‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’

ନେତାଜୀଙ୍କ କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ

ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।  କାଳଜୟୀ ସମ୍ବୋଧନ ଆଜି ବି ଯୁବବର୍ଗଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ସ୍ରୋତ । ଦେଶର ସ୍ୱାଧୀନତା ପାଇଁ ସୁଭାଷ ଚନ୍ଦ୍ର ବୋଷଙ୍କର ଯଥେଷ୍ଟ ଅବଦାନ ରହିଥିଲା । ସେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ହେବା ସହ ଥିଲେ ଜଣେ ସାହସୀ ଯୋଦ୍ଧା । ତାଙ୍କର ପ୍ରେରଣାଦାୟୀ ଚିନ୍ତାଧାରା ଯୁବଗୋଷ୍ଠୀଙ୍କୁ  ସବୁବେଳେ ଉତ୍ସାହିତ କରୁଥିଲା ।

ମାତୃଭୂମିର ମୁକ୍ତି ପାଇଁ ଦେଶ-ବିଦେଶରେ ଆତ୍ମଗୋପନ କରି ବ୍ରିଟିସ୍‌ ବିରୋଧୀ ସଂଗ୍ରାମ ଚଳାଇଥିଲେ ସୁଭାଷ ଚନ୍ଦ୍ର ବୋଷ ।  ନେତାଜୀ ନାମରେ ପରଚିତ ଥିବା ଏହି କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ।  ଛାତ୍ରାବସ୍ଥାରେ ବ୍ରିଟିଷ ସରକାର ବିରୋଧରେ  ତାଙ୍କ ମନରେ ବିପ୍ଳବର ନିଆଁ ଜାଗୃତ ହୋଇଉଠିଥିଲା। ତାଙ୍କର ପ୍ରତିଟି ଶିରାପ୍ରଶିରାରେ ଦେଶପ୍ରେମର ରକ୍ତ ବହୁଥିଲା । ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୧୮୯୭ ଜାନୁଆରୀ ୨୩ ତାରିଖ ଐତିହାସିକ କଟକ ନଗରୀର ଓଡ଼ିଆ ବଜାରରେ ସେ ଜନ୍ମ ହୋଇଥିଲେ। ପିତା ଜାନକୀନାଥ ବୋଷ ଜଣେ ସୁନାମଧନ୍ୟ ଓକିଲ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ ଜଣେ ଧର୍ମପରାୟଣା ମହିଳା ଥିଲେ । ଚଉଦ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ୧୯୦୨ରେ ୟୁରୋପିୟାନ୍‌ ପ୍ରୋଟେଷ୍ଟାଣ୍ଟ ସ୍କୁଲ (ଷ୍ଟିଆର୍ଟ ସ୍କୁଲ)ରେ ଶିକ୍ଷା ଆରମ୍ଭ କରିଥିବା ନେତାଜୀଙ୍କ ପ୍ରକୃତ ପରିବର୍ତ୍ତନ ହୋଇଥିଲା ରେଭେନ୍‌ସା କଲିଜିଏଟ୍‌ରେ।

୧୯୦୯ରେ ରେଭେନ୍‌ସା କଲିଜିଏଟ୍‌ର ୪ର୍ଥ ଶ୍ରେଣୀରେ ନାମ ଲେଖାଇବା ପରେ ନେତାଜୀ ତତ୍କାଳୀନ ପ୍ରଧାନଶିକ୍ଷକ ବେଣୀମାଧବ ଦାସଙ୍କ ଠାରୁ ଦେଶପ୍ରେମ, ଆଦର୍ଶ ଜୀବନର କୌଶଳ ଶିକ୍ଷା କରିଥିଲେ। ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ । ପ୍ରେସିଡେନ୍ସୀ କଲେଜରେ ପଢୁଥିବା ସମୟରେ ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇ ଅନ୍ୟ ପିଲାଙ୍କ ସହିତ ତାଙ୍କୁ ଦୁର୍ବ୍ୟବହାର କରିଥିବା କାରଣରୁ କଲେଜରୁ ବହିଷ୍କୃତ ହୋଇଥିଲେ ।

୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହରେ ଆଇ. ସି. ଏସ. ପରୀକ୍ଷାରେ ଚତୁର୍ଥ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଥିଲେ । ସେତେବେଳର  ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ତାଙ୍କୁ ଶାନ୍ତିରେ ଶୁଆଇ ନଦନଥିଲା । ଆଉ ଏଥିପାଇଁ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ସେ ୧୯୨୧ ମସିହାରେ ଇଣ୍ଡିଆନ ସିଭିଲ୍‌ ସର୍ଭିସ୍‌ରୁ ଇସ୍ତଫା ଦେଇ ଭାରତକୁ ଫେରି ଆସିଥିଲେ ।

ଆହୁରି ପଢନ୍ତୁ : ୧ ଲକ୍ଷ ଟଙ୍କା ନୋଟ୍‌ରେ ଛପା ଯାଇଥିଲା ସୁଭାଷ ବୋଷଙ୍କ ଫଟୋ 

୧୯୨୩ରେ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସି ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା ।  ୧୯୩୧ରେ ଗାନ୍ଧୀ-ଇରୱିନ ଚୁକ୍ତି ପରେ ସୁଭାଷଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ ସୁଭାଷ । ସଶସ୍ତ୍ର ଆନ୍ଦୋଳନଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ଵାସ କରୁଥିଲେ । ସେ ଇଂରେଜମାନଙ୍କ ସହ ଲଢ଼େଇ କରିବାକୁ ଆଜାଦ ହିନ୍ଦ୍‌ ଫୌଜ ନାମକ ଦଳ ଗଠନ କରିଥିଲେ।

ସୁଭାଷଙ୍କର ସଶନ୍ତ୍ର  ନୀତି ଯୋଗୁଁ ବ୍ରିଟିଶ ସରକାର ତାଙ୍କୁ କଲିକତାଠାରେ ନଜରବନ୍ଦୀ ରୂପେ ରଖିଥିଲେ । ଫଳରେ ଦେଶରୁ ବାହାରି ଯାଇ ବିଦେଶରେ ରହି ଯୁଦ୍ଧ କରିବା ପାଇଁ ସେ ବର୍ଲିନ ଚାଲିଯାଇଥିଲେ । ଜର୍ମାନୀର ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ଵାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ସୁଭାଷ ବୋଷ ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସ୍ୱାଧୀନତା  ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ ।

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ଆହ୍ଵାନରେ ଦେଶବାସୀଙ୍କୁ ଏକାଠି କରିଥିଲେ । ସ୍ୱାଧୀନତା କେହି କାହାକୁ ଦିଏ ନାହିଁ; ସ୍ୱାଧୀନତାକୁ ଛଡ଼ାଇ କରି ଆଣିବାକୁ ହୁଏ। ଭାରତର ଭାଗ୍ୟକୁ ନେଇ ବିଶ୍ୱାସ କେବେ ହାର ନାହିଁ; ଏକତାବାଦରେ ଭାରତ ଯେଉଁ ଭଳି ରୂପ ନେଇପାରେ ତାହା ପୃଥିବୀରେ ଯେକୌଣସି ଶକ୍ତିଠାରୁ ବି ଶକ୍ତିଶାଳୀ । ବ୍ରିଟିସ୍ ବିରୋଧୀ ସଂଗ୍ରାମରେ  ଭାରତୀୟ ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ଏପରି ଆହ୍ୱାନ ଦେଇ କ୍ଷଣ କ୍ଷଣେ ଦେଶପ୍ରେମର ବହ୍ନି ଜାଳୁଥିଲେ । 

You might also like