ରୋଗରେ ପଡ଼ିଥିବା ମାଲିକଙ୍କୁ ଦେଖିବାକୁ ହସ୍ପିଟାଲ ବାହାରେ ଜଗି ବସୁଥିଲା ପୋଷା କୁକୁର

ନିସ୍ୱାର୍ଥପର ଭଲପାଇ‍ବାର ନିଚ୍ଛକ ଉଦାହରଣ

କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା  ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି ଜଗି ରହିଛି ପୋଷା କୁକୁର। ହଠାତ ଦିନେ ବିଳମ୍ବିତ ରାତିରେ ମାଲିକର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ସେହି ଦିନଠାରୁ ମାଲିକ ପାଇଁ ପୋଷା କୁକୁରଟି ପ୍ରତିଦିନ ଘରୁ ଲୁଚି ପଳାଇ ଯାଉଥିଲା ।

ମାଲିକ ପ୍ରତି ପୋଷା କୁକୁରର ଆନୁଗତ୍ୟ ଏବେ ଚର୍ଚ୍ଚାରେ। ୮ବର୍ଷିୟ ଜଣେ ବ୍ୟକ୍ତିଙ୍କର ବ୍ରେନ୍ ସମସ୍ୟା ଯୋଗୁଁ ଜାନୁଆରୀ ୧୪ରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାଲିକଙ୍କୁ ଘରୁ ଆମ୍ବୁଲାନ୍ସରେ ନେଉଥିବାର ଦେଖି କିଛି ବୁଝି ପାରିନଥିଲା ପୋଷା କୁକୁର । ତଥାପି ହସ୍ପିଟାଲ ପର୍ଯ୍ୟନ୍ତ ତାଙ୍କର ପିଛା କରିଥିଲା । ରାତି ଯାଏ ମାଲିକର ଫେରିବା ରାସ୍ତାକୁ ଜଗିବସିଥିଲା ସିନା, ହସ୍ପିଟାଲ ଭିତରକୁ ପ୍ରବେଶ କରିନଥିଲା । ହସ୍ପିଟାଲରେ ପ୍ରାୟ ସପ୍ତାହେ ଧରି ମାଲିକଙ୍କର ଚିକିତ୍ସା ଚାଲିଲା। ଘରେ ମାଲିକକୁ ନଦେଖି ଘଡ଼ିଏ ରହି ପାରୁନଥିବା କୁକୁର ଛୁଆଟି ପ୍ରତିଦିନ ହସ୍ପିଟାଲ ପଳାଇ ଯାଉଥିଲା । ବାରମ୍ବାର ପରିବାର ଲୋକ କୁକୁରକୁ ଘରକୁ ନେଇ ପଳେଇ ଆସୁଥିଲେ ମଧ୍ୟ ସେ ପୁଣି ମାଲିକ ପାଖକୁ ପଳାଇ ଯାଉଥିଲା ।

ପ୍ରତିଦିନ ସକାଳ ସକାଳୁ ପ୍ରାୟ ୭ଟାରେ ହସ୍ପିଟାଲ ବାହାରେ ମାଲିକର ଏକ ଝଲକ ଦେଖିବକୁ ହାଜର ହୋଇଯାଉଥିଲା କୁନି କୁକୁର । ଆଉ ମାଲିକଙ୍କୁ ନଦେଖି ପ୍ରାୟ ରାତି ୯ଟା ପର୍ଯ୍ୟନ୍ତ ଜଗି ଜଗି ଦେଖାନମିଳିବା ପରେ ମନ ଦୁଃଖରେ ଘରକୁ ଫେରିଯାଉଥିଲା । ଚିକିତ୍ସା ଯେତିକି ଦିନ ଚାଲିଥିଲା ସବୁଦିନ ହସ୍ପିଟାଲ ବାହାରେ ଜଗି ବସିଥିଲା ତାଙ୍କ କୁକୁର । ହେଲେ କୁକୁରଟି କେବେ ବି ହସ୍ପିଟାଲ ଭିତରକୁ ଯାଇନି କି କାହାକୁ ହଇରାଣ କରିନି ବୋଲି କହନ୍ତି ହସ୍ପିଟାଲର ସିକ୍ୟୁରିଟି ଗାର୍ଡ଼ ।

ତେବେ ସଂପୃକ୍ତ ବ୍ୟକ୍ତି ଏକଥା ଜାଣିବା ପରେ ନିଜେ ପୋଷା କୁକୁର ପାଖକୁ ହ୍ୱିଲ ଚେୟାରରେ ଆସିଗଲେ । ଅନେକ ଦିନର ବ୍ୟବଧାନ ପରେ ମାଲିକଙ୍କୁ ଦେଖି ପାଖକୁ ଦଉଡ଼ି ଯାଇ ଖୁସିରେ ତାଙ୍କୁ ଚାଟି ପକାଇଥିଲା । ନିକଟରେ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏବେ ପୋଷା କୁକୁରର ଅପେକ୍ଷାର ଅନ୍ତ ହୋଇଛି । କୁକୁରର ବିଶ୍ୱସ୍ତତା ଓ ମାଲିକ ପାଇଁ ନିସ୍ୱାର୍ଥପର ଭଲପାଇବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି ।

You might also like