ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକର: ଆଜି ପୁଣ୍ୟତିଥି

ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ, ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ, ସେତେବେଳେ ସାବରକର କହିଥିଲେ- “୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି।” ସେଇ ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ପୁଣ୍ୟତିଥି।
ଆଲେଖ୍ୟ-ଦେବଦତ୍ତ ରଥ

କଳାପାଣି ସଜ୍ଜା ଏବଂ ଅମାନବୀୟ ନିର୍ଯାତନା

ମହାରାଷ୍ଟ୍ରର ନାସିକ ଜିଲ୍ଲା କଲେକ୍ଟର ଜୈକସନ ହତ୍ୟା ଘଟଣାରେ ଷଡ଼ଯନ୍ତ୍ର ଅଭିଯୋଗରେ ସାବରକରଙ୍କୁ ୮ ଏପ୍ରିଲ ୧୯୧୧ରେ “କଳାପାଣି”ସଜ୍ଜା ଶୁଣାଗଲା ଏବଂ ପୋର୍ଟବ୍ଲେୟାର ସେଲୁଲର ଜେଲକୁ ପଠାଇ ଦିଆଗଲା। ସେଠାରେ ତାଙ୍କୁ ସେଲୁଲର ଜେଲର ତୃତୀୟ ମହଲାର ଏକ ଛୋଟିଆ କୋଠରୀ ମଧ୍ୟରେ ରଖାଗଲା। ହାତରେ ହାତକଡ଼ି ଏବଂ ଗୋଡ଼ରେ ବେଡ଼ି ବାନ୍ଧି ଦିଆଗଲା।

କୁହାଯାଏ, ବୀର ସାବରକରଙ୍କ ସହିତ ସେଠାରେ ତାଙ୍କ ଭାଇ ଗଣେଶ ସାବରକର ମଧ୍ୟ ବନ୍ଦୀ ଥିଲେ। କିନ୍ତୁ ସାବରକରଙ୍କୁ ଏହା ଜଣା ନଥିଲା। ୧୦ ବର୍ଷ ପର୍ଯ୍ୟନ୍ତ ସାବରକର ଏହି କାଳ କୋଠରୀରେ ଏକାକୀ ସଜ୍ଜା କାଟିଥିଲେ। ସେଠାରେ ସେ ଏପ୍ରିଲ ୧୯୧୧ରୁ ମେ ୧୯୨୧ ପର୍ଯ୍ୟନ୍ତ ରହିଥିଲେ।

ସେଲୁଲର ଜେଲରେ ସେହି କ୍ରାନ୍ତିକାରୀ ମାନଙ୍କୁ ରଖା ଯାଉଥିଲା, ଯେଉଁ ମାନଙ୍କ କାରଣରୁ ବ୍ରିଟିଶ ଶାସନ ଆତଙ୍କରେ ରହୁଥିଲା। ସାବରକରଙ୍କୁ ସେଠାରେ ତେଲ ପେଡ଼ିବା କାମରେ ଲଗା ଯାଉଥିଲା। ଜଙ୍ଗଲ ସଫା ଏବଂ ପାହାଡ଼ିଆ ଭୂମିକୁ ସମତୁଲ କରିବା କାମ କରିବାକୁ ପଡ଼ୁଥିଲା। କାମ ମଝିରେ ଟିକେ ରହିଗଲେ ବେତରେ ପିଟା ଯାଉଥିଲା, ଅକଥନୀୟ ନିର୍ଯାତନା ଦିଆଯାଉଥିଲା।

ଜୀବନୀ

ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ସାବରକରଙ୍କ ଯୋଗଦାନ ଅତୁଳନୀୟ। ବିନାୟକ ଦାମୋଦର ସାବରକର ଜଣେ ଏପରି କ୍ରାନ୍ତିକାରୀ ଥିଲେ, ଯିଏ ନିଜର ଚିନ୍ତନ, ଲେଖା ଏବଂ ଓଜସ୍ୱୀ ବକ୍ତବ୍ୟ କାରଣରୁ ବ୍ରିଟିଶ ଶାସନକୁ ଦୋହଲେଇ ଦେଇଥିଲେ। ସେ ନିଜେ ଯେ କେବଳ କ୍ରାନ୍ତିକାରୀ ଗତିବିଧିରେ ସାମିଲ ନଥିଲେ, ଏହା ସହ ସେ ଅନେକଙ୍କ ପାଇଁ ପ୍ରେରଣାଦାୟୀ ମଧ୍ୟ ଥିଲେ। ତାଙ୍କୁ ଭାରତ ଇତିହାସରେ ହିନ୍ଦୁତ୍ୱ ତଥା ପ୍ରଖର ରାଷ୍ଟ୍ରବାଦର ଚେହେରା ଭାବରେ ଗଣାଯାଏ।

