ଲର୍ଡସ ଗ୍ରାଉଣ୍ଡରୁ ହାଉସ୍ ଅଫ୍ ଲର୍ଡସ, ଜାଣନ୍ତୁ ଏହି ମହାନ ଖେଳାଳୀ କିଏ ?

ଲଣ୍ଡନ: ଦିନେ କ୍ରିକେଟ୍ ଖେଳୁଥିଲେ, ଏବେ ପାର୍ଲାମେଣ୍ଟରେ ସାଂସଦ ହେଲେ। ବଦଳିଗଲା କ୍ରିକେଟରଙ୍କ ଭାଗ୍ୟ। ମାତ୍ର ୧୬ ବର୍ଷ ବୟସରେ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ପାଇଁ ବ୍ୟାଟ୍ ଧରିଥିବା ବାଳକ ଯେ ଦିନେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ପହଞ୍ଚିଯାଇ ପାରେ, ଏକଥା କେହି କେବେ ଭାବି ନଥିଲେ। ଏହି ବାଳକ, କ୍ରିକେଟ ଖେଳି ଏବେ ସାରା ବିଶ୍ୱରେ ନାଁ କମେଇଛନ୍ତି। କ୍ରିକେଟରେ ଯେଉଁ କେତେଜଣ ଆଗଧାଡ଼ିର ପ୍ରବାଦପୁରୁଷ ଭାବେ ଗଣା ହୁଅନ୍ତି ସେମାନଙ୍କ ଭିତରେ ଇଏ ମଧ୍ୟ ଅଛନ୍ତି। ଇଏ ହେଉଛନ୍ତି  କ୍ରିକେଟ ଅଲରାଉଣ୍ଡର ଇଆନ୍ ବୋଥାମ। ଏବେ ତାଙ୍କୁ ଇଆନ ବୋଥାମ ନକହି ଇଆନ୍ ଲର୍ଡ ବୋଥାମ କହିବା ଠିକ୍ ହେବ। କାହିଁକି ନା ସେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ସ୍ଥାନ ପାଇଛନ୍ତି। ଏହି ମର୍ଯ୍ୟାଦାଜନକ ଗୃହରେ ସ୍ଥାନ ପାଇବା ପରେ ତାଙ୍କ ନାମ ସହିତ ଲର୍ଡ ଶବ୍ଦ ହିଁ ଲାଗି ରହିବ।

ପାରମ୍ପାରିକ ପୋଷାକ ପିନ୍ଧି ଏକ ଉତ୍ସବରେ ସେ ବ୍ରିଟେନ ପାର୍ଲାମେଣ୍ଟର ଅପର୍ ହାଉସର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ନିର୍ବାଚିତ ହୋଇନାହାନ୍ତି। ତାଙ୍କୁ ନିର୍ଦ୍ଦଳୀୟ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଶପଥପାଠରେ ଲର୍ଡ ବୋଥାମ କହିଥିଲେ– ‘ ମୁଁ ଇଆନ ଲର୍ଡ ବୋଥାମ… ଈଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ… ମହାମହିମ କୁଇନ୍ ଏଲିଜାବେଥ୍ , ତାଙ୍କ ଉତ୍ତରାଧିକାରୀ ଓ ବଂଶଧରଙ୍କ ନିକଟରେ ମୁଁ ଆଇନ ଅନୁସାରେ ବିଶ୍ୱସ୍ତ ରହିବି ଓ ପୂରା ଆନୁଗତ୍ୟ ପ୍ରକାଶ କରିବି। ତେଣୁ ଈଶ୍ୱର ମୋତେ ସହାୟ ହୁଅନ୍ତୁ।’

୧୯୭୬ରୁ ୧୯୯୨ ମଧ୍ୟରେ ଏହି କ୍ରିକେଟର୍ ଇଂଳଣ୍ଡ ପକ୍ଷରୁ ୧୦୨ଟି ଅନ୍ତର୍ଜାତୀୟ ଟେଷ୍ଟ ଓ ୧୧୬ଟି ୱାନ୍ ଡେ ଖେଳିଛନ୍ତି। ସେତେବେଳେ ସେ ଅଷ୍ଟ୍ରେଲିଆ ଓ ୱେଷ୍ଟ ଇଣ୍ଡିଜ କ୍ରିକେଟ ଟିମରେ ଭୟ ସଞ୍ଚାର କରୁଥିଲେ। ସେ ୫୨୦୦ ଟେଷ୍ଟ ରନ୍ କରିବା ସହ ଟେଷ୍ଟ ମ୍ୟାଚରେ ୩୬୩ଟି ୱିକେଟ ହାସଲ କରିଛନ୍ତି। ଏବେ ତାଙ୍କର ବୟସ ୬୪। କ୍ରିକେଟରୁ ଅବସର ନେବାପରେ ସେ ଜଣେ ଭଲ କମେଣ୍ଟେଟର୍ ଭାବେ ଖ୍ୟାତି ଅର୍ଜନ କରିଥିଲେ। ତେବେ ଏ ସବୁ ଭିତରେ ବି ସେ ସମାଜସେବା କରୁଥିଲେ। ଲିଉକେମିଆ ବା ଶ୍ୱେତ ରକ୍ତ କଣିକା ରୋଗର ଚିକିତ୍ସା ଓ ଗବେଷଣା ପାଇଁ ସେ ଅର୍ଥଦାନ କରିବା ସହ କାମ କରୁଥିଲେ। କ୍ରିକେଟ ଓ ସମାଜସେବାରେ ବିଶେଷ ଅବଦାନ ପାଇଁ କୁଇନ୍ ଏଲିଜାବେଥ୍ ୨୦୦୭ ମସିହାରେ ତାଙ୍କୁ ନାଇଟ୍ ଉପାଧି ରେ ଭୂଷିତ କରିଥିଲେ। ୨୦୧୭ ମସିହାରୁ ସେ ଡର୍ହାମ କାଉଣ୍ଟି କ୍ରିକେଟ କ୍ଲବର ଚେୟାରମ୍ୟାନ୍ ଅଛନ୍ତି। ଇଂଳଣ୍ଡରେ ସେ ବ୍ରେକ୍ସିଟରଙ୍କ ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା। ଲର୍ଡସ ଗ୍ରାଉଣ୍ଡରୁ ହାଉସ୍ ଅଫ୍ ଲର୍ଡସରେ ପହଞ୍ଚିବା ପଛରେ ତାଙ୍କର ଅଦମ୍ୟ ନିଷ୍ଠା ରହିଛି।

ଆହୁରି ପଢ଼ନ୍ତୁ

You might also like