ଅସହାୟ ମା’ ଉପରେ ଖାକି ବର୍ଦ୍ଦିର ଜୁଲମ୍ : ନିଖୋଜ ନାବାଳିକା ଝିଅକୁ ଖୋଜିବାକୁ ଲାଞ୍ଚ ମାଗିଲେ ପୋଲିସ ବାବୁ

ଡିଜେଲ ପକାଇଲେ, ଝିଅକୁ ଖୋଜି ଦେବୁ!

ରକ୍ଷକ ଯେବେ ଭକ୍ଷକ ସାଜେ ଅଭିଯୋଗ କରିବ କାହାକୁ?

କାନପୁର: ମଳିମୁଣ୍ଡିଆ ଝିଅବୋହୂଙ୍କ ଇଜ୍ଜତ୍ କ’ଣ ଇଜ୍ଜତ୍ ନୁହେଁ? ଅପହୃତ ନାବାଳିକା ଝିଅକୁ ଖୋଜିବାକୁ କହିଲେ ଲାଞ୍ଚ ମାଗୁଛନ୍ତି ପୋଲିସ ବାବୁ। ତାଳି ପଡ଼ିଥିବା ଛିଣ୍ଡା ଲୁଗାର ଚିରା ପଣତରେ ଝିଅ ପାଇଁ ଭିକ ମାଗୁଛି ଦିବ୍ୟାଙ୍ଗ ମା’। କାନ୍ଦି କାନ୍ଦି ବିକଳ ହୋଇ କହୁଛି,  ବଢ଼ିଲା ଝିଅ ମୋର କିପରି ଥିବ ? ହେଲେ ଗରିବ ମା’ର ଲୁହ ଦେଖି ବି ତରଳୁନି ଖାକି ବର୍ଦ୍ଦି ତଳେ ଥିବା ହୃଦୟହୀନ ପୋଲିସର ହୃଦୟ। ଝିଅକୁ ଫେରିପାଇବା ଆଶାରେ ଥାନାକୁ ଦୌଡ଼ି ଦୌଡ଼ି କଟି ଯାଇଥିବା ଗୋଡ଼ ଲହୁଲୁହାଣ ହୋଇଗଲାଣି ସିନା ଦୁଃଖ ବୁଝୁନାହାନ୍ତି ବାବୁ ।

ଗରିବ ଅସହାୟଙ୍କ ଉପରେ ଖାକି ବର୍ଦ୍ଦିର ଜୁଲମ । ଗାଡ଼ିରେ ତେଲ ପକାଇଲେ ଝିଅକୁ ଖୋଜି ଆଣିଦେବାର ପ୍ରତିଶ୍ରୁତି। ଉତ୍ତରପ୍ରଦେଶ କାନପୁରରେ ଜଣେ ଦିବ୍ୟାଙ୍ଗ ମହିଳା, ପୋଲିସ କର୍ମଚାରୀ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତୁମ ଝିଅକୁ ଖୋଜିଦେବୁ ଖୋଜିଦେବୁ କହି ଖାଲି ଥାନାକୁ ଦୌଡ଼ାଉଛନ୍ତି। ପୋଲସ ବାବୁଙ୍କ କଥାକୁ ସତ ମଣି ଭରସା କରିଥିଲା ଅସହାୟ ମା।  ଝିଅ ମିଳିଯିବା ଆଶାରେ ପୋଲିସ୍ ବାବୁଙ୍କୁ ୩ରୁ ୪ଥରରେ ୧୦ରୁ ୧୫ହଜାର ଟଙ୍କା ଡିଜେଲ ଭରିବାକୁ ଦେଇଛନ୍ତି ଦିବ୍ୟାଙ୍ଗ ମହିଳା ଜଣକ। ଝିଅକୁ ଫେରି ପାଇବା ଆଶାରେ ଥାନା ବାବୁଙ୍କ ପଦିଏ କଥାରେ ଆଶା ବାଡ଼ି ଧରି କେତେ ଆଶା ନେଇ ଥାନାକୁ ଦୌଡୁଛି ଅସହାୟ ଦିବ୍ୟାଙ୍ଗ ମା’।  ହେଲେ ଏସବୁ ସତ୍ତ୍ୱେ ଠକି ଦେଇଛନ୍ତି ପୋଲିସ ବାବୁ।

ଡିଜେଲ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଜଣେ ସମ୍ପର୍କୀୟଙ୍କ ଠାରୁ ଧାର କରି ଟଙ୍କା ଯୋଗାଡ କରିଥିଲେ। ଶେଷରେ ଆଉ ଟଙ୍କା ଯୋଗାଡ଼ କରିବାକୁ ସକ୍ଷମ ହୋଇନପାରିବାରୁ ପୋଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ  କହିଛନ୍ତି। ଝିଅକୁ ଖୋଜିବା ବାହାନାରେ ଅନେକଥର ଅପମାନିତ ହୋଇଛନ୍ତି ମହିଳା ଜଣକ। ଏପରିକି ଥାନାରେ ସର୍ବସମ୍ମୁଖରେ ଝିଅର ଚରିତ୍ର ସଂହାର କରି ପୋଲିସ ଖରାପ କଥା କହିଥିବା ସେ ପ୍ରକାଶ କରିଛନ୍ତି। ଝିଅର କିଛି ଭୁଲ ଥିବ କହି ମଧ୍ୟ ହସରେ ଉଡ଼ାଇ ଦିଅନ୍ତି।

ଗତ ମାସରେ ସେ ନିଜ ଝିଅ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜ୍ଜୁ କରାଇଥିଲେ। କିନ୍ତୁ ପୋଲିସ ତାଙ୍କୁ ସାହାଯ୍ୟ କଲେନି ବରଂ ଲାଞ୍ଚ ପରେ ଲାଞ୍ଚ ମାଗିଲେ। ମହିଳାଙ୍କ ଭିଡିଓ ଭାଇରାଲ ହେବାପରେ କାନପୁର ପୋଲିସ ସଂପୃକ୍ତ  ଥାନା ଇନଚାର୍ଜଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ  ମହିଳାଙ୍କ ଅପହୃତ ଝିଅକୁ ଖୋଜିବାକୁ ୪ଟି ଟିମ ଗଠନ କରିଛି।

You might also like