ଜନ୍ମ ହେବା ପରେ ଜୀଅନ୍ତା ମାଟିରେ ପୋତି ଦେଇଥିଲେ, ହେଲେ ଏବେ….

ଜୟପୁର: ଆଜିର ଦିନରେ ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠୁ କମ୍‌ ନୁହେଁ। ଅନେକ କ୍ଷେତ୍ରରେ ମହିଳାମାନେ ସେମାନଙ୍କର ଦକ୍ଷତା,ପାରଦର୍ଶିତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚୁଛନ୍ତି,  ନିଜର ନାଁକୁ ଉଜ୍ଜ୍ୱଳ କରିପାରିଛନ୍ତି। ହେଲେ ଏମିତି ଏକ ଦିନ ଥିଲା ଯେତେବେଳେ ଝିଅମାନଙ୍କୁ ଅଭିଶାପ ଓ ବୋଝ ବୋଲି ଲୋକମାନେ ଭାବୁଥିଲେ। ଏଥିପାଇଁ ଅନେକ ସ୍ଥାନରେ ଝିଅମାନେ ଜନ୍ମ ହେବା କ୍ଷଣି ସେମାନଙ୍କୁ ମାରି ଦେଉଥିଲେ। ୧୯୬୦ ମସିହାରେ ରାଜସ୍ଥାନ ଅଜମୈର ଜିଲ୍ଲାର କୋଟଡ଼ା ଗାଁରେ ଜନ୍ମଗ୍ରହଣ କରିଥିବା ଗୁଲାବୋ ସପେରାଙ୍କ ସହ ଏମିତି କିଛି ଘଟିଥିଲା। ପପୁଲାର୍‌ ଶୋ’ ‘ବିଗ୍‌ ବସ୍‌ ୫’ରେ ସେ ଭାଗ ନେଇଥିଲେ। ଯେଉଁଠି ସେ ତାଙ୍କ ଜୀବନ ସହ ଜଡ଼ିତ ଅନେକ ଘଟଣାର ଖୁଲାସା କରିଥିଲେ।

gulabo sapera
ପୁରସ୍କାର ଗ୍ରହଣ କରୁଛନ୍ତି ଗୁଲାବୋ ସପେରା

ଗୁଲାବୋ ସପେରା ହେଉଛନ୍ତି ରାଜସ୍ଥାନର ଜଣେ ପ୍ରସିଦ୍ଧ କାଲ୍‌ବେଲିଆ ନୃତ୍ୟଶିଳ୍ପୀ। ନିଜର ଲୋକନୃତ୍ୟ ପାଇଁ ଖାଲି ଦେଶରେ ନୁହେଁ ବିଦେଶରେ ମଧ୍ୟ ସେ ବେଶ୍‌ ନାଁ କମାଇଛନ୍ତି। ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ହେଲେ ଏସବୁ ପଛରେ ଗୁଲାବୋ ଓ ତାଙ୍କ ପରିବାରର ରହିଛି ସଂଘର୍ଷମୟ କାହାଣୀ। ଯେତେବେଳେ ଗୁଲାବୋ ଜନ୍ମ ହୋଇଥିଲେ, ଏହି ସମୟରେ ବାପା ତାଙ୍କ ପାଖରେ ନଥିଲେ। ମା’ ପାଖରେ ଥିଲେ ବି ତାଙ୍କର ହୋସ୍‌ ନଥିଲା। ସେ ଅଚେତ ଅବସ୍ଥାରେ ଥିଲେ। ସମ୍ପର୍କୀୟମାନେ ଯେତେବେଳେ ଜାଣିଲେ ଯେ, ଝିଅଟିଏ ଜନ୍ମ ହୋଇଛି, ସେମାନେ ଗୁଲାବୋଙ୍କୁ ଜୀଅନ୍ତା ମାଟିରେ ପୋତି ଦେଇଥିଲେ।  ତାଙ୍କ ମା’ଙ୍କ ହୋସ୍‌ ଫେରିଲା ପରେ ସେ ଜାଣିବାକୁ ପାଇଲେ ଯେ, ଝିଅକୁ ଜୀଅନ୍ତା ମାଟିରେ ପୋତି ଦିଆଯାଇଛି। ଏହାପରେ ସେ କାନ୍ଦି କାନ୍ଦି ଲୋକଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ, ବିକଳ ହୋଇ ପଚାରିଥିଲେ ଝିଅକୁ କେଉଁଠି ପୋତିଛ ? ହେଲେ କେହି କିଛିବି ତାଙ୍କୁ କହିନଥିଲେ। ଗୁଲାବୋଙ୍କ ମାଉସୀଙ୍କୁ ଏସମ୍ପର୍କରେ ଜଣାଥିଲା। ଏହାପରେ ସେମାନେ ରାତି ୧୨ଟାରେ ସେଇ ସ୍ଥାନକୁ ଯାଇଥିଲେ, ଯେଉଁଠି ଗୁଲାବୋଙ୍କୁ ଜୀଅନ୍ତା ପୋତି ଦିଆଯାଇଥିଲା। ମାଟି ଖୋଳି ସେମାନେ ଗୁଲାବୋଙ୍କୁ ବାହାର କରିଥିଲେ। ସେହି ସମୟରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲୁଥିଲା। ଏହି ଘଟଣା ପରେ ଗୁଲାବୋଙ୍କୁ ଏକ ନୂଆ ଜୀବନ ମିଳିଥିଲା । ଖାଲି ସେତିକି ନୁହେଁ, ଝିଅଙ୍କୁ ନେଇ ଲୋକଙ୍କ ମନରେ ଥିବା ମାନସିକତାରେ ବିରାଟ ପରିବର୍ତ୍ତନ ଆସିଥିଲା।

