ବାପାଙ୍କୁ ଦେଖି କାନ୍ଦୁଥିଲା ଝିଅ, ହେଲେ କୋଳକୁ ନେଇ ପାରୁ ନ ଥିଲେ ଡାକ୍ତର ବାପା..

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ,ଡାକ୍ତରମାନେ ସେମାନଙ୍କ ପରିବାରଠାରୁ ଦୂରରେ ରହି ରୋଗୀଙ୍କ ସେବା କରୁଛନ୍ତି । ଏହି ସୁପରହିରୋମାନେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ସହିତ ପରିବାରକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି।

କିଛି ଡାକ୍ତରମାନେ ଡାକ୍ତରଖାନାରେ ରହୁଥିବାବେଳେ କେତେଜଣ କାରକୁ ନିଜ ଘର କରିଛନ୍ତି। ଏହି ସମୟରେ, ଏକ ଭାବପ୍ରବଣ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ।

ଘର ବାହାରେ ଡାକ୍ତର ବାପାଙ୍କୁ ଠିଆ ହୋଇଥିବାର ଦେଖି ଝିଅଟି ଜୋରରେ କାନ୍ଦିବାକୁ ଲାଗିଲା। ବାପା ମଧ୍ୟ ବାହାରେ ଥାଇ ଝିଅକୁ ଦେଖିଲେ। ସେ ବାହାରେ ବସି ଝିଅଟିକୁ ହ୍ୟାଲୋ କହିଥିଲେ। କୁନି ଝିଅଟି ବାପାଙ୍କୁ  ଦେଖି ରହିପାରିଲାନାହିଁ , ବାପାଙ୍କୁ ଜାବୁଡିକି ଧରିବା ପାଇଁ ଘରର କବାଟକୁ ଖୋଲିବାକୁ ଚେଷ୍ଟା କରୁଛି । କିନ୍ତୁ କବାଟ ଭିତରପଟୁ ବନ୍ଦ ଥିବାରୁ ଯାଇ ପାରୁନି। ତଥାପି ତାର କୁନି କୁନି ହାତରେ କବାଟକୁ ଖୋଲିବାକୁ ବାରମ୍ୱାର ଚେଷ୍ଟା କରୁଛି।

ହେଲେ ବିଫଳ ହୋଇ ଶେଷରେ କାନ୍ଦୁଛି।  କିଛି ସମୟ ଏମିତି କଟିବା ପରେ ବାପା ଝିଅଟିକୁ ଫ୍ଳାଇଙ୍ଗ୍‌ କିସ୍‌ କରି ପୁଣି ଡାକ୍ତରଖାନାକୁ ଫେରି ଯାଉଛନ୍ତି। କାରଣ କରୋନା ଭାଇରସର ଭୟରେ ବାପା ଝିଅ ନିକଟକୁ ଯିବାକୁ ଚାହୁଁନଥିଲେ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମାଧୁର ନାମକ ଜଣେ ଟ୍ୱିଟର ୟୁଜର୍‌ ଏହି ଭିଡିଓକୁ ଶେୟାର କରି କହିଛନ୍ତି ଯେ ‘ଏଭଳି ଘଟଣା ଦେଖି ମୁଁ ବହୁତ ଦୁଃଖିତ’।

ଏହି ଭିଡିଓରେ ଏପର୍ଯ୍ୟନ୍ତ ୬୫ ହଜାରରୁ ଅଧିକ ଭ୍ୟୁ ମିଳିଛି, ଏବଂ ୫ ହଜାରରୁ ଅଧିକ ଲାଇକ୍ ଏବଂ ହଜାରରୁ ଅଧିକ ରି-ଟୁଇଟ୍ ମଧ୍ୟ ହୋଇଛି।

You might also like