ମୃତ ବୋଲି କହି ଆମ୍ୱୁଲାନ୍ସରେ ଯାଉଥିଲେ, ଧରିଲା ପୋଲିସ

ସୁରନକୋଟ: ମହାମାରୀ କରୋନା ଭାଇରସକୁ ମାତ୍‌ ଦେବାପାଇଁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। ଲକଡାଉନ୍ କାରଣରୁ ଫସି ରହିଥିବା ଲୋକମାନେ ନିଜ ଘରକୁ ଯିବା ପାଇଁ ଅଜବ ପ୍ରକାରର ଉପାୟମାନ ଅବଲମ୍ୱନ କରୁଛନ୍ତି। ଜଣେ ବ୍ୟକ୍ତି ନିଜର ମୃତ୍ୟୁ ଷଡ଼ଯନ୍ତ୍ର ରଚି ୩ଜଣ ସାଙ୍ଗଙ୍କ ସହ ଆମ୍ୱୁଲାନ୍ସରେ ଗାଁକୁ ଯାଉଥିଲାବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଘଟଣାଟି ଘଟିଛି ପୁଞ୍ଚ ଜିଲ୍ଲାର ସୁରନକୋଟରେ। ସେମାନେ ଗାଁରେ ପହଁଞ୍ଚିବା ପୂର୍ବରୁ ପୋଲିସ ଘଟଣାର ପର୍ଦାଫାଶ କରିଛି। ପୋଲିସ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରି ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌କୁ ପଠାଇଛି। ପୋଲିସକୁ ଏକ ନକଲି ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ମିଳିଛି।

ଖବର ଅନୁଯାୟୀ, ଲକ୍‌ଡାଉନ୍‌କୁ ନେଇ ମଙ୍ଗଳବାର ଦିନ ସୁରନକୋଟ ପୋଲିସ ଟିମ୍ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଘରୋଇ ଆମ୍ବୁଲାନ୍ସ (PB02CQ-6663) ଆସୁଥିବାର ଦେଖି। ପୋଲିସ ଆମ୍ବୁଲାନ୍ସକୁ ଅଟକାଇ ପଚରାଉଚରା ଆରମ୍ଭ କରିଥିଲା। ସନ୍ଦେହ ହେବାରୁ ପୋଲିସ ଆମ୍ବୁଲାନ୍ସକୁ ଯାଞ୍ଚ କରିଥିଲା। ପରେ ପୋଲିସକୁ ମୃତ ବ୍ୟକ୍ତିଟି ଜୀବିତ ଥିବା ଜଣାପଡ଼ିଥିଲା।

ଏହା ପରେ ପୋଲିସ ସମସ୍ତଙ୍କୁ ଗିରଫ କରି ପୋଲିସ ଷ୍ଟେସନକୁ ନେଇଥିଲା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛି ପୋଲିସ।

You might also like