ଓପାସରେ ମା’, ୮ ଦିନର ଶିଶୁ ମୁହଁରେ ଦେଇପାରୁନି ଆହାର

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ର ଅବଧି ବଢ଼ିଥିବାରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଜିଲ୍ଲାରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଫସି ରହିଥିବା ଶ୍ରମିକମାନେ ଦିନରେ ଥରେ ମାତ୍ର ଖାଦ୍ୟ ଖାଇବାକୁ ପାଉଛନ୍ତି। ସେମାନେ କହିଛନ୍ତି,  କରୋନା କ’ଣ ଜଣା ନାହିଁ । କିନ୍ତୁ କରୋନା ପାଇଁ  ଖାଇବାକୁ ନପାଇ ଭୋକରେ ମରିଯିବୁ। ତେବେ ଏହି ଲକ୍‌ଡାଉନ କଟକଣା ବେଳେ ଜଣେ ପ୍ରସୂତି ମହିଳାଙ୍କ ଦୁଃଖ ସବୁ ଦୁଃଖ ଯନ୍ତ୍ରଣାଠାରୁ ବଳି ପଡ଼ିଛି। ନା ନିଜେ ଖାଇବାକୁ ପାଉଛନ୍ତି, ନା ନବଜାତ ଶିଶୁ ମୁହଁରେ କ୍ଷୀର ଟୋପେ ଦେଇ ପାରୁଛନ୍ତି ! ଭୋକରେ ଶିଶୁଟି କାନ୍ଦିଲେ,  ତାଙ୍କର ଛାତି ଫାଟି ଯାଉଛି, ହେଲେ ସେ ନାଚାର।

ଉତ୍ତରପ୍ରଦେଶର ନୈନତାଲ ଗାଁର ବାସିନ୍ଦା ୨୨ବର୍ଷର ମହକ୍‌। ମହକ୍‌ ଓ ତାଙ୍କ ସ୍ୱାମୀ ଗୋପାଳ ଦିଲ୍ଲୀର ଟାଉନ୍‌ହଲ୍‌ ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଶ୍ରମିକ ଭାବରେ କାମ କରୁଥିଲେ।  ଲକ୍‌ଡାଉନ୍‌ ସମୟରେ ସବୁକିଛି ବନ୍ଦ ହୋଇ ଯାଇଥିଲା।  ଏହି ସମୟରେ ମହକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏବେ ଶିଶୁଟି ୮ ଦିନର। ହେଲେ ଡାକ୍ତରଖାନା ଯିବାକୁ ତାଙ୍କ ପାଖରେ ଅର୍ଥ ନ ଥିଲା କିମ୍ବା ଯିବାଲାଗି କୌଣସି ସୁବିଧା ମଧ୍ୟ  ନ ଥିଲା ।  କାରଣ ଲକ୍‌ଡାଉନ ଯୋଗୁ  ନିର୍ମାଣ କାମ ବନ୍ଦ ହୋଇଯାଇଥିଲା।

ମହକ କହିଛନ୍ତି,  ଦୁଇ ଦିନରେ ଥରେ ତାଙ୍କୁ ଖାଇବାକୁ ମିଳୁଛି।  ସେ ପୁଣି କେବଳ ମୁଠେ ଭାତ । ଏପରି ସ୍ଥିତିରେ କ୍ଷୀର ହେଉନାହିଁ…ଛୁଆକୁ କ’ଣ ଖାଇବାକୁ ଦେବି ?  କୁନି ଝିଅକୁ ଏଭଳି ଅବସ୍ଥାରେ ଦେଖି ବାପା ଗୋପାଳଙ୍କ ଆଖିରୁ ଲୁହ ବନ୍ଦ ହେଉନାହିଁ ।

ଏହି କାହାଣୀ କେବଳ ମହକର ନୁହେଁ, ମହକ ଭଳି ଅନେକ ପ୍ରବାସୀ ଶ୍ରମିକ ଦୁଃଖଦୁର୍ଦ୍ଦଶାରେ ଫସି ରହିଛନ୍ତି ବିଭିନ୍ନ ସ୍ଥାନରେ। ମହକ ଭଳି ବିହାର ନୱାଡାର ଚାନ୍ଦ ରାନୀଙ୍କର ସମାନ ଅବସ୍ଥା। ତାଙ୍କର ଚାରୋଟି ଛୋଟ ଛୁଆ ଅଛନ୍ତି। ଖାଇବାକୁ ମୁଠେ ଭାତ ଛଡା ଅନ୍ୟ କିଛି ସାମଗ୍ରୀ ନାହିଁ। ଚୁଲି ଅଛି,  କିନ୍ତୁ ରୋଷେଇ କାରିବାକୁ ଜିନିଷ ନାହିଁ। ସେ ଓ  ତାଙ୍କ ସ୍ୱାମୀ ମଦନ ହରିୟାଣାର କର୍ଣ୍ଣଲର ଅଞ୍ଚଳରେ କାମ କରୁଥିଲେ। ଚାନ୍ଦ ରାନୀ କହିଛନ୍ତି, ତାଙ୍କ ପାଖରେ କେବଳ ଚାଉଳ ଅଛି, ପିଲାମାନଙ୍କୁ ଖାଲି ଭାତ ଖାଇବାକୁ ଦେବୁ ନହେଲେ ପାଣି ପିଇବୁ?

ଦିଲ୍ଲୀ ସରକାର ସମସ୍ତ ରାସନ କାର୍ଡଧାରୀଙ୍କୁ ରାସନ ଦେଉଛନ୍ତି। କିନ୍ତୁ ସମସ୍ୟା ହେଉଛି ଏହି ପ୍ରବାସୀ ଶ୍ରମିକମାନଙ୍କ ପାଖରେ ଦିଲ୍ଲୀର ରାସନ କାର୍ଡ ନାହିଁ । ଏହିପରି ପ୍ରବାସୀ ଶ୍ରମିକମାନେ ୱେବସାଇଟ୍ ଯାଇ ପଞ୍ଜୀକରଣ କରିବାକୁ ସରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ଗତ ତିନି ଦିନ ଧରି ପଞ୍ଜୀକୃତ ହୋଇଥିବା ପୃଷ୍ଠାଗୁଡ଼ିକୁ ହ୍ୟାଙ୍ଗ୍‌ ହୋଇଥିବା ଜଣାପଡିଛି।

You might also like