ଫେବୃଆରୀରୁ ବଡ଼ ପରିବର୍ତ୍ତନ; ପକେଟ ଉପରେ ପଡିବ ପ୍ରଭାବ

ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ସବୁଥିରେ ଏହାର ପ୍ରଭାବ ପଡିବ।

ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର ରହିଛି। ଆଉ କିଛିଟା ପରିବର୍ତ୍ତନ ହେଲେ ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ସିଧା ପଡିବ। ବଜେଟ ବ୍ୟତୀତ ଫେବୃଆରୀ ପହିଲାରୁ ଦେଶର ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ବିଷୟରେ ଆପଣ ଆଗରୁ ଜାଣିବା ନିହାତି ଦରକାର।

ପ୍ରଥମ ପରିବର୍ତ୍ତନରେ ରୋଷେଇ ଘର ଉପରେ ପ୍ରଭାବ ପଡ଼ିବାର ଅନେକ ସମ୍ଭାବନା ରହିଛି। ଫେବୃଆରୀ ୧ ତାରିଖରୁ ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହେବାର ରହିଛି। ଯେହେତୁ ଜାନୁଆରୀ ମାସରେ ଗ୍ୟାସ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରି ନାହାଁନ୍ତି, ଫେବୃଆରୀ ମାସରେ ବଢାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଏମିତିକି ଗତ ଡିସେମ୍ବରରେ ଏଲପିଜି ଦାମ ୨ ଗୁଣ ବୃଦ୍ଧି ପାଇଥିଲା। ଏବେ ବଢୁଛି ନା’ କମୁଛି ତାହା ଉପରେ ରହିଛି ସାରା ଦେଶର ନଜର। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଗ୍ୟାସ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ଓ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ସ୍ଥିର କରିଥାନ୍ତି।

ଦ୍ୱିତୀୟ ପରିବର୍ତ୍ତନଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବିର ଗ୍ରାହକ ହୋଇଥାନ୍ତି, ତେବେ ଏହା ଜାଣିବା ଜରୁରୀ। ଫେବୃଆରୀ ୧ ତାରିଖରୁ ପିଏନବି ଏଟିଏମରୁ ଟଙ୍କା ଉଠାଇବା ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଦେଶରେ ବଢ଼ୁଥିବା ଏଟିଏମ ଠକେଇକୁ ରୋକିବା ପାଇଁ ପିଏନବି ବଡ ପଦକ୍ଷେପ ନେବାକୁ ଯାଇଛି। ଯଦି ଆପଣଙ୍କର ପିଏନବିରେ ଆକାଉଣ୍ଟ ଅଛି, ତେବେ ଫେବୃଆରୀ ପହିଲାରୁ ଆପଣ ଅଣ EMV ATM ମେସିନରୁ ଆଉ ଟଙ୍କା ଉଠାଇ ପାରିବେ ନାହିଁ।

ତୃତୀୟ ପରିବର୍ତ୍ତନଟି ଆଣିବ ଖୁଶି ଖବର ବୋଲି ଅନୁମାନ କରାଯାଉଛି। ଫେବୃଆରୀ ମାସରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ବିମାନ ଉଡ଼ାଣ। ଏୟାର ଇଣ୍ଡିଆ ଏକ୍ସପ୍ରେସ ନୂତନ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉଡାଣ କରିବାକୁ ଘୋଷଣା କରିଛି। ଫେବୃଆରୀରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ତ୍ରିଚି ଓ ସିଙ୍ଗାପୁର ମଧ୍ୟରେ ଦୈନିକ ବିମାନ ଚଳାଚଳ କରିବ। ଏହି ପଥରେ କୁଏତରୁ ବିଜୟୱାଡା, ହାଇଦ୍ରାବାଦ, ମାଙ୍ଗାଲୋର, ତ୍ରିଚି, କୋଜିକୋଡେ, କୁନୁର ଓ କୋଚି ସହ ସଂଯୋଗ ସୁବିଧା ହୋଇପାରିବ।

ଶେଷ ପରିବର୍ତ୍ତନଟି ଦେଶରେ ନୂଆ ଆଶା ସଂଚାର କରିବ ବୋଲି କୁହାଯାଉଛି। ଫେବୃଆରୀ ୧ ତାରିଖରେ ମୋଦୀ ସରକାର ବାର୍ଷିକ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଚଳିତ ବଜେଟରେ ସରକାର ଅନେକ ସାମଗ୍ରୀ ଉପରେ କଷ୍ଟମ୍ସ ଶୁଳ୍କ ଛାଡ କରି ପାରନ୍ତି। ଯେଉଁଥିରେ ରହିଛି ଫର୍ନିଚରର କଞ୍ଚାମାଲ, ତମ୍ବା ଭଙ୍ଗା, କିଛି ରାସାୟନିକ ପଦାର୍ଥ, ଟେଲିକମ ଉପକରଣ, ରବର ଉତ୍ପାଦ, ପଲିସ ହୀରା, ରବର ସାମଗ୍ରୀ, ଚମଡ଼ା ପୋଷାକ। ଏହା ବ୍ୟତୀତ ଆସବାବପତ୍ର ତିଆରିରେ ବ୍ୟବହୃତ କାଠ ଓ ହାର୍ଡବୋର୍ଡ ଇତ୍ୟାଦି ଉପରେ କଷ୍ଟମ୍ସ ଡ୍ୟୁଟି ସମ୍ପୂର୍ଣ୍ଣ ରଦ୍ଦ ହୋଇପାରେ। ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁଁ ଅନେକ ଉତ୍ପାଦ ଶସ୍ତା ହୋଇପାରେ ବୋଲି କୁହାଯାଉଛି।

ହାତ ଗଣତି ଆଉ କେଇଟା ଦିନ ପରେ ଆସୁଛି ଫେବୃଆରୀ ମାସ। ତା’ ପୂର୍ବରୁ ଏହି ପ୍ରମୁଖ ପରିବର୍ତ୍ତନ ବିଷୟରେ ଆନୁମାନିକ ସୂଚନା ମିଳିଛି । ଆଗକୁ ଆହୁରି ଅନେକ ପରିବର୍ତ୍ତନ ହୋଇପାରେ।

 

You might also like