କାହିଁକି ଶରୀରରୁ ମାଛ ପରି ଗନ୍ଧ ବାହାରିଥାଏ ? ଫିଶ୍ ଓଡର ସିଣ୍ଡ୍ରୋମ ରୋଗ ବିଷୟରେ ଜାଣିଛନ୍ତି କି ?
ଭୁବନେଶ୍ୱର: ଅନେକ ଲୋକ ଏମିତି ଅଛନ୍ତି ଯାହାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ଯେତେ ପରିଷ୍କାର ରହିଲେ ମଧ୍ୟ ତାହା ଦୂର ହୁଏ ନାହିଁ। ଏପରିକି କେତେକ ବ୍ୟକ୍ତିଙ୍କ ଶରୀରରୁ ମତ୍ସ୍ୟ ଗନ୍ଧ ବାହାରିଥାଏ। ତେବେ ଏହା ପରିଚ୍ଛନ୍ନତାର ଅଭାବରୁ ଯେ ହୁଏ ଏକଥା ଭାବିବା ଭୁଲ୍। ଏହା ଏକ ପ୍ରକାର ବଂଶଗତ ରୋଗ। ଏହାକୁ ଫିସ୍ ଅଡର ସିଣ୍ଡ୍ରୋମ (Fish Odour Syndrome) ବା Trimethylaminuria କୁହାଯାଏ।
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ଝାଳ, ନିଃଶ୍ୱାସ, ପରିସ୍ରା ଆଦିରୁ ଦୁର୍ଗନ୍ଧ ବାହାରିଥାଏ। ଜନ୍ମର କିଛି ଦିନ ପରେ ଏହି ରୋଗର ପ୍ରଭାବ ଦେଖିବାକୁ ମଳିଥାଏ। ଏହି ରୋଗ ପାଇଁ ଆକ୍ରାନ୍ତ ବ୍ୟକ୍ତି ମାନସିକ ଚାପ ବଢିଯାଏ। ତେବେ ଏହି ରୋଗ ବିଶେଷ କରି ମହିଳାଙ୍କ ପାଖରେ ବେଶି ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଜାଣିବା
ଲକ୍ଷଣ-
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କର ସବୁଠାରୁ ବଡ ଲକ୍ଷଣ ହେଲା ସେମାନଙ୍କ ଦେହରୁ ପଚା ମାଛ ପରି ଗନ୍ଧ ବାହାରିଥାଏ। ଏହି ଗନ୍ଧ ନିୟମିତ ଆସିଥାଏ କିମ୍ବା ସମୟ ବ୍ୟବଧାନରେ ଆସିଥାଏ। ଏହି ରୋଗରେ ଆକ୍ରାନ୍ତ ପୁରୁଷ ବା ମହିଳାଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ। ଏହି ଦୁର୍ଗନ୍ଧ ନିଃଶ୍ୱାସ, ଝାଳ, ପରିସ୍ରାକୁ ପ୍ରଭାବିତ କରିଥାଏ।
ଅଣ୍ଡା, ମାଛ, ଡାଏରୀ ଉତ୍ପାଦ ଜିନିଷ ଆବଶ୍ୟକତାରୁ ଅଧିକ ମାତ୍ରାରେ ଖାଇବା ମଧ୍ୟ ଏହି ରୋଗର ଏକ ଲକ୍ଷଣ। ତେବେ ୟୁରିନ ଏବଂ ଜେନେଟିକ ଟେଷ୍ଟ ଦ୍ୱାରା ଏହି ରୋଗ ସମ୍ପର୍କରେ ଜଣାପଡ଼ିଥାଏ।
ଏହି ସିଣ୍ଡ୍ରୋମ ଏକ ମୋଟାବୋଲିକ ଡିଜଅର୍ଡର। ଯାହା FMO3 ଜିନ୍ରେ ପରିବର୍ତ୍ତନ କାରଣରୁ ହୋଇଥାଏ। ଯାହା ବି ହେଉ, ଏହି ଗନ୍ଧ କାହା ଶରୀରରୁ ଅଧିକ ଆସିଥାଏ, କାହା ଶରୀରରୁ କମ୍ ଆସିଥାଏ। ମହିଳାମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ତଥା ମେନୋପଜ ସମୟରେ ଅଧିକ ଗନ୍ଧ ବାହାରିଥାଏ। ସେହିପରି ଗର୍ଭ ନିରୋଧକ ବଟିକା ନେଉଥିବା ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ।
ନରାକରଣ-
ତେବେ ଏହି ରୋଗରୁ ମୁକ୍ତି ପାଇପାରିବା କି ? ସମ୍ପୂର୍ଣ୍ଣ ମୁକ୍ତି ନ ମିଳିଲେ ବି ଏହି ସବୁ କାମ କଲେ ଏପରି ସମସ୍ୟାରୁ କିଛିଟା ମୁକ୍ତି ମିଳି ପାରିବ।
୧-ଡାଲି, ବିନ୍ସ, ଲାଲ ମାଂସ, ଅଣ୍ଡା ଏବଂ ମାଛ ଖାଇବା କମାଇ ଦିଅନ୍ତୁ। କାରଣ ଏଥିରେ Trimethylamine, ନାଇଟ୍ରୋଜେନ, କୋଲିନ, ଲିସେଥିନ, ସଲ୍ଫର ରହିଥାଏ ଯାହା ଦୁର୍ଗନ୍ଧ ବଢାଇବାରେ ସାହାଯ୍ୟ କରେ।
୨-ଅଧିକ ସମୟ ଗୋଟିଏ ପୋଷାକ ପିନ୍ଧି ରୁହନ୍ତୁ ନାହିଁ
୩-ଅଧିକ ବ୍ୟାୟାମ କରନ୍ତୁ ନାହିଁ । ଏହା ଦ୍ୱାରା ଅଧିକ ଝାଳ ବାହାରିବ ଏବଂ ଝାଳ ବାହାରିଲେ ଦୁର୍ଗନ୍ଧ ସୃଷ୍ଟି ହେବ
୪-ଚିନ୍ତାଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ
୫-ସାବୁନ କିମ୍ବା ବଡି ୱାଶ ବ୍ୟବହାର କରନ୍ତୁ
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିରାକରଣ କରିପାରିବେ।