gulabo sapera
ନୃତ୍ୟ ପରିବେଷଣ କରୁଛନ୍ତି ଗୁଲାବୋ

ଗୁଲାବୋଙ୍କ ବାପା ଜଣେ ସାପୁଆ କେଳା। ଯେତେବେଳେ ଗୁଲାବୋ ବଡ଼ ହେଲେ, ସେ ତାଙ୍କ ବାପାଙ୍କ ସହ ସାପ ଖେଳାଇବା ପାଇଁ ଯାଉଥିଲେ ଓ ବିନ୍‌ର ତାଳେ ତାଳେ ସେ ନାଚୁଥିଲେ। ଧୀରେଧୀରେ ସେ ଏହି ଡ୍ୟାନ୍ସ ପାଇଁ ପ୍ରସିଦ୍ଧ ହୋଇଗଲେ। ତାଙ୍କୁ ୧୭ ବର୍ଷ ବୟସରେ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ ପ୍ରୋଗ୍ରାମରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା। ୱାଶିଂଟନ୍‌ରେ ଏହି ପ୍ରୋଗ୍ରାମ ହୋଇଥିଲା। ଏହି ଡ୍ୟାନ୍ସ ମାଧ୍ୟମରେ ସେ କାଲ୍‌ବେଲିଆ ଡ୍ୟାନ୍ସକୁ ସର୍ବସମ୍ମୁଖକୁ ଆଣିଥିଲେ। ତାଙ୍କର ଏଭଳି ସଫଳତା ଦେଖି ଲୋକମାନେ ଝିଅକୁ ହତ୍ୟା କରିବା ବନ୍ଦ କରି ଦେଇଥିଲେ। ଯାହା ତାଙ୍କ ପାଇଁ ବହୁତ ବଡ଼ ବିଜୟ ବୋଲି ଗୁଲାବୋ କହିଛନ୍ତି।

gulabo sapera
ନୃତ୍ୟରେ ବିଭୋର ଗୁଲାବୋ

ଗୁଲାବୋ ସପେରାଙ୍କ ପ୍ରକୃତ ନାମ ବହୁତ କମ୍‌ ଲୋକ ଜାଣନ୍ତି। ତାଙ୍କର ପ୍ରକୃତ ନାମ ହେଉଛି ଧନୱନ୍ତରୀ। ହେଲେ ଗୁଲାବୋ ନାମ ପଛରେ ତାଙ୍କ ବାପାଙ୍କ ବହୁତ ଭଲ ପାଇବା ରହିଛି। ଛୋଟବେଳେ ସେ ବହୁତ ଗୋରା ଥିଲେ ଓ ତାଙ୍କ ଗାଲ  ଗୋଲାପ ପାଖୁଡା  ଭଳି ଥିଲା। ଏଥିପାଇଁ ତାଙ୍କ ବାପା ତାଙ୍କ ନାଁ ଗୁଲାବୋ ରଖିଥିଲେ।

gulabo sapera

କାଲ୍‌ବେଲିଆ ଡ୍ୟାନ୍ସ ଆଜି ବେଶ୍‌ ପ୍ରସିଦ୍ଧ। ଏହି ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ଖାସ୍‌ କରି ରାଜସ୍ଥାନ ବୁଲିବାକୁ ଯାଇଥାନ୍ତି। ବିଦେଶରୁ ମଧ୍ୟ ଲୋକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି।

You might also like