ହୃଦୟବିଦାରକ ଦୃଶ୍ୟ, ହାତୀ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଲା ମଣିଷ

ଯନ୍ତ୍ରଣାରେ ଛାଟିପିଟି ହୋଇ ଚାଲିଗଲା ନିରୀହ ଜୀବନ

ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ ।  ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ କରିଛି ଅମଣିଷ କାମ । ତାମିଲନାଡୁରେ ଜନବସତି ଆଡ଼କୁ ଭୁଲରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗିଦେଇଥିଛି ମଣିଷ । ଫଳରେ ନିଷ୍ପାପ ଜନ୍ତୁଟି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇଛି । ହାତୀର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଘଟ ହେବାପରେ ବର୍ଷିଛନ୍ତି ହାତୀପ୍ରେମୀ ।

କେରଳରେ ଏକ ଗର୍ଭିଣୀ ହାତୀ ବାଣଭର୍ତ୍ତି ସପୁରୀ ଖାଇ ଯନ୍ତ୍ରଣାରେ ଛଟପଟ  ହୋଇ ଜୀବନ ହାରିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ତାମିଲନାଡୁର ଆଉ ଏକ ଏପରି ଘଟଣା ସାମ୍ନାକୁ ଆସିଛି। ଦେଖଣାହାରୀଙ୍କୁ ଏହି ଭିଡ଼ିଓ ଗଭୀରଭାବେ ମର୍ମାହତ କରୁଛି । ତାମିଲନାଡୁ ନୀଳଗିରି ଜିଲାର ମାସିନାଗୁଡିରେ ଜଳନ୍ତା ଟାୟାର ଫାଶରେ ପଡ଼ି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ବାଟ ଭୁଲି ଏଖ ରିସୋର୍ଟ ନିକଟକୁ ଚାଲି ଆସିଥିବା ବେଳେ ଜଣେ କର୍ମଚାରୀ  ଟାୟାରରେ ନିଆଁ ଲଗାଇ ତା’ ଉପରକୁ ଫିଙ୍ଗି ଦେଇଥିଲା । ଫଳରେ ଜଳନ୍ତା ଟାୟାରଟି ହାତୀର କାନରେ ଫଶି ଯାଇଥିଲା । ଜଳନ୍ତା ଟାୟାରକୁ ମୁକ୍ତି ପାଇବା ପାଇଁ ଏଣେ ତେଣେ ଘୂରି ବୁଲିଥିଲା ହାତୀଟି । ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ବିକଳରେ ପ୍ରାଣ ଭିକ୍ଷା ମାଗୁଥିଲା । ହେଲେ ନିଆଁର ଫାଶରୁ ହାତୀଟି ମୁକୁଳି ପାରିଲାନି  ।

କାନ ପାଖରେ ଟାୟାର ଫସିଯିବାରୁ ନିରୀହ ପ୍ରାଣୀର କାନ ପାଖର ଅଂଶ ଗୁରୁତର ଭାବେ ଜଳି ଯାଇଥିଲା। ନିଆଁରେ ପୋଡି ହୋଇ ଆହତ ହେବା ପରେ ହାତୀଟି ଏକ ଡ୍ୟାମ୍ ନିକଟରେ ପଡିଥିବାର ଜଙ୍ଗଲ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ତେବେ ସେଠାରୁ ହାତୀକୁ ତୁରନ୍ତ ପ୍ରାଣୀ ଚିକିତ୍ସାଳୟ ନେଇଯାଇଥିଲା । ଅନେକ ଚେଷ୍ଟା ସୱେ ହାତୀଟି ବଞ୍ଚି ପାରିଲାନି ।  ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି । ପ୍ରଚୁର ରକ୍ତସ୍ରାବ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଏହା ପରେ ହାତୀକୁ କ୍ରେନ୍ ଜରିଆରେ ଟ୍ରକ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି । ତେବେ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଳିସ୍ ।

You might also like