ଖରା ହେଲେ କରୋନା ଭାଇରସ୍ ମରିଯିବ; ଏ କଥା କ’ଣ ସତ?
କରୋନା ଭାଇରସ୍ ବିଷୟରେ ପ୍ରଚାର ହେଉଥିବା ଗୁଜବର ସତ୍ୟତା କଣ ପଢ଼ନ୍ତୁ
ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି। ଏମିତିକି ଆଇସ୍କ୍ରିମ୍ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି। ୟୁନିସେଫ୍(ୟୁନାଇଟେଡ୍ ନେସନ୍ ଇଣ୍ଟର୍ନ୍ୟାସନାଲ ଚିଲ୍ଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହିସବୁ ଗୁଜବ ପ୍ରଚାର ହେଉଥିବା ବେଳେ ଏଥିରେ କାମ କରୁଥିବା ଚାର୍ଲସ୍ ଗର୍ଗନିସ୍ ଏହି ଖବରକୁ ସମ୍ପୂର୍ଣ୍ଣ ମିଛି ବୋଲି କହିଛନ୍ତି। ୟୁନିସେଫ୍ ଏପରି କିଛି କଥା କହି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ବୋଲି ବବିସି ରିପୋର୍ଟ ପ୍ରକାଶ କରିଛି।
ତେବେ ଏହିସବୁ ଗୁଜବର ସତ୍ୟାସତ୍ୟ କଣ, କେମିତି ସଂକ୍ରମିତ ହୁଏ କରୋନା, ସତରେ କଣ ଗରମରେ ବାଇରସ୍ ମରିଯାଏ ଏହିସବୁର ଉତ୍ତର ଆଜି ଆମେ ଆପଣଙ୍କୁ କହିବୁ।
କେମିତି ସଂକ୍ରମଣ ହୁଏ କରୋନା ଭାଇରସ୍:
ବବିସି ରିପୋର୍ଟ ଅନୁସାରେ, ସଂକ୍ରମିତ ବ୍ୟକ୍ତି ଯଦି ଛିଙ୍କନ୍ତି ତାଙ୍କ ନାକରୁ କିମ୍ବା ପାଟିରୁ ବାହୁଥିବା ଲିକ୍ୱିଡ୍ ଡ୍ରପ୍ଲେଟ୍(ଛିଙ୍କିବା ସମୟରେ ବାହାରୁଥିବା ବୁନ୍ଦା) ଦ୍ୱାରା କରୋନା ବ୍ୟାପିଥାଏ। ଗବେଷଣା ଅନୁସାରେ, କରୋନା ସଂକ୍ରମିତ ଛିଙ୍କିବା ଦ୍ୱାରା ଏକାଥରକେ ୩ ହଜାର ଡ୍ରପ୍ଲେଟ୍ ବାହାରକୁ ବାହାରିଥାଏ। ଏହି ଡ୍ରପଲେଟ୍ରେ କୋଟି କୋଟି କରୋନା ଭାଇରସ୍ ପ୍ରୋଟିଂ କଭରିଂରେ ଥାନ୍ତି। ସୁସ୍ଥ ବ୍ୟକ୍ତି ଏହି ଡ୍ରପଲେଟ୍ ସଂସ୍ପର୍ଶରେ ଆସିଲେ ତାଙ୍କୁ ଏହି ରୋଗ ସଂକ୍ରମିତ ହୋଇଥାଏ।
ଶରୀର ବାହାରେ କରୋନା କେତେ ସମୟ ପର୍ଯ୍ୟନ୍ତ ବଞ୍ଚି ରହିପାରେ ?
