ଆପଣ ଜାଣିଛନ୍ତି କି ପୃଥିବୀର ଦଶ ଧନୀ ଚିତ୍ରଶିଳ୍ପୀଙ୍କ ନାଁ?

୧୦ ଧନୀ ଚିତ୍ର ଶିଳ୍ପୀ

ରମାକାନ୍ତ ସାମନ୍ତରାୟ

ବିଶ୍ୱକର୍ମା ଓ ଶୂଦ୍ର ନାରୀ ଔରସରୁ ଜନ୍ମିତ ନଅ ଜାତି ଭିତରୁ ଚିତ୍ରକର ଗୋଟେ ଜାତି । ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଚିତ୍ରଶିଳ୍ପୀଙ୍କୁ ଶୂଦ୍ର ଭାବରେ ଦେଖାଯାଏ । ବିଶ୍ୱକର୍ମାଙ୍କ ସନ୍ତାନ ଭାବରେ ସେମାନଙ୍କୁ ଗୋଟିଏ ପଟରେ ସମ୍ମାନ ଦିଆଯାଏ ଓ ଅନ୍ୟ ପଟରେ ଶୂଦ୍ର ମା’ ପାଖରୁ ଜନ୍ମ ବୋଲି ତଳିଆ କରି ଦେଖାଯାଏ । ରାଜସ୍ଥାନର ନାଥଦ୍ୱାରରେ ‘ପିଛୁଆଇ’ ଛବି ଆଙ୍କୁଥିବା ବ୍ରାହ୍ମଣ ଶିଳ୍ପୀମାନଙ୍କୁ ଛାଡିଦେଲେ ସମଗ୍ର ଭାରତ ବର୍ଷରେ ପାରମ୍ପରିକ ଶିଳ୍ପୀମାନଙ୍କୁ ଶୂଦ୍ର ବର୍ଣ୍ଣରେ ସାମିଲ କରାଯାଏ । ଶୂଦ୍ର ମାନଙ୍କ ଭିତରେ ପୁଣି ଚିତ୍ରଶିଳ୍ପୀମାନେ ଅତିଶୂଦ୍ର ଭାବରେ ଗଣା ହୁଅନ୍ତି । ଆର୍ଥିକ ଦିଗରୁ ଏହି ପାରମ୍ପରିକ ଚିତ୍ରକର ବା କାରିଗରମାନେ ସବୁବେଳେ ଗରିବ ।

ଏବେ ବି ଆମ ସାମାଜିକ ବିଧି ବ୍ୟବସ୍ଥାରେ ଚିତ୍ରକରକୁ ଗରିବ ମଣିଷ ଭାବରେ ଦେଖାଯାଏ । ଆମ ସାଧାରଣ ଲୋକ ବିଶ୍ୱାସକୁ ଗଢୁଥିବା ଆମ ମୁଖ୍ୟଧାରା ଓ ଗୌଣ ଧାରାର ସବୁ ସାହିତ୍ୟ ଓ ସିନେମାରେ ଆମେ ବର୍ଷ ବର୍ଷ ଧରି ଚିତ୍ରକର ମାନଙ୍କୁ ଗରିବ ଓ ଦୁଃଖୀ ଭାବରେ ଉପସ୍ଥାପିତ କରି ଆସିଛେ । ସେଥିପାଇଁ କୌଣସି ସ୍ୱଚ୍ଛଳ ପରିବାରର ବାପା ମା’ ସେମାନଙ୍କ ଭଲପାଠ ପଢୁଥିବା ପିଲାକୁ ଆର୍ଟ କଲେଜରେ ପାଠ ପଢାଇବାକୁ ରାଜି ହୁଅନ୍ତି ନାହିଁ । ସେମାନଙ୍କର ଡର ଯେ ପିଲାଟି ତାଙ୍କର ପରେ ନିଜ ପେଟ ପୋଷି ପାରିବନି । ଅଭିଭାବକଙ୍କ ଆଶଙ୍କାକୁ ସତ କରି ଓଡ଼ିଶା ସରକାର ତାଙ୍କ ବିଦ୍ୟାଳୟରେ କଳା ଶିକ୍ଷକ ପଦବୀ ସୃଷ୍ଟି କରିଛନ୍ତି । ମାସକୁ ଦରମା ଚାରିହଜାର । ସେଥିରେ ପୁଣି ଛୁଟି ଦିନ ମାନଙ୍କରେ ଦରମା ନାହିଁ ।

