ହିନ୍ଦୁ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ମୁସଲମାନ ଗ୍ରାମବାସୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସବୁଆଡେ ଦୁଃଖ ଆଉ ଯନ୍ତ୍ରଣାର ଚିତ୍ର। କରୋନା ପାଇଁ କିଏ ଜୀବିକା ହରାଇଲାଣି ତ କରୋନା କାହାର ଜୀବନ ନେଲାଣି। ପୁଣି କିଏ ଖାଦ୍ୟ ମୁଠାଏ ଯୋଗାଡ କରିବା ପାଇଁ ସଂଘର୍ଷ କରି ଥକି ଗଲାଣି। ଏମିତି ସମୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି। ୟୁପିର ହାପୁଡ଼ ଜିଲ୍ଲାର ଏକ ଗାଁରେ ରହୁଥିବା ମୁସଲମାନ ସଂପ୍ରଦାୟର ଲୋକେ ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ହିନ୍ଦୁ ଶ୍ରମିକମାନଙ୍କୁ ସାହାଯ୍ୟ କରି ଭାଇଚାରର ନିଦର୍ଶନ ଦେଖାଇଛନ୍ତି। ଏଇ ଭୋକିଲା ଶ୍ରମିକମାନଙ୍କୁ ଏମାନେ ଖାଇବାକୁ ଦେବା ସହ ସେମାନଙ୍କ ରହିବା ପାଇଁ ଘରର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଦିଲ୍ଲୀଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ ହାପୁଡ଼ରେ ଏକ ଆଇସକ୍ରିମ୍‌ କାରଖାନା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଗଲା। ଫଳରେ ଏହି କାରଖାନାରେ କାମ କରୁଥିବା ୧୦ ଜଣ ହିନ୍ଦୁ ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ତେଣୁ ସେମାନେ ନିଜର ଘରକୁ ଫେରି ଆସିବାକୁ ବାହାରିଲେ। ଗାଡିମଟର କିଛି ଯାତାୟାତ କରୁ ନ ଥିବାରୁ ବିହାରର ପଶ୍ଚିମ ଚମ୍ପାରନ୍‌ ଜିଲ୍ଲାର ଏହି ଶ୍ରମିକମାନେ ଚାଲିଚାଲି ଘରକୁ ଯିବା ପାଇଁ ସ୍ଥିର କଲେ। ହାପୁଡରୁ କିଛି କିଲୋମିଟର ଚାଲିଚାଲି ଯାଉଥିଲାବେଳେ ପୋଲିସ ସେମାନଙ୍କୁ ବାଟରେ ଅଟକାଇଥିଲା ଏବଂ ଲକ୍‌ଡାଉନ୍‌ ଦର୍ଶାଇ ଫେରିଯିବାକୁ କହିଥିଲା।

ଏଭଳି ପରିସ୍ଥିତିରେ ସେମାନେ କୁଆଡେ ଯିବା ଭାବି ପାରୁ ନ ଥିଲେ। ପାଖରେ ଅର୍ଥ ନ ଥିଲା। ଏହି ସମୟରେ ଦେବଦୂତ ପରି ସେମାନଙ୍କ ପାଖରେ ପହଞ୍ଚିଲେ ଏହି ମୁସଲମାନ ଭାଇମାନେ। ସେମାନେ ନିକଟରେ ଥିବା ତାଙ୍କର ଗାଁ ସାରୱାନୀରେ ରହିବାକୁ କହିଥିଲେ। ଗାଁର ମୁସଲମାନମାନେ ଏହି ଶ୍ରମିକମାନଙ୍କୁ ରହିବା, ଖାଇବାର ସମସ୍ତ ବ୍ୟବସ୍ଥା କରିଥିଲେ।  ଗତ ତିନି ସପ୍ତାର ଧରି ଏହି ହିନ୍ଦୁ ଶ୍ରମିକମାନେ ସେଠାରେ ରହି ଆସୁଛନ୍ତି।

You might also like