ପବନରେ କରୋନା
ଆମେରିକାର ‘ନ୍ୟସ୍ନ୍ୟାଲ୍ ଇନ୍ଷ୍ଟିଟ୍ୟୁଟ୍ ଫର୍ ହେଲ୍ଥ’ ରିସର୍ଚ ଅନୁସାରେ, କରୋନା ଭାଇରସ୍ ପବନରେ ମାତ୍ର ୩ରୁ ୪ ଘଣ୍ଟା ବଞ୍ଚିପାରେ। ସଂକ୍ରମିତ ବ୍ୟକ୍ତି ଯଦି ଖୋଲାରେ ଛିଙ୍କନ୍ତି, ତାଙ୍କ ନାକରୁ କିମ୍ବା ପାଟିରୁ ବାହାରିଥିବା ଡ୍ରପ୍ଲଟେ ପବନରେ ୩ରୁ ୪ ଘଣ୍ଟା ଉଡ଼ି ବୁଲିବା ପରେ ମରିଯାଏ।
କାଠ ନିର୍ମିତ ବସ୍ତୁ କିମ୍ବା ଷ୍ଟେନ୍ଲେସ୍ ଷ୍ଟିଲ୍ରେ କରୋନା:
କାଠ ନିର୍ମିତ ଜିନିଷରେ ଭାଇରସ୍ ୨୪ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚି ରହିପାରିବ। ସେହିଭଳି ଷ୍ଟେନ୍ଲେସ୍ ଷ୍ଟିଲ୍ରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ।
ସଂକ୍ରମିତ ବ୍ୟକ୍ତି କୌଣସି ଜିନିଷକୁ ଛୁଅନ୍ତି ଆଉ ସେହି ଜିନିଷକୁ ସୁସ୍ଥ ବ୍ୟକ୍ତି ଛୁଇଁବା ମାତ୍ରେ ତାଙ୍କ ଆଖି, ନାକ ଓ କାନ ଦେଇ ଯଦି ଭାଇରସ ଶରୀର ଭିତରକୁ ପ୍ରବେଶ କରେ ତେବେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହେବେ।
ଅତ୍ୟଧିକ ତାପମାତ୍ରାରେ ବଞ୍ଚିପାରିବ କି କରୋନା ଭାଇରସ୍ ?
୬୦ରୁ ୭୦ ଡିଗ୍ରୀ ସେଲ୍ସିଏସ୍ରେ ବି କରୋନା ଭାଇରସ୍ ମରେ ନାହିଁ। ଏତେ ତାପାମାତ୍ରା ମଣିଷ ଶରୀରରେ ନାହିଁ କି ଭାରତରେ ମଧ୍ୟ ଏତେ ଗରମ ନାହିଁ। ତେଣୁ କରୋନା ଉପରେ ଗରମ ପ୍ରଭାବ ପଡ଼ିବ ବୋଲି ଭାବିବା ବୃଥା ବୋଲି ମନେ ହୁଏ।
ତେବେ ଏ ସମ୍ପର୍କରେ ଭାଇରୋଲୋଜିସ୍ ପରେଶ ଦେଶପାଣ୍ଡେଙ୍କ କହିବାନୁସାରେ, ଯଦି ଗରମ ଦିନରେ କୌଣସି ବ୍ୟକ୍ତି ଛିଙ୍କି ଦିଅନ୍ତି ତେବେ ଅତ୍ୟଧିକ ଗରମ ପ୍ରଭାବରେ ଡ୍ରପଲେଟ୍ ଶୀଘ୍ର ଶୁଖିଯାଏ। ଫଳରେ ସଂକ୍ରମଣ କମ୍ ହେବାର ଆଶଙ୍କା ଥାଏ।। ତେଣୁ ଗରମ୍ରେ ଯେ କରୋନା ନଷ୍ଟ ହେବ ଏହାର କୌଣସି ସଠିକ୍ ପ୍ରମାଣ ନାହିଁ। ତା ନହେଲେ ଦୁବାଇ ଭଳି ଗରମ ସହରରେ ଏହି ଭାଇରସ୍ ବ୍ୟାପି ନଥାନ୍ତା। ତେଣୁ ଏହି ଗୁଜବରେ ବିସ୍ୱାସ କରନ୍ତୁ ନାହିଁ।