ମା’ କରୋନାରେ ଆକ୍ରାନ୍ତ ହେବାପରେ କୁନି ଝିଅର ଯତ୍ନ ନେଉଛନ୍ତି ନର୍ସ

ଛତିଶଗଡ: ମହାମାରୀ କରୋନା ଭାଇରସ ଭାରତ ସମେତ ସାରା ବିଶ୍ୱକୁ ନିଜ କବ୍‌ଜାରେ ରଖିଛି। ଭାଇରସ ଯୋଗୁଁ ଭାରତ ସମେତ ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି। କିନ୍ତୁ ମେଡିକାଲ୍ କର୍ମଚାରୀମାନେ ଲୋକଙ୍କୁ ଏହି ଭାଇରସଠୁ ରକ୍ଷା କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏପରି କିଛି ଘଟଣା ଅଛି ଯାହା ଆପଣଙ୍କୁ ଭାବପ୍ରବଣ କରିଦେବ। ଘଟଣାଟି ଘଟିଛି ଛତିଶଗଡର ରାଜଧାନୀ ରାୟପୁରରେ। ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସା ହେଉଛନ୍ତି। କିନ୍ତୁ ମହିଳାଙ୍କର ୩ମାସର ଝିଅଟି ରହିଛି। ଏହି ଝିଅଟିକୁ ଏମ୍ସର ଦୁଇଜଣ ନର୍ସ ଦେଖାଶୁଣା କରୁଛନ୍ତି।

ସୂଚନା ଅନୁଯାୟୀ, ଛତିଶଗଡର କୋରବା ଜିଲ୍ଲାରେ ରହୁଥିବା ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କର ତିନି ମାସର ଝିଅଟି ମଧ୍ୟ ଥିଲା। ମହିଳାଙ୍କଠୁ ସଂକ୍ରମଣ ତାଙ୍କ ଝିଅକୁ ବ୍ୟାପିବା ଭାବି,ଝିଅଙ୍କୁ ତାଙ୍କଠାରୁ ଅଲଗା ରଖାଯାଇଥିଲା। ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଝିଅର ଦେଖାଶୁଣା କରିବା ପାଇଁ ତାଙ୍କ ଆଇଙ୍କୁ ଡକାଯାଇଥିଲା। କିନ୍ତୁ ତାଙ୍କର ନମୁନା ମଧ୍ୟ ପଜିଟିଭ ଆସିଥିଲା।

ଏହା ପରେ ଝିଅର ମାମୁଁଙ୍କୁ ଡକାଯାଇଥିଲା। ଝିଅର ମାମୁଁ ମେଡିକାଲରେ ପହଞ୍ଚିଲାପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଥିଲେ। ଯେତେବେଳେ ପରିବାରର ସମସ୍ତ ସଦସ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଥିଲେ, ସେତେବେଳେ ଏମ୍ସର ଦୁଇଜଣ ନର୍ସ ଝିଅର ଯତ୍ନ ନେଇଥିଲେ।

ରାୟପୁର ସ୍ଥିତ ଏମ୍ସର ନିର୍ଦ୍ଦେଶକ ନିତିନ ଏମ୍‌ କହିଛନ୍ତି, ଝିଅଟି ବହୁତ ଛୋଟ, ତେଣୁ ତାଙ୍କୁ ନିୟମିତ କ୍ଷୀରର ଆବଶ୍ୟକ ହୋଇଥାଏ। କିନ୍ତୁ ମା’ କରୋନାରେ ସଂକ୍ରମିତ ହୋଇଥିବାରୁ ତାଙ୍କ କ୍ଷୀର ଝିଅକୁ ଦିଆଯାଉ ନାହିଁ। ଏହି କାରଣରୁ ଦୁଇଜଣ ନର୍ସ ଝିଅଟିକୁ ବୋତଲ ସାହାଯ୍ୟରେ ଖାଇବାକୁ ଦେଉଛନ୍ତି। ଝିଅଟିକୁ ସଂକ୍ରମଣ ନହେବା ପାଇଁ ଦୁଇଜଣ ନର୍ସ ପିପିଇ(PPE) କିଟ୍‌ ପିନ୍ଧି ତାର ଯତ୍ନ ନେଉଛନ୍ତି।

ଏସବୁ ସତ୍ତ୍ୱେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୨,୩୮୦ ଟି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ ୪୧୪ଜଣଙ୍କର ମୃତ୍ୟୁ ଘଟିଛି।

You might also like