ଆଜିର ଓଡ଼ିଶା ଓ ଭାରତର ଅନେକ ଚିତ୍ରଶିଳ୍ପୀ ଅବଶ୍ୟ ଢେର୍ ରୋଜଗାର ପତ୍ର କଲେଣି । ବଡ଼ ବଡ଼ ଗାଡ଼ି ଘୋଡ଼ା, ଘର ବାଡ଼ି କଲେଣି । ତେବେ ସେମାନଙ୍କ ସଂଖ୍ୟା ହାତ ଗଣତି । ଧନୀ ଶିଳ୍ପୀ ଆମର ସଂଖ୍ୟା ଲଘୁରେ ଯିବେ । ଏବେବି ଆମର ଅଧିକ ସଂଖ୍ୟକ ଚିତ୍ରଶିଳ୍ପୀ ସଂଘର୍ଷ କରନ୍ତି ଓ ସେମାନଙ୍କ ରୋଜଗାର ସାଧାରଣ ଦୈନିକ ମଜୁରିଆଙ୍କ ମାସିକ ରୋଜଗାର ଠାରୁ ମଧ୍ୟ କମ୍ । କିନ୍ତୁ ବିଶ୍ୱ ପ୍ରସିଦ୍ଧ ମୁଖ୍ୟସ୍ରୋତର ପ୍ରଖ୍ୟାତ କଳାକାର ମାନଙ୍କର ବାର୍ଷିକ ରୋଜଗାର ଓ ଅକ୍ସନ ହାଉସ୍ ରେ ଭିନ୍ନ ଭିନ୍ନ ସମୟରେ ନିଲାମ ହେଉଥିବା ସେମାନଙ୍କ କଳାକୃତି ମାନଙ୍କ ଦର କଷା-କଷିର ଅଙ୍କ ଦେଖିଲେ କାହାର ବି ଆଖି ଖୋଷି ହୋଇଯିବ । ପାଠକଙ୍କ ଅବଗତି ନିମନ୍ତେ ପୃଥିବୀର ଦଶ ଜଣ ଧନୀ ଚିତ୍ରଶିଳ୍ପୀଙ୍କ ପରିଚୟ ଓ ସମ୍ପତ୍ତି ତାଲିକା ନିମ୍ନରେ ଦେଉଛି । ତାଲିକା ଦେଖିଲା ପରେ ଚିତ୍ରକରମାନେ ଯେ ସବୁବେଳେ ଦୁଃଖୀ ଓ ଗରିବ, ସେ ଧାରଣାଟି ସବୁବେଳେ ଠିକ୍ ନୁହେଁ ବୋଲି ବୁଝିପାରିବା ।

୧- ଦାମିଏନ୍ ହର୍ଷ୍ଟ (୧୯୬୫)- ବ୍ରିଟିଶ୍ ଚିତ୍ରଶିଳ୍ପୀ ଓ ସ୍ଥପତି ଦାମିଏନ୍ ତାଙ୍କର ମୃତ ଜୀବ ଜନ୍ତୁଙ୍କୁ ଥର୍ମାଲ୍ ଡିହାଡ୍ରି ଭିତରେ ସଂରକ୍ଷିତ କରି ରଖିବାର କଳାକୃତି ପାଇଁ ବେଶ୍ ପ୍ରସିଦ୍ଧ । ସ୍ପିନ୍ ପେଣ୍ଟିଂ ଓ ସ୍ପଟ୍ ପେଣ୍ଟିଂ ଆଦି ପାଇଁ ମଧ୍ୟ ସେ ଜଣାଶୁଣା । ଦାମିଏନଙ୍କ ସମ୍ପତ୍ତି ମୂଲ୍ୟ ଆନୁମାନିକ ଏକ ବିଲିୟନ ଆମେରିକୀୟ ଡଲାର । ଯାହାକି ତାଙ୍କୁ ପୃଥିବୀର ସବୁଠାରୁ ଧନୀ ଚିତ୍ରଶିଳ୍ପୀର ଆସନ ଦେଇଛି ।

