ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ?

ବାଙ୍କୀ: ଡମପଡ଼ା-ଚନ୍ଦକା ଅଭୟାରଣ୍ୟର ଉତ୍ତର ପାର୍ଶ୍ୱରେ ରହିଛି ଅନେକ ଗୁମ୍ଫା। ତେବେ ବାଙ୍କୀ ଡମପଡ଼ା ବ୍ଲକ୍ ପାଥପୁର ନିକଟରେ ରହିଛି ଏକ ବହୁପୁରାତନ ଗୁମ୍ଫା। ଯାହାର ନାଁ ପାଣ୍ଡବ ବଖରା। ଅନୁମାନ କରାଯାଏ ଏହା ୮ ହଜାର ଖ୍ରୀଷ୍ଟପୂର୍ବର ଗୁମ୍ଫା। କିନ୍ତୁ ଲୋକକଥା ଅନୁସାରେ  ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଓ ଦ୍ରୌପଦୀ ଏହି ସ୍ଥାନରେ ଅଜ୍ଞାତବାସରେ ରହୁଥିଲେ ସେହି ଅନୁଯାୟୀ ଏହି ବଖରା ଗୁଡ଼ିକର ନାମକରଣ କରାଯାଇଛି।

ଦ୍ୱାପର ଯୁଗର କଥା କୌରବଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ବନବାସ କାଟୁଥାନ୍ତି ପଞ୍ଚୁପାଣ୍ଡବ ଓ ଦ୍ରୌପଦୀ। ବୁଲୁଥାନ୍ତି ଭାରତ ବର୍ଷର ବିଭିନ୍ନ ବଣଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ। ବିଭିନ୍ନ ସ୍ଥାନରେ ଆଶ୍ରୟ ନେଉଥାନ୍ତି।

ତେବେ ଏହି ବନବାସ ବେଳେ ଓଡ଼ିଶା ଆସିଥିଲେ କି ପଞ୍ଚୁପାଣ୍ଡବ? ସେମାନଙ୍କୁ ଆକର୍ଷିତ କରିଥିଲା କି ମହାନଦୀ ଅବବାହିକା? ଆଶ୍ରୟସ୍ଥଳୀ ପାଲଟିଥିଲା କି ଚନ୍ଦକା ଜଙ୍ଗଲକୁ ଲାଗିଥିବା ଏକ ରହସ୍ୟମୟ ଗୁମ୍ଫା?

କିମ୍ବଦନ୍ତୀ କହେ, କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ୍‌ର କୁଷପଙ୍ଗୀ ଓ ପାଥପୁର ଗାଁ ମଧ୍ୟଭାଗରେ ରହିଛି ସେଇଭଳି ଏକ ବହୁପୁରାତନ ଗୁମ୍ଫା। ପାହାଡ଼ ଉପରେ ପ୍ରାଚୀନ ଇତିହାସର ଏକ ଦୁର୍ମୂଲ୍ୟ ମୂକସାକ୍ଷୀ ଏହି ପାଣ୍ଡବ ବଖରା। ଲୋକକଥା ଅନୁସାରେ, ପଞ୍ଚୁପାଣ୍ଡବ ଏଠି ୫ଟି ବଖରା ବା ପଥର ଖୋଲରେ କିଛି ଦିନ ପାଇଁ ଆଶ୍ରୟ ନେଇଥିଲେ। ଏଠାରେ ଯଜ୍ଞକୁଣ୍ଡ ଦେଖିବାକୁ ମିଳୁଥିବା ବେଳେ, ଏକ ସୁଡ଼ଙ୍ଗରେ ଜଳାଶୟ ମଧ୍ୟ ରହିଛି। କୁହାଯାଏ, ଅର୍ଜୁନଙ୍କ ଅନ୍ୟନାମ ପାର୍ଥ ଅନୁସାରେ ଏଠାରେ ଥିବା ପାଥପୁର ଗାଁ ନାମିତ ହୋଇଥିଲା।

ପୁରାଣ ଯାହା କହୁ, ମାନବଜାତିର ଇତିହାସ ଉଜାଗର କରିବାକୁ ଏଠି ଆଜିବି କଥା କହୁଛି ବହୁ ପ୍ରାଚୀନ ଶିଳାଲେଖ ଓ ଚିତ୍ରକଳା। ପଥର ଦେହରେ ଅଙ୍କା ହୋଇଛି ଆଶ୍ଚର୍ଯ୍ୟ ଚକିତ କଲା ଭଳି ବିଭିନ୍ନ ରଙ୍ଗର ଚିତ୍ର।

ଅନୁମାନ କରାଯାଉଛି ଏସବୁ ପ୍ରସ୍ତର ଓ ତାମ୍ର ଯୁଗୀୟ ଚିତ୍ର। କାନ୍ଥ, ଛାତ ସବୁଠି ଛାଇ ଯାଇଛି ଏହି କଳାକୃତି। କେଉଁଟି ମଣିଷ, କେଉଁଟି ପଶୁପକ୍ଷୀ ତ ଆଉ କେଉଁଟି ଫୁଲର ଚିତ୍ର ଭଳି ଦେଖାଯାଉଛି। କିଛି ଲିପି ଓଡ଼ିଆ ଭଳି ଦେଖାଯାଉଥିବା ବେଳେ, ଆଉ କିଛି ସାଧାରଣ ଲୋକଙ୍କ ପାଇଁ ଦୁର୍ବୋଧ୍ୟ ପ୍ରାଚୀନ ଲିପି। ତେଣୁ ଏଠାରେ ପଞ୍ଚୁ ପାଣ୍ଡବ ଥାଆନ୍ତୁ କି ନଥାଆନ୍ତୁ, ଏହା ଯେ ଆଦିମ ଯୁଗରେ ମଣିଷର ବସତି ପାଲଟିଥିଲା ତାହା ସ୍ପଷ୍ଟ ଜଣାପଡ଼ୁଛି।

You might also like