ସେ ଆମ ପାଇଁ ଦେବୀ ସମାନ ! ଶାଶୂଙ୍କ ସ୍ମୃତିରେ ମନ୍ଦିର ତୋଳିଲେ ୧୧ ବୋହୂ

ସୁନା ଗହଣା ପିନ୍ଧାଇ ପ୍ରତିଦିନ କରୁଛନ୍ତି ପୂଜା

ବିଳାସପୁର : ଶାଶୂ ଆମ ପାଇଁ ସାକ୍ଷାତ ଦେବୀ । ଶାଶୂଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ଜଣ ବୋହୂ । ମା’ ପରି ସ୍ନେହ ଦେଇ ପାଳିଥିବା ଶାଶୂଙ୍କ ମୃତ୍ୟୁ ପରେ ତାଙ୍କ ବୋହୂମାନେ ଏକ ମନ୍ଦିର ନିର୍ମାଣ କରି ନିତି ଦିନ ପୂଜା କରୁଛନ୍ତି । ଛତିଶଗଡ଼ ବିଳାସପୁର ଜିଲ୍ଲାର ରତନପୁରରେ ଏପରି ନିଆରା ପରିବାରକୁ ଦେଖିବାକୁ ମିଳିଛି । ଶାଶୂଙ୍କ ପ୍ରତି ଥିବା ଭଲପାଇ‍ବା ଯୋଗୁଁ ଭଗବାନଙ୍କ ପରି ମନ୍ଦିରରେ ପ୍ରତିମୂର୍ତ୍ତି ରଖି ବୋହୂମାନେ ସବୁଦିନ ପୂଜା କରିବା ସହ ଭଜନ କୀର୍ତ୍ତନ ମଧ୍ୟ କରୁଛନ୍ତି ।

ଘର ଝାଟିମାଟି ହେଉ କି ପକ୍କା, ପରସ୍ପର ଭିତରେ ସ୍ନେହ ପ୍ରେମ ଥିଲେ ସେ ଘର ସ୍ୱର୍ଗପୁର ହୋଇଯାଏ । ରତନପୁରରେ ବିଶ୍ୱପ୍ରସିଦ୍ଧ ମହାମାୟା ମନ୍ଦିର ଥିବା ବେଳେ ସ୍ୱର୍ଗପୁରୀର ଅନୁଭୂତି ଦେଉଥିବା ଏକ ନିଆରା ପରିବାର ମଧ୍ୟ ରହିଛି । ୭୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ତମ୍ବୋଲିଙ୍କ ପରିବାର ରତନପୁରରେ ରୁହନ୍ତି । ବିଲାସପୁର ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଥିବା ରତନପୁରର ତାମ୍ବୋଲି ପରିବାରର ବୋହୂମାନେ ୨୦୧୦ରେ ଶାଶୂଙ୍କ ପାଇଁ ମନ୍ଦିର ତୋଳିଥିଲେ । ଆଜିକା ସମୟରେ ଘରେ ଘରେ କଳିତକରାଳ ଦେଖିବାକୁ ମିଳୁଥିବା ବେଳେ ଅନ୍ୟମାନଙ୍କ ପାଇଁ  ତାଙ୍କ ପରିବାର ଉଦାହରଣ ସାଜିଛି । 

୩୯ ଜଣ ସଦସ୍ୟ ବିଶିଷ୍ଟ ଏହି ପରିବାରରେ ୧୧ ଜଣ ବୋହୂ ଯୌଥ ପରିବାରକୁ ସ୍ନେହ ପ୍ରେମର ବନ୍ଧନରେ ବାନ୍ଧି ରଖିଛନ୍ତି । ୨୦୧୦ରେ ଶାଶୂ ଗୀତା ଦେବୀଙ୍କ ଦେହାନ୍ତ ପରେ ବୋହୂମାନେ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡ଼ିଥିଲେ । ସବୁ ପ୍ରକାର ସୁଯୋଗ ସୁବିଧା ଦେଉଥିବା ଶାଶୂଙ୍କୁ ହରାଇ ମନ ତାଙ୍କର ବିଚଳିତ ହୋଇପଡ଼ିଥିଲା । କାରଣ ଶାଶୂ ତାଙ୍କ ପାଇଁ ମା’ ଠାରୁ କମ ନଥିଲେ । ତେବେ ତାଙ୍କ ଅବର୍ତ୍ତମାନରେ ଏକ ମନ୍ଦିର ତୋଳି ପୂଜା କରିବା ପାଇଁ ସବୁ ବୋହୂ ଚିନ୍ତା କରିଥିଲେ ।

ଶେଷରେ ବୋହୂଙ୍କୁ ଏକତାର ପାଠ ପଢ଼ାଉଥିବା ଶାଶୂଙ୍କ  ସମ୍ମାନରେ ଏକ ମନ୍ଦିର ନିର୍ମାଣ କରି ପ୍ରତିମୂର୍ତ୍ତି ରଖି  ୧୧ ଜଣ ବୋହୂ ନିତି ପୂଜା କରୁଛନ୍ତି ।  ସୁନା ଗହଣାରେ ସଜେଇ ଶାଶୂଙ୍କର ପ୍ରତିଦିନ ପୂଜାର୍ଚ୍ଚନା କରିଥାନ୍ତି ବୋହୂମାନେ । ଗୀତା ଦେବୀଙ୍କ ବୋହୂମାନେ ଉଚ୍ଚଶିକ୍ଷିତା । ଘରର ପୁରୁଷ ଲୋକଙ୍କୁ ବ୍ୟବସାୟରେ ସାହାଯ୍ୟ କରିବା ସହ ହିସାବକିତାବ ରଖନ୍ତି । ପାନ ଦୋକାନ, କିରାଣା ଦୋକାନ, ସାବୁନ ତିଆରି କାରଖାନା ଆଦିରୁ ଏହି ପରିବାରର ଭଲ ରୋଜଗାର ହୁଏ । ପାଖାପାଖି ୨୦ ଏକର ଜମିରେ ପରିବାରର ସମସ୍ତ ସଦସ୍ୟ ମିଳିମିଶି ଚାଷ କରନ୍ତି । ଏତେ ଲୋକ ଥିବା ସୱେ ତମ୍ବୋଲି ପରିବାରର ଖାଦ୍ୟ ଗୋଟିଏ ରୋଷେଇ ଘରେ ହିଁ ତିଆରି ହୁଏ । ସମେସ୍ତେ ବେଶ ଖୁସିରେ ମିଶି ଏଠି ରୋଷେଇ କରନ୍ତି ଓ ମିଳିମିଶି ଗୋଟିଏ ଘରେ ରୁହନ୍ତି ।

You might also like