୨-  ଜେଫ୍ କୁନ୍ସ (୧୯୫୫)-  ଆମେରିକୀୟ ଚିତ୍ରଶିଳ୍ପୀ ଜେଫ୍ କୁନ୍ସଙ୍କର ସମ୍ପତ୍ତି ମୂଲ୍ୟ ପାଂଚ ଶହ ମିଲିୟନ ଆମେରିକୀୟ ଡଲାର ଉପରେ । ମୁଖ୍ୟତଃ ଷ୍ଟେନଲେସ୍ ଷ୍ଟିଲରେ ବଡ଼ ବଡ଼ ବେଲୁନ୍ ରେ ତିଆରି ହେଲାପରି ପଶୁମାନଙ୍କ ଭାସ୍କର୍ଯ୍ୟ ସେ ତିଆରି କରିଥାଆନ୍ତି; ଯାହାର ପୃଷ୍ଠତଳ ଗୁଡ଼ିକ ଆଇନା ପରି ଏକଦମ୍ ଚକ୍ ଚକ୍ କରୁଥାଏ ।

୩- ଜାସଫର୍ ଜୋନ୍ସ୍ (୧୯୩୦)- ଆମେରିକୀୟ ସମସାମୟିକ ବର୍ଷିୟାନ୍ ଚିତ୍ରଶିଳ୍ପୀ ଜାସଫର୍ ଜୋନ୍ସ୍ ଙ୍କ ସମ୍ପତ୍ତି ମୂଲ୍ୟ ତିନି ଶହ ମିଲିୟନ୍ ଡଲାର୍ ପାଖାପାଖି । ଜଣେ ଚିତ୍ରଶିଳ୍ପୀ, ପ୍ରିଣ୍ଟମେକର୍ ଓ ଭାସ୍କର ଭାବରେ ପରିଚିତ ଜାସଫର୍ ଆମେରିକୀୟ ଜାତୀୟ ପତାକାକୁ ତାଙ୍କ ଛବିରେ ବାରବାର ଆଙ୍କି ଥାଆନ୍ତି ।

୪- ଡେଭିଡ୍ ଚୋ (୧୯୭୬) – କୋରିଆନ୍ ବଂଶୋଦ୍ଭବ ଆମେରିକୀୟ ଷ୍ଟ୍ରିଟ୍ ପେଣ୍ଟର୍ ଡେଭିଡ୍ ଙ୍କର ସମ୍ପତ୍ତିର ମୂଲ୍ୟ ଦୁଇ ଶହ ମିଲିୟନ୍ ଆମେରିକୀୟ ଡଲାର୍ । ଫେସବୁକର ମୁଖ୍ୟ କାର୍ଯ୍ୟାଳୟରେ ‘ଡାର୍ଟି ଷ୍ଟାଇଲ୍’ ମୁରାଲ୍ ପାଇଁ ପ୍ରସିଦ୍ଧ ଡେଭିଡ୍ ଜଣେ ଚିତ୍ରଶିଳ୍ପୀ, ମୁରାଲ୍ ଶିଳ୍ପୀ ଓ ଜଣେ ଗ୍ରାଫିକ୍ ନୋଭେଲିଷ୍ଟ୍ ଭାବରେ ମଧ୍ୟ ଖୁବ୍ ପରିଚିତ ।

୫- ଆଣ୍ଡ୍ର୍ୟ ବିକାରୀ(୧୯୩୨-୨୦୧୬)- ମୁଖ୍ୟତଃ ଧନୀ ଓ ସମ୍ଭ୍ରାନ୍ତ ଲୋକମାନଙ୍କ ଆଲେଖ୍ୟ ଅଙ୍କନ କରୁଥିବା ଆନେ୍ଦ୍ରଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୪୨ ମିଲିୟନ୍ ଆମେରିକୀୟ ଡଲାର୍ । ୨୦୦୪ରେ ସେ ବ୍ରିଟିଶ୍ ଶିଳ୍ପୀମାନଙ୍କ ମଧ୍ୟରୁ ସବୁଠାରୁ ଧନୀ ଶିଳ୍ପୀ ଥିଲେ ଓ ସମଗ୍ର ଦେଶରେ ୧୮ତମ ଧନୀ ବ୍ୟକ୍ତି ଥିଲେ ।

