ବୟସ ୫, କିନ୍ତୁ ପ୍ରଖର ସ୍ମୃତିଶକ୍ତି

ଚଣ୍ଡିଗଡ଼:  ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ କଥା କହିବା ସହ, ପ୍ରତେକ ଦେଶ ଓ ତାର ରାଜଧାନୀ ମନେ ରଖିଛି ଏହି ଝିଅଟି। ତା’ର ଏହି ଆଶ୍ଚର୍ଯ୍ୟ କଲା ଭଳି ଗୁଣ ପାଇଁ ତାକୁ ଲୋକେ ଗୁଗ୍‌ଲ ଗାର୍ଲ ନାମରେ ଚିହ୍ନିବାକୁ ଲାଗିଲେଣି। ଏହି ବୟସରେ ପିଲାମାନେ ଖେଳକୁଦରେ ରୁଚି ରଖୁଥିବା ବେଳେ ବୈଷ୍ଣବୀ ଜ୍ଞାନ ଏକତ୍ରୀତ କରିବାରେ ଲାଗିଛି। ସେ ବଡ଼ ହୋଇ ଆଇଏଏସ୍‌ ହେବାକୁ ଚାହୁଁଛି। କେବଳ ଏତିକି ନୁହେଁ ଝିଅଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାକୁ ଚାହୁଁଛି।

ବୈଷ୍ଣବୀର ବାପା ମା’ଙ୍କ କହିବା ଅନୁଯାୟୀ ତାକୁ ଯେ କୌଣସି କଥା ଥରେ ଶିଖାଇ ଦିଆଯାଉଛି, ତାହା ସେ ଭୁଲୁନାହିଁ। ଯେତେବେଳେ ତାକୁ ୨ ବର୍ଷ ହୋଇଥିଲା ସେତେବେଳେ ସେ ସବୁ ଦେଶର ରାଜଧାନୀର ନାମ ମନେ ରଖି ଦେଇଥିଲା। ଯେଉଁ ବୟସରେ ପିଲାମାନଙ୍କୁ ଦିନ ରାତିର ଫରକ୍‌ ଜଣା ନଥାଏ, ସେ ବୟସରେ ବୈଷ୍ଣବୀ ସାରା ଦୁନିଆର ଜ୍ଞାନ ଏକାଠି କରିଛି। ପ୍ରଶ୍ନ ସରିବା ଆଗରୁ ଉତ୍ତର ଦେଇ ସମସ୍ତଙ୍କୁ ଚକିତ କରିଦେଉଛି। ଅନେକ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯାହାର ଉତ୍ତର ସାଧାରଣ ଲୋକକୁ ଚିନ୍ତା କରିବାକୁ  ପଡ଼ିବ।

ବୈଷ୍ଣବୀର ବାପା ଜଣେ ଗହଣା ବ୍ୟବସାୟୀ। ତା’ର ସବୁ ବିଷୟରେ ଜାଣିବା ଆଗ୍ରହ ସେବେଠାରୁ ଆରମ୍ଭ ହୋଇଛି ଯେତେବେଳେ ତାକୁ ଦୁଇ ବର୍ଷ ହୋଇଥିଲା। ବୈଷ୍ଣବୀର ବୟସ ବଢ଼ିବା ସହ ତା’ର ସ୍ମୃତିଶକ୍ତି ଆହୁରି ପ୍ରଖର ହେଉଛି ।

You might also like