ଟ୍ୟୁସନ ଫି ବାବଦରେ ଛାତ୍ରଛାତ୍ରୀ ଦେଲେ ନଡିଆ ଓ ସଜନା ପତ୍ର

ବାଲି: ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି ବାବଦରେ ଏକ ବଡ ଧରଣର ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଣିକି ଛାତ୍ରଛାତ୍ରୀମାନେ ଟ୍ୟୁସନ ଫି ବାବାଦରେ ଟଙ୍କା ନୁହେଁ ଦେବେ ନଡିଆ ଓ ସଜନା ପତ୍ର।  ବାଲିରେ ତେଗାଲାଲାଙ୍ଗଠାରେ ଥିବା ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

କରୋନା ସମୟରେ ଅର୍ଥନୀତି ଖରାପ ପଡିଥିବାରୁ ଭେନସ ୱାନ ଏକାଡେମୀ ଏହି ଅଭିନବ ରାସ୍ତା ବାହାର କରିଛି । ପରିବାରର ଅର୍ଥନୀତି ଭୁଶୁଡି ଯାଇଥିବାରୁ ଛାତ୍ରଛାତ୍ରୀମାନେ ଟ୍ୟୁସନ୍ ଫି ଦେବାକୁ ଅକ୍ଷମ ହେଉଛନ୍ତି। ତେଣୁ ଏକାଡେମୀ କଲେଜ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ ଫି ବାବଦରେ ନଡିଆ ଦେବାକୁ ଅନୁମତି ଦେଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଣ୍ଟରପ୍ରିନରଶିପ୍ ସ୍କିଲ୍ ବଢାଇବା ପାଇଁ ଏପରି କରାଯାଇଛି ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଛାତ୍ରଛାତ୍ରୀମାନେ ଦେଉଥିବା ନଡିଆରୁ ଏକାଡେମୀରେ ଖାଣ୍ଟି ନଡିଆ ତେଲ ବାହାର କରାଯାଉଛି । ପ୍ରଥମେ ଛାତ୍ରଛାତ୍ରୀଙ୍କୁ କିସ୍ତି ଆକାରରେ ଫି ଦେବାକୁ କୁହାଯାଇଥିଲା । କିନ୍ତୁ ସମସ୍ତେ ଫି ଦେଇପାରିଲେ ନାହିଁ । ପରେ ସେମାନଙ୍କୁ ନଡିଆ ଦେବାକୁ କୁହାଗଲା । ଯେଉଁମାନେ ଫି ଦେଇପାରିଲେ ନାହିଁ, ସେମାନେ  ଖୁସିରେ  ନଡିଆ ଦେଉଛନ୍ତି ।

ନଡିଆ ପରେ ସଜନା ପତ୍ର ଓ ମୋଟୁ କାଲା ପତ୍ର ଦେବାକୁ ମଧ୍ୟ କୁହାଯାଇଛି। କେହି କେହି ଏହି ପତ୍ର ମଧ୍ୟ ଦେଉଛନ୍ତି । ଏହି ପତ୍ରରେ ସାବୁନ ତିଆରି ହେଉଛି  । ଏହି ସାବୁନ ଶରୀର ପାଇଁ ଭଲ ବୋଲି ଏକାଡେମୀର ଜଣେ ଅଧିକାରୀ ୱାୟାନ ପାସେକ କହିଛନ୍ତି । ଏହା ଏକ ହର୍ବାଲ ସାବୁନ୍ । ଛାତ୍ରଛାତ୍ରୀମାନେ ଚାହିଁଲେ ଏହି ଜିନିଷ ସବୁ ନେଇ ବିକ୍ରି କରିପାରିବେ ବୋଲି ସେ କହିଛନ୍ତି । ଏହାଦ୍ୱାରା ସେମାନଙ୍କ ଏଣ୍ଟରପ୍ରିନରଶିପ୍ ସ୍କିଲ ବଢିବ । ଏହି ବ୍ୟବସାୟ ଚଲାଇବା ପାଇଁ ଗ୍ୟାନାର୍ ଏମ୍ପ୍ଲୟମେଣ୍ଟ ଏଜେନ୍ସିରୁ ଅନୁମତି ନିଆଯାଇଛି ।

ଏହି ଏକାଡେମୀ ଶିକ୍ଷା ସହ ବ୍ୟବସାୟକୁ ଯୋଡିଛି । କରୋନା ମହାମାରୀ ଚାଲିଯିବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଏଣ୍ଟରପ୍ରିନରଶିପ୍ ସ୍କିଲକୁ ଆହୁରି ବଢାଇପାରିବେ । ପ୍ରାକୃତିକ ସଂପଦର ସୁବିନିଯୋଗ କରିବାକୁ ଏକାଡେମୀ  ପକ୍ଷରୁ ପରାମର୍ଶ ଦିଆଯାଇଛି । ଆଗାମୀ ଦିନରେ ଏଥିରୁ  ଅଧିକ ଫାଇଦା ମିଳିବ ବୋଲି ଏହି ଅଧିକାରୀ କହିଛନ୍ତି ।

You might also like