ନବଜାତ ଶିଶୁର ତିନି ଗୋଡ଼, ଠାକୁର ଭାବି ମୁଣ୍ଡିଆ ମାରିଲେ ଲୋକେ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା। ତିନି ଗୋଡ ଥିବା ଏକ ଅଦ୍ଭୁତ ଶିଶୁକନ୍ୟା ଜନ୍ମ ନେଇଛି। ଝିଅଟିକୁ ଦେଖି ପରିବାର ତଥା ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ତ ଶିଶୁଟିକୁ ଭଗବାନ ବୋଲି ବିଶ୍ୱାସ କରି ଦୂରରୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି। ଘଟଣା ଆଖପାଖ ଅଞ୍ଚଳରେ ବ୍ୟାପିଯିବା ପରେ ଶିଶୁକନ୍ୟାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି।

ଘଟଣା ଘଟିଛି, ‍ବିରନୋ ଥାନା କ୍ଷେତ୍ର ସ୍ଥିତ ତିୟରା ଗାଁରେ। ଏହି ଗ୍ରାମରୂ ପ୍ରିୟଙ୍କା ଦେବୀ ସେପ୍ଟେମ୍ବର ୨୯ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କର କହିବା ଅନୁଯାୟୀ, ନବଜାତ ଶିଶୁଟିର ୩ଟି ଗୋଡ ଅଛି। ଗୋଟିଏ ଗୋଡ ଶିଶୁର ଗୁପ୍ତାଙ୍ଗରୁ ବାହାରିଛି। ଏହି ତୃତୀୟ ଗୋଡରେ ୬ଟି ଆଙ୍ଗୁଳି ରହିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

ମିଡିଆ ରିପୋର୍ଟ ଅନୁଯାୟୀ, ତିନି ଗୋଡ ଥିବା ଏହି ଶିଶୁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଶିଶୁକନ୍ୟାର ବାପା ଅତ୍ୟନ୍ତ ଗରିବ। ଏପରିକି ଶିଶୁ କନ୍ୟାର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଛି। ତେଣୁ ଶିଶୁର ଚିକିତ୍ସା ପାଇଁ ସହାୟତା ମାଗିଛନ୍ତି।

ତେବେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହା ଏକ ବିଶେଷ ଧରଣର ରୋଗ ଯାହାକୁ କଞ୍ଜେନିଟଲ ଅନୋମିଲି କୁହାଯାଇଥାଏ। ଚିକିତ୍ସା ପରେ ରୋଗୀ ଭଲ ହୋଇ ପାରିବ କି ନାହିଁ  ରୋଗୀଙ୍କୁ ଦେଖିବା ପରେ କୁହାଯାଇ ପାରିବ ବୋଲି ଡାକ୍ତର କହିଛନ୍ତି। ତେବେ ଗର୍ଭବତୀ ମହିଳା ଯଦି କୌଣସି ରେଡିଏଶନ ସମ୍ପର୍କରେ ଆସନ୍ତି କିମ୍ବା କୌଣସି ଔଷଧର ସାଇଡ୍‌ ଇଫେକ୍ଟ ପଡେ ତେବେ ଏଭଳି ଶିଶୁ ଜନ୍ମ ନେଇଥାନ୍ତି।

 

You might also like