ସାବରକର ୧୮୮୩ ମସିହା ମେ’ ମାସ ୨୮ ତାରିଖରେ ମହାରାଷ୍ଟ୍ରର ନାସିକ ଭାଗୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆରମ୍ଭରୁ ହିଁ ସେ ପ୍ରଖର ରାଷ୍ଟ୍ରଭକ୍ତ ଥିଲେ। ‘ଅଖିଳ ଭାରତ ହିନ୍ଦୁ ମହାସଭା’ର ସେ ପ୍ରମୁଖ ଦାୟିତ୍ୱରେ ଥିଲେ। ୧୯୦୪ରେ ସାବରକର “ଅଭିନବ ଭାରତ” ନାମକ ଏକ କ୍ରାନ୍ତୀକାରୀ ସଙ୍ଗଠନ ମଧ୍ୟ ଗଠନ କରିଥିଲେ।

ବୀର ସାବରକର ହେଉଛନ୍ତି ଭାରତୀୟ ସ୍ୱାଧିନତା ଆନ୍ଦୋଳନର ପ୍ରଥମ ରାଜନୈତିକ ନେତା ଯିଏ ସର୍ବପ୍ରଥମେ ବିଦେଶୀ ବସ୍ତ୍ରକୁ ଜଳାଇଥିଲେ। ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସଂପୂର୍ଣ ଦେଶରେ ଯେଉଁ ଆନ୍ଦୋଳନ ବ୍ୟାପି ଥିଲା ସେତେବେଳେ ପୁଣେଠାରେ ସାବରକର ସାର୍ବଜନିକ ଭାବରେ ବିଦେଶୀ ବସ୍ତ୍ରରେ ଅଗ୍ନିସଂଯୋଗ କରିଥିଲେ। ୧୦ ମେ ୧୯୦୭ରେ ଲଣ୍ଡନସ୍ଥିତ ‘ଇଣ୍ଡିଆ ହାଉସ’ରେ ସେ ପ୍ରଥମ ଭାରତୀୟ ସ୍ୱାତନ୍ତ୍ରତା ସଂଗ୍ରାମର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିଥିଲେ।

୧୯୦୯ରେ ସାବରକର ଲଣ୍ଡନରେ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ, ସେଠାରେ ତାଙ୍କୁ ଓକିଲାତି କରିବାକୁ ଅନୁମତି ଦିଆଗଲା ନାହିଁ। ୧୯୦୯ ଜୁଲାଇ ୧ରେ ମହାନ କ୍ରାନ୍ତିକାରୀ ମଦନଲାଲ ଧିଙ୍ଗଡ଼ା, ୱିଲିୟମ ହଟ୍ କର୍ଜନକୁ ଗୁଳି କରି ହତ୍ୟା କରିବା ଘଟଣା ଉପରେ ‘ଲଣ୍ଡନ ଟାଇମ୍ସ’ରେ ସାବରକର ଏକ ଲେଖା ଲେଖିଥିଲେ। ୧୩ ମେ ୧୯୧୦ରେ ପ୍ୟାରିସରୁ ଲଣ୍ଡନ ପହଁଚିବା ପରେ ତାଙ୍କୁ ଗିରଫ କରି ଦିଆଗଲା। କିନ୍ତୁ, ଜୁଲାଇରେ ତାଙ୍କୁ ମୋରିୟା ନାମକ ଜାହାଜରେ ଭାରତ ନିଆ ଯାଉଥିବା ସମୟରେ ସମୁଦ୍ରକୁ ଡେଇଁ ସେ ଖସି ଯାଇଥିଲେ।

୨୪ ଡିସେମ୍ବର ୧୯୧୦ରେ ତାଙ୍କୁ ଆଜୀବନ କାରାଦଣ୍ଡ ସଜ୍ଜା ଦିଆଗଲା। ୨୬ ଫେବୃଆରୀ ୧୯୬୬ରେ ୮୨ ବର୍ଷ ବୟସରେ ବୀର ସାବରକରଙ୍କର ନିଧନ ହୋଇଥିଲା। ଆଜି ଭାରତ ଇତିହାସର ସେହି ମହାନ୍ କ୍ରାନ୍ତିକାରୀ ସ୍ୱାତନ୍ତ୍ରବୀର ବିନାୟକ ଦାମୋଦର ସାବରକରଙ୍କର ପୂଣ୍ୟତିଥି ଅବସରରେ ତାଙ୍କୁ କୋଟି ନମସ୍କାର।

You might also like