କରୋନାରୁ ବଞ୍ଚାଉଛି ପାଳଭୂତ! ଏଥିପାଇଁ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଛନ୍ତି।  ନିଜର ଜୀବନଶୈଳୀ ବଦଳାଉଛନ୍ତି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, କରୋନା କବଳରୁ ବର୍ତ୍ତିବା ପାଇଁ ଲୋକେ ପାଳଭୂତର ସାହାଯ୍ୟ ନେଇଛନ୍ତି। ବିଜ୍ଞାନ ଯୁଗରେ ଏହା ଅନ୍ଧ ବିଶ୍ୱାସ ବୋଲି ଲାଗେ। କିନ୍ତୁ କାମ୍ୱୋଡିଆରେ ଲୋକମାନଙ୍କର ଧାରଣା ପାଳଭୂତ ହିଁ କରୋନାରୁ ସେମାନଙ୍କୁ ରକ୍ଷା କରିପାରିବ ଓ ରକ୍ଷା କରୁଛି ମଧ୍ୟ। ଏହି ପାଳଭୂତକୁ ଇଂରାଜୀରେ ସ୍କେଆରକ୍ରୋ ଓ କାମ୍ୱୋଡିଆର ଖେମର୍ ଭାଷାରେ ଟିଙ୍ଗ୍ ମଙ୍ଗ୍ କୁହାଯାଏ ।

କାମ୍ୱୋଡିଆର କୃଷକମାନେ ପାଳଭୂତ ବା ଟିଙ୍ଗ୍ ମଙ୍ଗ୍ ଉପରେ ବହୁତ ବିଶ୍ୱାସ କରନ୍ତି । ଘର ବାହାରେ ଗେଟ୍ ପାଖରେଏହି ପାଳଭୂତମାନଙ୍କୁ ଠିଆ କରାଯାଇଛି। ସେମାନଙ୍କ ହାତରେ ବାଡି ବା ବନ୍ଧୁକ ରହିଛି । ସେମାନେ ରଙ୍ଗ ବେରଙ୍ଗର ସାର୍ଟ ପିନ୍ଧିଛନ୍ତି । ସେମାନଙ୍କ ମୁଣ୍ଡ ପ୍ଲାଷ୍ଟିକ ଡବା ବା ମାଟି ହାଣ୍ଡିରେ ତିଆରି ହୋଇଛି। ହଇଜା, ଡାଇରିଆ ବା ଡେଙ୍ଗୁ ଭଳି ମହାମାରୀ ସମୟରେ ଏହି ଦେଶର ଗାଁ ଗହଳିରେ ରହୁଥିବା ଲୋକମାନେ ଘର ଆଗରେ ପାଳଭୂତ ତିଆରି କରନ୍ତି ।

ଜଣେ ୪୫ ବର୍ଷୀୟ ଚାଷୀ କହିଛନ୍ତି , କରୋନାରୁ ମୋ ପରିବାରକୁ ରକ୍ଷା କରିବା ପାଇଁ ମୁଁ ଗେଟ୍ ପାଖରେ ପାଳଭୂତ ଠିଆ କରାଇଛି। କାମ୍ପଙ୍ଗ ଚାଙ୍ଗ ପ୍ରଦେଶରେ ଥିବା ତାଙ୍କ ଗାଁ ଘର ସାମ୍ନାରେ ସେ ଦୁଇଟି ପାଲଭୂତ ରଖିଛନ୍ତି। ଗୋଟିଏ ସୈନିକ ଭଳି ସଜ୍ଜିତ ହୋଇଛି  ଅନ୍ୟଟି ପୁରୁଣା ଡ୍ରେସରେ ସାଧାରଣ ଲୋକ ଭାବେ ସଜା ଯାଇଛି। ସେ କହିଛନ୍ତି ଯେ, ଆଦିମ କାଳରୁ ଆମର ଏହି ପ୍ରଥା ରହିଛ।  କୌଣସି ଭୟଙ୍କର ରୋଗ ଆସିଲେ ତାକୁ ଦୂରେଇ ରଖିବା ପାଇଁ ଆମେ ପାଳଭୂତ କରିଥାଉ।

