କାଳ ୨୦୨୦; ଆରପାରିରେ ଓଡ଼ିଶାର ଏହିସବୁ ଲୋକପ୍ରିୟ ରାଜନେତା

ନେତା, ଅଭିନେତା, କ୍ରୀଡ଼ିବିତ୍ ତଥା ଅନ୍ୟ ବିଭାଗର ଅନେକ ବଡ଼ ବଡ଼ ବ୍ୟକ୍ତି ବିଶେଷଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି ବର୍ଷ ୨୦୨୦। ବିଶ୍ୱ, ଦେଶ ଓ ରାଜ୍ୟର ହୋଇଛି ଅପୂରଣୀୟ କ୍ଷତି। ବର୍ଷଟା ସାରା ମହାମାରୀ ଛଟପଟ୍‌ କରିଥିବା ବେଳେ ମଝିରେ ମଝିରେ ପ୍ରିୟ ବ୍ୟକ୍ତିଙ୍କର ବିୟୋଗ ରାଜ୍ୟବାସୀଙ୍କୁ କନ୍ଦାଇ ଦେଇଛି। ବିଜୟ ମହାନ୍ତି, ଅଜିତ ଦାଶ, ମନମୋହନ ମହାପାତ୍ରଙ୍କ ଭଳି ପ୍ରମୁଖ ଫିଲ୍ମ ବ୍ୟକ୍ତିତ୍ୱ ଓଲିଉଡ୍‌କୁ ମୁରବୀ ଶୂନ୍ୟ କରିଦେଇ ଚାଲିଯିବା ପରେ ଅର୍ଜୁନ ସେଠୀ, ପ୍ରଦୀପ ମହାରଥୀ ଓ ବିଷ୍ଣୁ ଦାସଙ୍କ ଭଳି ଟାଣୁଆ ନେତା ମଧ୍ୟ ରାଜ୍ୟବାସୀଙ୍କ ଠାରୁ ବିଦାୟ ନେଇଛନ୍ତି। ବର୍ଷ ଶେଷ ହେବାକୁ ଯାଉଛି, ଆସନ୍ତୁ ଆଉଥରେ ମନେ ପକାଇବା ଆମର ପ୍ରିୟ ନେତାମାନଙ୍କୁ।

ଭବାନୀ ଚରଣ ପଟ୍ଟନାୟକ

ମେ ୧୪ ତାରିଖରେ ଓଡ଼ିଶାରୁ ଦେଶର ମୁକ୍ତି ସଂଗ୍ରାମର ସୂର୍ଯ୍ୟ ଅସ୍ତ ହୋଇ ଗଲା। ସମସ୍ତଙ୍କୁ ଏକା ଛାଡ଼ି ଆରପାରିକୁ ଚାଲିଗଲେ  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ। ୯୮ ବର୍ଷ ବୟସରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିବା ଭବାନୀ ଚରଣ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥିସହିତ ସେ ତିନିଥର ସାଂସଦ ହୋଇଛନ୍ତି।

ଶରତ କର
ପୂର୍ବତନ ବାଚସ୍ପତି ଶରତ କରଙ୍କର ଅକ୍ଟୋବର ୧୨ ତାରିଖରେ ପରଲୋକ ହୋଇଥିଲା। ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିବା ଶରତ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଶରତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଶିକ୍ଷା, ସଂସ୍କୃତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ୨୦୦୦ ମସିହାରେ ସେ ବାଚସ୍ପତି ହୋଇଥିଲେ। ୧୯୭୭ ମସିହାରେ ସେ କଟକ ସଂସଦୀୟ କ୍ଷେତ୍ରରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ହରାଇ ସାଂସଦ ହୋଇଥିଲେ।

 

ଅର୍ଜୁନ ସେଠୀ

ଜୁନ ମାସ ୮ ତାରିଖରେ ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ପରଲୋକ ହୋଇଥିଲା। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ। ରାଜ୍ୟ ବିଧାନସଭାକୁ ମଧ୍ୟ ୨ ଥର ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ବିଜେଡି ଟିକେଟ୍ ନଦେବାରୁ ଦଳ ଛାଡ଼ି ବିଜେପିର ଯୋଗ ଦେଇଥିଲେ ଅର୍ଜୁନ।

BJD MLA Bishnu Das no more - OrissaPOST

ବିଷ୍ଣୁ ଦାସ

ଅର୍ଜୁନ ସେଠୀଙ୍କ ମାସକ ପରେ  ଜୁଲାଇ ୬ ତାରିଖରେ ପୁଣି ଜଣେ ବରିଷ୍ଠ ଟାଣୁ ନେତା ବିଷ୍ଣୁ ଦାସଙ୍କର ବିୟୋଗ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ୬୬ ବର୍ଷର ବିଷ୍ଣୁ ଦୁନିଆରୁ ବିଦାୟ ନେଇଥିଲେ। ସେ ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ଥିଲେ ବିଷ୍ଣୁ। ସ୍ୱଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ଏହାସହ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଥିଲେ।

