟିକିଆ ନମ୍ବର ବଦଳରେ ଏଣିକି ୧୧ ଟିକିଆ ନମ୍ବର ଆସିବ। ତେବେ ମୋବାଇଲର ଚାହିଦା ବହୁଳ ପରିମାଣରେ ବଢିଥିବାରୁ ଏପରି ନିଷ୍ପତ୍ତି ନେଇଛି ଟ୍ରାଇ। କେବଳ ମୋବାଇଲ ନୁହେଁ ବରଂ ଲ୍ୟାଣ୍ଡଲାଇନରୁ କଲ କରିବା ପୂର୍ବରୁ ବି ଡାଏଲ କରିବାକୁ ପଡିବ ଜିରୋ।

କମ ଟଙ୍କାରେ ହେବ ଜୀବନ ବୀମା : ଆଜିଠୁ କମ୍ ମୂଲ୍ୟରେ ଆପଣ ସରଳ ଜୀବନ ବୀମା କରିପାରିବେ । ତେବେ କେତେକ ନିର୍ଧିଷ୍ଟ କମ୍ପାନୀ ପକ୍ଷରୁ ଆପଣଙ୍କୁ ମିଳିପାରିବ ଏହି ସୁବିଧା।

ସରଳ ହେବ ବିଜୁଳି ସଂଯୋଗ : ମାତ୍ର ୭ଦିନ ଭିତରେ ମେଟ୍ରୋସିଟି ମାନଙ୍କରେ ମିଳିବ ନୂତନ ବିଜୁଳି ସଂଯୋଗ। ଏହାସହ ପୌରପାଳିକାରେ ମଧ୍ୟ ୧୫ଦିନ ଭିତରେ ଏବଂ ଗ୍ରାମାଞ୍ଚଳରେ ମାସକ ମଧ୍ୟରେ ବିଜୁଳି ସଂଯୋଗ ଯୋଗାଇ ଦିଆଯିବ । ନଗଦ ରାଶି, ଚେକ୍, ଡେବିଟ୍ କାର୍ଡ଼, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ବିଲ୍ ପୈଠର ସୁବିଧା ରହିବ। ଯଦି ଆପଣଙ୍କ ବିଜୁଳି ବିଲ ୧୦୦୦ ଟଙ୍କାରୁ ଅଧିକ ରହିଛି ତେବେ ଆପଣ କେବଳ ଅନଲାଇନ ଜରିଆରେ ହିଁ ବିଜୁଳି ବିଲ ଦାଖଲ କରିପାରିବେ।

ତେବେ ଏହି ସବୁ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଯଦି ଆପଣ ନିୟମ ଭଙ୍ଗ କରନ୍ତି ତେବେ ଆପଣଙ୍କୁ ବି ଦେବାକୁ ପଡିପାରେ ଜୋରିମାନା। ତେଣୁ ଧ୍ୟାନ ରଖି ଏହି ଦିଗ ଉପରେ ସଠିକ ଭାବରେ କାର୍ଯ୍ୟ କରନ୍ତୁ।

You might also like