୬- ତାକାସି ମୁରାକାମୀ (୧୯୬୨)- ଜାପାନୀ ଚିତ୍ରଶିଳ୍ପୀ ତାକାସି ମୁରାକାମୀଙ୍କର ସମ୍ପତ୍ତି ମୂଲ୍ୟ ଏକ ଶହ ମିଲିୟନ୍ ଆମେରିକୀୟ ଡଲାର୍ । ମୁଖ୍ୟତଃ ଛବି ଓ ଭାସ୍କର୍ଯ୍ୟ କରୁଥିବା ମୁରାକାମୀ ନିଜର ସୁପରଫ୍ଲାଟ୍ ଛବିମାନଙ୍କ ପାଇଁ ପ୍ରସିଦ୍ଧ । ୨୦୦୮ ଟାଇମ୍ ପତ୍ରିକାରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କର ନାଁ ଥିଲା ।

୭- ଅନୀଷ୍ କପୁର୍ (୧୯୫୪)- ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ଶିଳ୍ପୀ ଅନୀଷ୍ କପୁର୍ ଙ୍କର ସମ୍ପତ୍ତି ମୂଲ୍ୟ ୮୫ ମିଲିୟନ୍ ଆମେରିକୀୟ ଡଲାର୍ । କ୍ଲାଉଡ୍ ଗେଟ୍ ଭାସ୍କର୍ଯ୍ୟ ପାଇଁ ବିଖ୍ୟାତ ଅନୀଷ୍ ଜଣେ ଇନଷ୍ଟଲେସନ୍ ଓ କନସେପ୍ଚୁଆଲ ଆର୍ଟିଷ୍ଟ ଭାବରେ ମଧ୍ୟ ବେଶ୍ ନାମକରା ।

୮-  ଆଣ୍ଟୋନୀ ଗୋର୍ମଲେ (୧୯୫୦)- ବ୍ରିଟିଶ୍ ଭାସ୍କର ଗୋର୍ମଲେ ଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୫୦ ମିଲିୟନ୍ ଆମେରିକୀୟ ଡଲାର୍ । ୨୦୦୦୮ ରେ ‘ଦ ଟେଲିଗ୍ରାଫ୍’ ବ୍ରିଟିଶ୍ ସଂସ୍କୃତିର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କୁ ଚାରି ନମ୍ବରରେ ରଖିଥିଲା ।

୯- ଗେରହାର୍ଡ ରିକ୍ଟର୍ (୧୯୩୨)- ଜର୍ମାନ୍ ର ବିଖ୍ୟାତ ଚିତ୍ରଶିଳ୍ପୀ ରିକ୍ଟର୍ଙ୍କର ସମ୍ପତ୍ତି ମୂଲ୍ୟ ଆନୁମାନିକ ୪୦ ମିଲିୟନ୍ ଆମେରିକୀୟ ଡଲାର୍ । ଉଭୟ ଆବଷ୍ଟ୍ରାକ୍ଟ ଓ ଫଟୋ ରିଏଲିଷ୍ଟିକ୍ ଛବି କରୁଥିବା ରିକ୍ଟର ଙ୍କର ବିଶ୍ୱବ୍ୟାପୀ ଅନେକ ଅନୁଗାମୀ ରହିଛନ୍ତି ।

୧୦- ଡେଭିଡ୍ ହକ୍ନି(୧୯୩୭)- ବ୍ରିଟିଶ୍ ଚିତ୍ରଶିଳ୍ପୀ ଡେଭିଡ୍ ହକ୍ନିଙ୍କର ସମ୍ପତ୍ତି ମୂଲ୍ୟ ପ୍ରାୟ ୪୦ ମିଲିୟନ୍ ଆମେରିକୀୟ ଡଲାର୍ । ବିଂଶ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଭାବଶାଳୀ ବ୍ରିଟିଶ୍ ଚିତ୍ରଶିଳ୍ପୀ ଭାବରେ ପରିଚିତ ହକ୍ନି ଜଣେ ଡିଜାଇନର୍, ଫଟୋଗ୍ରାଫର୍, ପ୍ରିଣ୍ଟମେକର୍ ଓ ଡ୍ରାଫ୍ଟସ୍ ମ୍ୟାନ୍ ଭାବରେ ମଧ୍ୟ ପରିଚିତ ।

You might also like