ଲକଡାଉନ୍ ପାଇଁ ଫିକା ପଡ଼ିଲା ଇଦ୍ ପର୍ବ

ଆଜି ପବିତ୍ର ଇଦ୍ ପର୍ବ। ରମଜାନ ମାସ ସାରା ଉପବାସ ରଖିବା ପରେ ରୋଜା ଭାଙ୍ଗିବେ ଇସଲାମ ଧର୍ମାବଲମ୍ବୀ। । ଦିଲ୍ଲୀ ସମେତ ଦେଶର ଏକାଧିକ ରାଜ୍ୟରେ ପାଳନ ହେଉଛି ମୁସଲିମ୍ ସଂପ୍ରଦାୟଙ୍କ ଏହି ମହାନ ପର୍ବ । ଶୁକ୍ରବାର ହେଉଥିବାରୁ ଏହାର ମାହାତ୍ମ ଓ ଗୁରୁତ୍ୱ ବଢ଼ି ଯାଇଛି । ତେବେ କରୋନା କଟକଣା ଓ ପ୍ରାୟତଃ ସମସ୍ତ ରାଜ୍ୟରେ ଲକଡାଉନ୍ ଥିବାରୁ ଫିକା ପଡ଼ିଛି ମାହୋଲ । ଗତବର୍ଷ ଭଳି ଚଳିତ ବର୍ଷ ବି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ମସଜିଦରେ କେବଳ ନମାଜ୍ ପାଠ ହେଉଛି ।

ସେହିପରି ଓଡ଼ିଶାରେ ବି ଆଜି ପାଳନ ହେଉଛି ଇଦ୍ । ସାଧାରଣ ଶ୍ରଦ୍ଧାଳୁଙ୍କ ମସଜିଦ୍ ପ୍ରବେଶ ଉପରେ କଟକଣା ଲାଗିଛି । ମସଜିଦରେ ସମୂହ ନମାଜ ପାଠ ହେବନି, ଇମାମଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ । ଲୋକେ ନିଜ ଘରେ ଇଦ୍ ପାଳନ କରୁଛନ୍ତି ।

ଭଦ୍ରକରେ ନିରାଡ଼ମ୍ବର ଭାବେ ପାଳନ କରାଯାଉଛି ଇଦ୍ । କରୋନା ପାଇଁ କଟକଣା ଭିତରେ ପର୍ବ ପାଳନ କରୁଛନ୍ତି ଶ୍ରଦ୍ଧାଳୁ ।ପ୍ରଶାସନର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦ ଗାହ ଓ ମସଜିଦରେ ଶ୍ରଦ୍ଧାଳୁମାନେ ନମାଜ ପାଠ କରିଛନ୍ତି । ବିଶେଷ କରି ଇଦ ଗାହ ଓ ମସଜିଦରେ ୫ ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ସକାଳୁ ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ତେବେ ଗତକାଲି କାଶ୍ମୀର ଓ କେରଳରେ ଇଦ୍ ପାଳନ ହୋଇ ସାରିଛି ।

ଅନ୍ୟପଟେ କରୋନା ପାଇଁ ରାଜଧାନୀ ଦିଲ୍ଲୀରେ ଫିକାପଡ଼ିଛି ଇଦ୍ । ଶ୍ରଦ୍ଧାଳୁମାନେ ଘରେ ରହି ଇଦ୍ ପାଳନ କରୁଛନ୍ତି । କରୋନା ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ମସଜିଦକୁ ଆସିବା ମନା କରାଯାଇଛି । ଦିଲ୍ଲୀର ଜାମା ମସଜିଦ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାକର୍ମୀମାନେ ମସଜିଦ ନିକଟରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ମଧ୍ୟ କଟକଣା ମାନି କେହି ବାହାରକୁ ବାହାରିନାହାନ୍ତି । ସେହିପରି ପଞ୍ଜାବରେ ଇଦ୍ ଅବସରରେ ମସଜିଦ ପରିସରରେ ଶ୍ରଦ୍ଧାଳୁମାନେ ନମାଜ ପାଠ କରିଛନ୍ତି । ଅମ୍ରିତସର ଜାମା ମସଜିଦ ପରିସରରେ ସକାଳୁ ସକାଳୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ନମାଜ ପାଠ କରିଥିବା ଦେଖିବାକୁ ମିଳିଛି ।

You might also like