ପ୍ରଦୀପ ମହାରଥୀ

ହାରି ନାହିଁ ମହାରଥି ସରି ନାହିଁ ରାଜନୀତି ଡାଇଲଗ୍‌ କହୁଥିବା ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶେଷରେ ଜୀବନ, ମରଣର ଛକି ଶୂନ ଖେଳରେ ହାରିଯାଇଥିଲେ। ଆଉ ସବୁଦିନ ପାଇଁ ରାଜନୀତିକୁ ସାରିଦେଇ ଚାଲିଯାଇଥିଲେ ଆରପାରିକୁ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଅକ୍ଟୋବର ୪ ତାରିଖରେ ୬୫ ବର୍ଷୀୟ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିଲେ ପ୍ରଦୀପ ମହାରଥୀ। ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ବିଭାଗରେ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ବେଦ ପ୍ରକାଶ ଅଗରୱାଲ

ଅକ୍ଟୋବର ୪ ତାରିଖରେ ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ୮୨ ବର୍ଷୀୟ ବେଦ ପ୍ରକାଶ। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ବି ବିଜେଡି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଥିଲା। ଏପରିକି ନାମାଙ୍କନ ପତ୍ର ଦାଖଲ ବେଳେ ବି ସେ ଅସୁସ୍ଥ ଥିଲେ।

Balasore Sadar MLA Madan Mohan Dutta passes away- The New Indian Express

ମଦନ ମୋହନ ଦତ୍ତ (ମଙ୍ଗୁ ଦତ୍ତ)

ଚଳିତ ବର୍ଷ ଜୁଲାଇ ୧୭ ତାରିଖରେ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ପରଲୋକ ହୋଇଥିଲା। ପୂର୍ବରୁ ଯକୃତ ଜନିତ ସମସ୍ୟାରେ ପୀଡିତ ଥିବା ମଙ୍ଗୁ ଦତ୍ତ ହୃଦ୍‌ଘାତରେ ଶିକାର ହୋଇ ପରଲୋକ ଗମନ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବାଲେଶ୍ୱର ସଦରରୁ ଜିତିଥିଲେ।  ବିଜେପି ଟିକେଟ୍‌ରେ ଲଢି ଜିତିଥିଲେ। ଖୁବ୍‌ କମ୍‌ ଦିନ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିଲେ।

 

ଆରପାରିରେ ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର - Odisha Time

ଅଭିମନ୍ୟୁ କୁମାର

ଜୁଲାଇ ୨୬ ତାରିଖରେ ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର (କୁମ୍ଭାର)ଙ୍କର ତାଙ୍କ ବାସଭବନରେ ୯୮ ବର୍ଷ  ବୟସରେ ପରଲୋକ ହୋଇଥିଲା। ଅଭିମନ୍ୟୁ ୧୯୭୧ ମସିହାରେ ପ୍ରଥମେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳିରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ୧୯୮୦, ୧୯୮୫ ଓ ୧୯୯୫ରେ ଏହି ଆସନରୁ ବିଜୟୀ ହୋଇଥିଲେ। ଲୋକପ୍ରିୟତା ଯୋଗୁ ୪ଟି ପାଳିରେ ଦୀର୍ଘ ୧୮ ବର୍ଷ ଧରି ବିଧାୟକ ରହିଥିବା ଅଭିମନ୍ୟୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନିକଟତର ଥିଲେ।

ଅଶୋକ ସାହୁ

ବର୍ଷ ୨୦୨ ଶେଷ ଆଡ଼କୁ ସେପ୍ଟେମ୍ବର ୧୭ ତାରିଖରେ ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ IPS ଅଶୋକ ସାହୁଙ୍କ ପରଲୋକ ହୋଇଥିଲା। କଟକ ପିଠାପୁର ସ୍ଥିତ ବାସଭବନରେ ମାତ୍ର ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଅଶୋକ ସାହୁ। ଅବସର ପରେ ରାଜନୀତିରେ ପାଦ ଦେଇ ସେ ବିଜେପିରେ ସାମିଲ ହୋଇଥିଲେ। ପୋଲିସ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସ୍ୱର୍ଗତଃ ସାହୁ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ଦଳର ବିଭିନ୍ନ ସାଂଗଠନିକ ପଦବୀରେ ରହିବା ପରେ ସ୍ୱର୍ଗତଃ ସାହୁ ରାଜ୍ୟ ଉପସଭାପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କ ବିୟୋଗ ହୋଇଥିଲା।

You might also like