ଅଧିକାଂଶ ବୌଦ୍ଧ ଧର୍ମାବଲମ୍ୱୀ ବାସ କରୁଥିବା ଏହି ଅଞ୍ଚଳରେ ବିଶ୍ୱାସ କରାଯାଏ ଯେ, ପ୍ରାକୃତିକ ପଦାର୍ଥ ଓ ଦୃଶ୍ୟମାନ ବସ୍ତୁଗୁଡିକର ଆତ୍ମା ରହିଛି। ତେବେ ଏହି ପାଳଭୂତ ଦୁଷ୍ଟ ଆତ୍ମା ବା ପ୍ରେତାତ୍ମାଠାରୁ ପରିବାରକୁ ଦୂରେଇ ରଖେ। ଫଳରେ ପରିବାରର କିଛି ଅନିଷ୍ଟ ହୁଏନାହିଁ  ।

ଅନ୍ୟ ଜଣେ ଚାଷୀ କହିଛନ୍ତି, ଆମ ଗାଁରେ ସମସ୍ତଙ୍କ ଗେଟ୍ ପାଖରେ କୁଶପୁତ୍ତଳିକା ଅଛି। ମୁଁ ମଧ୍ୟ ଗୋଟିଏ କୁଶପୁତ୍ତଳିକା ଗେଟ୍‌ରେ ବାନ୍ଧିଛି । କିନ୍ତୁ ଆମ ଗାଁରେ ସମସ୍ତଙ୍କ କୁଶ ପୁତ୍ତଳିକାର ଆକାର ସମାନ ନୁହେଁ । କାହାର ବଡ ତ କାହାର ଛୋଟ । କିଛି ନିର୍ଦ୍ଦିଷ୍ଟ ସାଇଜ୍ ମଧ୍ୟ ନାହିଁ। କିଏ ଜୋକର୍ ହୋଇଛି ତ କିଏ ପୁଣି ଝୁଲା ମୁଣି ପକାଇଛି। ମୋ ପାଳଭୂତ ଚଷମା ପିନ୍ଧିଛି।

ଗତ ମାର୍ଚ୍ଚ ମାସରେ ଦକ୍ଷିଣ-ପୂର୍ବ ଏସିଆରେ କରୋନା ବ୍ୟାପିବା ବେଳଠାରୁ ଲୋକମାନେ ପାଳଭୂତ ତିଆରି କରିଛନ୍ତି। ଖରା ଓ ବର୍ଷାରେ ଘର ବାହାରେ ସେମିତି ଛିଡା ହୋଇଛନ୍ତି ପାଳଭୂତ। ଯାହାର ପାଳଭୂତ ଭାଙ୍ଗିଯାଉଛି ସେ ପୁଣି ତିଆରି କରୁଛି। ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, ପାଳଭୂତ ହିଁ ଆମକୁ ବଞ୍ଚାଇଛି। କରୋନା ଥିବା ପର୍ଯ୍ୟନ୍ତ ପାଳଭୂତ ଏମିତି ରହିବ।

ଆଶ୍ଚର୍ଯ୍ୟଜନକ ଭାବେ କାମ୍ୱୋଡିଆରେ କରୋନାର ପ୍ରଭାବ ସେତେଟା ନାହିଁ। ବର୍ତ୍ତମାନ ସୁଦ୍ଧା ଏଠାରେ ମାତ୍ର ୨୮୩ ଜଣ ଆକ୍ରାନ୍ତ ହୋଇଛନ୍ତି। କେହି ଜଣେ ହେଲେ ବି କରୋନାରେ ମୃତ୍ୟୁବରଣ କରିନାହାନ୍ତି। ଲୋକଙ୍କର ବିଶ୍ୱାସ ପାଳଭୂତ ହିଁ କରୋନାକୁ ଅଟକାଇଛି  ତେବେ ଅନେକଙ୍କ ମତ , ଟେଷ୍ଟ୍ କମ୍ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି  ।

 

You might also like